ଓଡ଼ିଶାଲାଇଭ୍ ବ୍ୟୁରୋ

ଲର୍ଡ ମାଉଣ୍ଟବ୍ୟାଟେନ, ଭାରତର ଶେଷ ଭାଇସରୟ। ଇଂଲଣ୍ଡର ରୟାଲ ନ୍ୟାଭିର ଜଣେ ଅଧିକାରୀ ଭାବେ ଜୀବନର ଦୀର୍ଘ ସମୟ ତାଙ୍କର ପାଣି ଭିତରେ ହିଁ କଟିଥିଲା। ନିଜ ଜୀବନର ବିଶେଷ ଅନୁଭୂତି ସବୁକୁ ସେ ସମୁଦ୍ରରୁ ସାଉଁଟି ଥିଲେ। ଯେତେବେଳେ ଏ ଦୁନିଆରୁ ଶେଷ ବିଦାୟ ନେଲେ ସେତେବେଳେ ବି ସେ ପାଣି ଭିତରେ ଥିଲେ। ଭାରତର ବିଭାଜନରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଆଜି ୪୫ ବର୍ଷ ପରେ ବି ତାଙ୍କ ହତ୍ୟାର ସମ୍ପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟିପାରି ନାହିଁ।  

ଭାରତ ବିଭାଜନର ସୂତ୍ରଧର      

ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ହୁଏତ ତାଙ୍କ ଇଂଲଣ୍ଡରେ ସେତିକି ଲୋକ ଚିହ୍ନି ନ ଥିବେ, ଯେତିକି ତାଙ୍କୁ ଭାରତରେ ଲୋକେ ଚିହ୍ନନ୍ତି। ଭାରତର ଶେଷ ଭାଇସରାୟ ଭାବେ ସେ ୧୯୪୭ ମସିହାରେ ଦେଶ ବିଭାଜନର ପ୍ରତ୍ୟକ୍ଷଦର୍ଶୀ। ଧର୍ମ ଆଧାରରେ ଭାରତ ଓ ପାକିସ୍ତାନ ଦୁଇଟି ନୂଆ ଦେଶ ଗଠନ କରିବାରେ ସେ ମୂଳ ଆଧାର ଥିଲେ ଅନେକ ଐତିହାସିକ ମତବ୍ୟକ୍ତ କରନ୍ତି।    

ନୌସେନାରୁ ଭାଇସରୟ

୧୯୦୦ ମସିହା ଜୁନ ୨୫ ତାରିଖରେ ଇଂଲଣ୍ଡର ୱିଣ୍ଡସରରେ ଲୁଇସ ମାଉଣ୍ଟବ୍ୟାଟେନଙ୍କ ଜନ୍ମ। ତାଙ୍କର ନାମ ଥିଲା ଲୁଇସ ଫ୍ରାନସିସ ଅଲବର୍ଟ ଭିକ୍ଟର ନିକୋଲସ ମାଉଣ୍ଟବ୍ୟାଟେନ। ୧୯୧୬ରେ ବ୍ରିଟିଶ ନୌସେନାର ଜଣେ ଅଧିକାରୀ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ବ୍ରିଟିଶ ରାଜ ପରିବାର ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତାଙ୍କୁ ସମୁଦ୍ରରେ ମୁତୟନ କରାଯାଇଥିଲା।

ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ନିଜ ସାହସିକତା ପାଇଁ ସେ ଅନେକ ଲୋକପ୍ରିୟ ହୋଇପାରିଥିଲେ। ସେ ଇଂଲଣ୍ଡର ତତକାଳୀନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ବହୁତ ଖାସ ବ୍ୟକ୍ତି ଥିଲେ ବୋଲି କୁହଯାଏ। ପରେ ୧୯୪୭ ମସିହାରେ ତାଙ୍କୁ ଭାରତର ଭାଇସରୟ ଦାୟିତ୍ୱ ମିଳିଥିଲା।

