ଓଡ଼ିଶାଲାଇଭ୍ ବ୍ୟୁରୋ
ସିଙ୍ଗାପୁର ଦକ୍ଷିଣ-ପୂର୍ବ ଏସିଆର ଏକ ବିକଶିତ ରାଷ୍ଟ୍ର। ଏକ ଛୋଟ ଦ୍ଵୀପର ସହରକୁ ନେଇ ଗଠିତ ଏହି ଦେଶ ଆଜି ବହୁତ ବିକଶିତ ହୋଇ ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ବିଦେଶ ଯାତ୍ରାରେ ଯାଇ ସିଙ୍ଗାପୁରରେ ପହଞ୍ଚିଥିଲେ। ଭାରତ ଓ ସିଙ୍ଗାପୁର ମଧ୍ୟରେ ଦ୍ଵିପାକ୍ଷୀକ ସମ୍ପର୍କକୁ ମଜଭୁତ କରିବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
ଆପଣ ଜାଣିଛନ୍ତି ଆଜି ଏତେ ବିକଶିତ ହୋଇଥିବା ସିଙ୍ଗାପୁର ଦିନେ ଅନାହାର, ଅରାଜକତା ଓ ହିଂସାର ନିଆଁରେ ଜଳୁଥିଲା। ମାତ୍ରାଧିକ ଦାରିଦ୍ର୍ୟ ତଥା ଦୁର୍ନୀତି ମଧ୍ୟରେ ଏଠାକାର ଲୋକେ ଜୀବନ ବିତାଉଥିଲେ। ତେବେ ସିଙ୍ଗାପୁରରେ କ’ଣ ପରିବର୍ତ୍ତନ ଆସିଲା? କେମିତି ଉନ୍ନତି କଲା ଏହି ଦେଶ? ଆସନ୍ତୁ ଜାଣିବା।
ସିଙ୍ଗାପୁରକୁ ଜବରଦସ୍ତ ଦିଆଯାଇଥିଲା ସ୍ୱାଧୀନତା
ଭାରତ ୧୯୪୭ ମସିହାରେ ସ୍ୱାଧୀନତା ପାଇଥିଲା। ଏହାର ୧୮ ବର୍ଷ ପରେ ଅର୍ଥାତ ୧୯୬୫ ମସିହାରେ ସିଙ୍ଗାପୁରକୁ ମିଳିଥିଲା ସ୍ୱାଧୀନତା। ହେଲେ ଆଜି ଦୁଇ ଦେଶ ମଧ୍ୟରେ ତୁଳନା କଲେ ଜାଣିପାରିବେ କିଏ କେଉଁଠି ପହଞ୍ଚିଛି।
ବିଶ୍ୱର ଏକମାତ୍ର ରାଷ୍ଟ୍ର ସିଙ୍ଗାପୁରକୁ ଜବରଦସ୍ତ ଭାବେ ସ୍ୱାଧୀନତା ଦିଆଯାଇଥିଲା। ବ୍ରିଟିଶ ଅଧୀନରେ ଥିବା ସିଙ୍ଗାପୁର ଦ୍ଵିତୀୟ ବିଶ୍ଵଯୁଦ୍ଧରେ ବିଧ୍ୱସ୍ତ ହୋଇଯାଇଥିଲା। ପରେ ଏହା ମାଲେସିଆ ଅଧୀନକୁ ଆସିଥିଲା। ହେଲେ ଏହି ଦେଶରେ ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ଦୁର୍ନୀତି ଏବଂ ସାଂପ୍ରଦାୟିକ ଉତ୍ତେଜନା ଅନେକ ମାତ୍ରାରେ ବଢ଼ିବାକୁ ଲାଗିଲା। ଏହା ସହ ଲଢ଼ି ଲଢ଼ି ଥକି ଯାଇଥିଲା ମାଲେସିଆ। ଶେଷରେ ୧୯୬୫ରେ ସିଙ୍ଗାପୁରକୁ ନିଜଠାରୁ ଅଲଗା କରି ଏକ ସ୍ୱାଧୀନ ରାଜ୍ୟର ମାନ୍ୟତା ଦେଇଥିଲା।
ଅନେକ ଆହ୍ୱାନ ମଧ୍ୟରେ ଲକ୍ଷ୍ୟ ଥିଲା ଗୋଟିଏ
