ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗିରଫ କରାଯାଇଛି। ୫ ଘଣ୍ଟାର ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଛି। ବେଆଇନ ନିଯୁକ୍ତି ଏବଂ ଅର୍ଥ ହେରଫେର୍ କରିଥିବା ଅଭିଯୋଗରେ ସୋମବାର ସକାଳେ ଇଡି ଟିମ୍ ତାଙ୍କ ଘରେ ଚଢ଼ଉ କରିଥିଲା।
ସୋମବାର ସକାଳେ ଇଡିର ତଦନ୍ତକାରୀ ଦଳ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ଅମାନତୁଲ୍ଲା ନିଜ ଘର ଗେଟ୍ ବନ୍ଦ କରି ଇଡି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ୨ ଘଣ୍ଟା ପରେ ତାଙ୍କ ଘରେ ଚଢ଼ଉ ଆରମ୍ଭ ହୋଇଥିଲା। ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘର ବାହାରେ ଦିଲ୍ଲୀ ପୋଲିସର କର୍ମଚାରୀ ନିୟୋଜିତ ହୋଇଥିଲା।
ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ଅମାନତୁଲ୍ଲା ଖାନ ସରକାରୀ ଗାଇଡଲାଇନକୁ ଅଣଦେଖା କରି କିଛି ଲୋକଙ୍କୁ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା। ଏହାସହ ଅଧ୍ୟକ୍ଷ ପଦରେ ରହି ଓ୍ଵାକଫ ବୋର୍ଡର ଅର୍ଥ ହେରଫେର୍ କରିଥିବା ଅଭିଯୋଗ ମଧ୍ୟ ହୋଇଛି।
ନିଜ ଗିରଫଦାରୀକୁ ଅମାନତୁଲ୍ଲା ଖାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଆମ ଆଦମୀ ପାର୍ଟି ପକ୍ଷରୁ ତାଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଛି। ଦଳର ଅନ୍ୟ ନେତାଙ୍କ ଭଳି ଅମାନତୁଲ୍ଲାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଥିବା ନେଇ ଦଳ ଅଭିଯୋଗ କରିଛି।
Tags: #AmanatullahKhan #Arrest #MLA #AAP #ED #Delhi