ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା)। ଏନେଇ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ଓଡ଼ିଶାରେ ଉଚ୍ଚ ଶିକ୍ଷାର ଗୁଣବତ୍ତା ବଢ଼ାଇବା ଉଦ୍ଦେଶ୍ୟରେ ପିଏମ-ଉଷା ଯୋଜନା ଲାଗୁ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ଅନ୍ତର୍ଗତ ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯିବା ସହ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ଉନ୍ନତି କରାଯିବ।

“ପିଏମ୍-ଉଷା ଯୋଜନା ରାଜ୍ୟରେ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବ। ଏଥିରେ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ଉପଯୁକ୍ତ ତାଲିମକୁ ଗୁରୁତ୍ଵ ଦିଆଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ଚାକିରି କ୍ଷେତ୍ରରେ ଏହା ସହାୟକ ହେବ”, କହିଛନ୍ତି ମୋହନ ଚରଣ ମାଝୀ।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି ସହାୟତାରେ ଗୁଣାତ୍ମକ ଶିକ୍ଷାଦାନ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଉନ୍ନତି ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି।”

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #PMUSHAScheme #HigherEducation #DHEOdisha #MinistryofHigherEducation #India

LEAVE A REPLY

Please enter your comment!
Please enter your name here