ସେ ସମୟରେ ସିଙ୍ଗାପୁରର ବଡ଼ ନେତା ଥିଲେ ଲି କୁଆନ ୟୁ। ସ୍ୱତନ୍ତ୍ର ରାଜ୍ୟ ପାଇଁ ସେ ମଧ୍ୟ ପ୍ରସ୍ତୁତ ନ ଥିଲେ। ଲି ଚାହୁଁଥିଲେ ମାଲେସିଆ ନିର୍ବାଚନରେ ସେ ଭାଗ ନେବେ। ହେଲେ ମାଲେସିଆ ନେତା ସିଙ୍ଗାପୁରକୁ ସେ ସମୟରେ ଅତ୍ୟନ୍ତ ହୀନ ଦୃଷ୍ଟିରେ ଦେଖୁଥିଲେ। ଜାତୀୟ ରାଜନୀତିରେ ସିଙ୍ଗାପୁରକୁ ସ୍ଥାନ ଦେବାକୁ ସେମାନେ ଚାହୁଁ ନଥିଲେ। ତେଣୁ ଦେଶକୁ ଯେତେବେଳେ ସ୍ୱାଧୀନତା ମିଳିଲା ଲି କୁଆନଙ୍କ ଆଖିରେ ଥିଲା ଲୁହ। ଏ ସ୍ୱାଧୀନତାରେ ସେ ଖୁସି ନ ଥିଲେ।
ସ୍ୱାଧୀନ ଦେଶର ମାନ୍ୟତା ପାଇବା ପରେ ବ୍ରିଟେନ ବି ସିଙ୍ଗାପୁରରୁ ନିଜ ସେନା ଅପସାରଣ କରିନେଲା। ସିଙ୍ଗାପୁରରେ ସେପରି କୌଣସି ପ୍ରାକୃତିକ ସଂପଦ ନ ଥିଲା ଯାହାକୁ ବିକି ନିଜର ଆର୍ଥିକ ସ୍ଥିତିକୁ ସୁଧାରିବ।
ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଲି କୁଆନ ୟୁ ପ୍ରଥମେ ସିଙ୍ଗାପୁରକୁ ଆଧୁନିକ ଇଣ୍ଡଷ୍ଟ୍ରିଆଲ ହବ କରିବାକୁ ନିଷ୍ପତ୍ତି ନେଇଥିଲେ। ଲି ଘୋଷଣା କରିଥିଲେ, ବିଶ୍ୱର ବଡ଼ ବଡ଼ କମ୍ପାନୀ ତାଙ୍କ ଦେଶରେ ଫ୍ୟାକ୍ଟ୍ରି ଖୋଲିଲେ ସେମାନଙ୍କୁ ୩ରୁ ୫ ବର୍ଷ ଟ୍ୟାକ୍ସ ଛାଡ଼ କରିଦେବେ। ସେ ସମୟରେ ଏହା ଏକ ନିଆରା ଚିନ୍ତାଧାରା ଥିଲା।
ଏହାପରେ ମାତ୍ର ୨ ବର୍ଷ ମଧ୍ୟରେ ସିଙ୍ଗାପୁରରେ ୨୦୦ରୁ ଅଧିକ ମଲ୍ଟି ନାସନାଲ କମ୍ପାନୀ ସେମାନଙ୍କର ଫ୍ୟାକ୍ଟ୍ରି ଖୋଲିଥିଲେ। ଆଇଟି, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଭଳି ବିଭିନ୍ନ ଶିଳ୍ପରେ ସମୃଦ୍ଧ ହେଲା ଦେଶ। ମାତ୍ର ୫ ବର୍ଷ ମଧ୍ୟରେ ସିଙ୍ଗାପୁରରେ ବେକାରୀ ସମସ୍ୟା ଦୂର ହେବାକୁ ଲାଗିଲା।
ଦାରିଦ୍ର୍ୟ, ଦୁର୍ନୀତିଠାରୁ ସ୍ୱାଧୀନତା
ସ୍ୱାଧୀନତାର ୫ ବର୍ଷ ପରେ ସିଙ୍ଗାପୁରରେ ଏକ ପ୍ରକାର ଚମତ୍କାରିତା ଦେଖା ଦେଇଥିଲା। ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଥିଲା ଚାକିରି ଏବଂ ରୋଜଗାରର ମାଧ୍ୟମ। ଦେଶରୁ ବେକାରୀ ସମସ୍ୟା ସମ୍ପୂର୍ଣ୍ଣ ଲୋପ ପାଇଗଲା।
