ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଦୁଇଜଣ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ନିଜର ସଦସ୍ୟ ପଦ ହରାଇଛନ୍ତି। ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ସେମାନଙ୍କ ସଦସ୍ୟତା ରଦ୍ଦ କରିଛନ୍ତି। ଏନେଇ ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଛାଡ଼ିବା ପରେ ଦଳ ପକ୍ଷରୁ ବାଚସ୍ପତିଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଏଥିରେ ସେମାନଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା। ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପିଟିସନ ଦାଖଲ କରିଥିଲେ।

ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଉଭୟ ନେତାଙ୍କ ପାଖକୁ ନୋଟିସ୍ ପଠାଇଥିଲେ। ହେଲେ ଏହି ଦୁଇ ବିଧାୟକଙ୍କ ପକ୍ଷରୁ ନୋଟିସର କୌଣସି ଉତ୍ତର ଦିଆଯାଇନଥିଲା। ଏବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଚସ୍ପତି ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି।

ବିଧାୟକ ଅରବିନ୍ଦ ଢାଲି ମାର୍ଚ୍ଚ ମାସ ୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହା ପରଦିନ ସେ ବିଜେପିରେ ସାମିଲ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ଜୟଦେବ ଆସନରୁ ପ୍ରାର୍ଥୀ କରିଛି।  ସେହିପରି ଏହା ପୂର୍ବରୁ ଫେବ୍ରୁଆରି ମାସ ୯ ତାରିଖରେ ବିଧାୟକ ପ୍ରେମାନନ୍ଦ ବିଜେଡିରୁ ଇସ୍ତଫା ଦେଇ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ।

Tags: #ArabindaDhali #PremanandaNayak #MLA #OdishaAssembly #Politics #Odisha

LEAVE A REPLY

Please enter your comment!
Please enter your name here