ମାଉଣ୍ଟବ୍ୟାଟେନ ହିଁ ଭାରତରେ ସ୍ୱାଧୀନତାର ତାରିଖ ଘୋଷଣା କରିଥିଲେ। ସେ ଏକ ସ୍ୱାଧୀନ ଭାରତ ନିର୍ମାଣର ଆଶା ରଖିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଅର୍ଥାତ ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତକୁ ଧର୍ମଭିତ୍ତିରେ ଦୁଇ ଖଣ୍ଡ କରି ସ୍ୱାଧୀନତା ମିଳିଥିଲା।  

ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନରାଲ

ସ୍ୱାଧୀନ ଭାରତର ନେତାମାନେ ମାଉଣ୍ଟବ୍ୟାଟେନଙ୍କୁ ଭାରତର ମଧ୍ୟବର୍ତ୍ତୀକାଳୀନ ଗଭର୍ଣ୍ଣର ଜେନେରାଲ ଦାୟିତ୍ୱ ଦେଇଥିଲେ। ଜବାହାର ଲାଲ ନେହରୁ ଏବଂ ରାଜେନ୍ଦ୍ର ପ୍ରସାଦ ମାଉଣ୍ଟବ୍ୟାଟେନଙ୍କୁ ଔପଚାରିକ ଭାବେ ଭାରତର ପ୍ରଥମ ଗଭର୍ଣ୍ଣର ଜେନରାଲ ଭାବେ ରହିବା ପାଇଁ ଆମନ୍ତ୍ରଣ ଦେଇଥିଲେ। ମାଉଣ୍ଟବ୍ୟାଟେନ ବି ଏହାକୁ ସ୍ୱୀକାର କରିଥିଲେ। ୧୯୪୮ ଯାଏଁ ସେ ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ପଦ ସମ୍ଭାଳିଥିଲେ। ଏହାପରେ ସି ରାଜଗୋପାଳଚାରୀ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।

ପରବର୍ତ୍ତୀ ଜୀବନ

ଭାରତରେ କାର୍ଯ୍ୟକାଳ ଶେଷ ହେବାରେ ମାଉଣ୍ଟବ୍ୟାଟେନ ପୁଣି ନୌସେନାକୁ ଫେରି ଯାଇଥିଲେ। ୧୯୫୫ ମସିହାରେ ସେ ବ୍ରିଟିଶ ନୌସେନାର ସର୍ବୋଚ୍ଚ ପଦବୀ ‘ଫାଷ୍ଟ ସି ଲର୍ଡ’ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ଜୁଲାଇ ୧୯୫୯ ମସିହା ପର୍ଯ୍ୟନ୍ତ ଏହି ବ୍ରିଟିଶ ନୌସେନାର ‘ଫାଷ୍ଟ ସି ଲର୍ଡ’ ରହିଥିଲେ। ଏହାପରେ ସେ ୧୯୬୫ ମସିହା ଯାଏଁ ବ୍ରିଟିଶ ଅର୍ମଡ ଫୋର୍ସସର ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିସ୍) ଥିଲେ।

ସପରିବାର ସଲିଳ ସମାଧି

୧୯୭୯ ଅଗଷ୍ଟ ୨୭ ତାରିଖ। ସମୁଦ୍ରରେ ଛୁଟି କଟାଇବା ପାଇଁ ମାଉଣ୍ଟବ୍ୟାଟେନ ଉତ୍ତର-ପଶ୍ଚିମ ଆୟରଲାଣ୍ଡର ମୁଲାଗମୋର ବନ୍ଦରରୁ ନିଜ ପରିବାର ସହ ବୋଟରେ ଯାତ୍ରା ଆରମ୍ଭ କରିଥିଲେ। ସକାଳ ପ୍ରାୟ ୧୧ଟା ୩୦ରେ ହଠାତ ବୋଟରେ ଏକ ଜୋରଦାର ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ପରିବାରର ସମସ୍ତ ସଦସ୍ୟଙ୍କ ସହ ମାଉଣ୍ଟବ୍ୟାଟେନଙ୍କ ମୃତ୍ୟୁ ଘଟିଲା।   

ପରେ ଘଟଣାର ଯାଞ୍ଚ ହୋଇଥିଲା। ଏହି ହତ୍ୟା ପଛରେ ଆୟରଲାଣ୍ଡ ଉଗ୍ରବାଦୀ ସଂଗଠନ ଆଇରିସ୍ ରିପବ୍ଲିକାନ ଆର୍ମିଙ୍କ ହାତ ଥିବା ଜଣାପଡ଼ିଥିଲା। ସେମାନେ ପୂର୍ବରୁ ଏହି ବୋଟରେ ବୋମା ଖଞ୍ଜିଥିଲେ।

ରହସ୍ୟ ଘେରରେ ମୃତ୍ୟୁ

ମାଉଣ୍ଟବ୍ୟାଟେନଙ୍କ ମୃତ୍ୟୁକୁ ନେଇ ଏବେ ବି ଅନେକ ରହସ୍ୟ ରହିଛି। ତାଙ୍କ ମୃତ୍ୟୁ ପଛରେ ବ୍ରିଟିଶ ଇଣ୍ଟେଲିଜେନ୍ସର ହାତ ଥିବାର ଅଭିଯୋଗ ମଧ୍ୟ ହୁଏ। ଜେଲରେ ଥିବା ଆଇରିସ୍ ରିପବ୍ଲିକାନ ଆର୍ମିର ଜଣେ ବ୍ୟକ୍ତି ପାଟ୍ରିକ୍ ହଲାଣ୍ଡ ମାଉଣ୍ଟବ୍ୟାଟେନଙ୍କ ମୃତ୍ୟୁ ପଛରେ ବ୍ରିଟିଶ ଇଣ୍ଟେଲିଜେନ୍ସର କିଛି ଅଧିକାରୀଙ୍କ ହାତ ଅଛି ବୋଲି ଅଭିଯୋଗ କରିଥିଲେ। ସେମାନେ ଆଇରିସ୍ ରିପବ୍ଲିକାନ ଆର୍ମିକୁ ଏହି ହତ୍ୟାର କ୍ରେଡିଟ୍ ନେବା ପାଇଁ ବାଧ୍ୟ କରିଥିବା ପାଟ୍ରିକ୍ କହିଥିଲେ। ତେବେ ପ୍ରମାଣ ଦେବା ପୂର୍ବରୁ ଦିନେ ଅଚାନକ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ମାଉଣ୍ଟବ୍ୟାଟେନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜାଣିଶୁଣି କମ କରାଯାଇଥିଲା ବୋଲି ଅନେକ ଅଭିଯୋଗ କରନ୍ତି। ଏହାସହ ତାଙ୍କ ହତ୍ୟା ପଛରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ହାତ ରହିଥିବା ସମୟ ସମୟରେ ଅଭିଯୋଗ ହୋଇଥାଏ। ୪୫ ବର୍ଷ ପରେ ଆଜି ବି ତାଙ୍କ ମୃତ୍ୟୁ ଉପରୁ ସମ୍ପୂର୍ଣ୍ଣ ରହସ୍ୟର ପରଦା ହଟିନାହିଁ।

ଧର୍ମଭିତ୍ତିରେ ଭାରତକୁ ଦୁଇଖଣ୍ଡ କରିବାରେ ଲୁଇ ମାଉଣ୍ଟବ୍ୟାଟେନଙ୍କ ପ୍ରମୁଖ ଭୂମିକା ରହିଥିଲା। ସେ ଗୋଟିଏ ବିରାଟ ଦେଶକୁ ବିଭାଜିତ କରି ଦେଇଗଲେ। ଭାରତ ଇତିହାସର ଏହି ପୃଷ୍ଠାକୁ ବିବର୍ଣ୍ଣ କରିଥିବା ମାଉଣ୍ଟବ୍ୟାଟେନଙ୍କ ଶେଷ ମୁହୂର୍ତ୍ତ ଆଜି ବି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ। ତାଙ୍କ ମୃତ୍ୟୁରେ ଭାରତରେ ୭ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା।

Tags: #LordLouisMountbatten #Viceroy #Assasination #MurderMistry #UK #India

LEAVE A REPLY

Please enter your comment!
Please enter your name here