ପ୍ରଧାନମନ୍ତ୍ରୀ ଲି କୁଆନ ୟୁ ନିଜ ଦେଶର ଲୋକଙ୍କୁ ଦକ୍ଷ ବା ସ୍କିଲ୍ଡ କରିବା ପାଇଁ ଲାଗି ପଡ଼ିଲେ। ଦେଶର ଟେକ୍ନୋଲୋଜି ବୃଦ୍ଧି କରାଇ ନାଗରିକମାନଙ୍କୁ ଦକ୍ଷ କରାଇଲେ। ଫଳରେ ମାତ୍ର କେଇ ବର୍ଷ ମଧ୍ୟରେ ଏଠାରେ କମ୍ପ୍ୟୁଟର ହାର୍ଡଡିସ୍କଠାରୁ ଆରମ୍ଭ କରି ଅନେକ ଆଇଟି କ୍ଷେତ୍ରର ହାଇ କ୍ୱାଲିଟି ପ୍ରଡକ୍ଟ ତିଆରି ହୋଇ ବାହାରକୁ ରତ୍ପାନୀ କରାଗଲା।
କ୍ଷମତା ନୁହେଁ ରାଷ୍ଟ୍ରଗଠନ ରାଜନୀତିର ଲକ୍ଷ୍ୟ
ଏହାପରେ ଲି କୁଆନ ୟୁ ସିଙ୍ଗାପୁରରୁ ଝୁପୁଡ଼ି ବସ୍ତିକୁ ହଟାଇଥିଲେ। ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ପକ୍କା ଘର ନିର୍ମାଣ ହେଲା। ଏହାସହ ତାଙ୍କର ଚତୁର୍ଥ ପଦକ୍ଷେପ ଥିଲା ଦେଶରୁ ସାଂପ୍ରଦାୟିକ ଚିନ୍ତାଧାରା ହଟାଇବା। ସିଙ୍ଗାପୁରରେ ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚୀନର ଥିବାବେଳେ ମାଲେସିଆ ଏବଂ ଭାରତର ଲୋକ ବି ଥିଲେ। ସେ ସବୁ ସଂପ୍ରଦାୟକୁ ଏକାଠି କରିବାର ପ୍ରୟାସ କରିଥିଲେ। ଆଉ ଏହି ଉଦ୍ୟମ ସେ ସ୍କୁଲ ସ୍ତରରୁ ହିଁ ଆରମ୍ଭ କରିଥିଲେ। ଯାହା ଫଳରେ ଆଜି ଏ ଦେଶରେ ଅନେକ ସଂପ୍ରଦାୟର, ଅନେକ ଧର୍ମର ଲୋକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରହିପାରୁଛନ୍ତି।
ସିଙ୍ଗାପୁର ସ୍ୱଚ୍ଛତା ନୀତି
ସିଙ୍ଗାପୁରରେ ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ। ଏ ଦେଶରେ ଲୋକଙ୍କୁ ଚୁଇଙ୍ଗମ ଖାଇବା ମନା। ଏଠାରେ କୌଣସି ବ୍ୟକ୍ତି ପବ୍ଲିକ ଟଏଲେଟ ଯାଇ ପାଣି ନ ଢାଳିଲେ ୩ ଲକ୍ଷ ଟଙ୍କାର ଜରିମାନା ଦିଅନ୍ତି। ଆଉ ଜୋରିମାନା ନ ଦେଲେ ଜେଲ ଦଣ୍ଡ ବ୍ୟବସ୍ଥା ବି ରହିଛି। ସେହିପରି ରାସ୍ତାରେ ଛେପ ପକାଇଲେ କି ଆବର୍ଜନା ପକାଇଲେ ମୋଟା ଅଙ୍କର ଜୋରିମାନା କରାଯାଇଥାଏ।
ଭାରତୀୟଙ୍କ ପାଇଁ ଶିକ୍ଷା
ସିଙ୍ଗାପୁର ବିକଶିତ ହେବାର ବିଭିନ୍ନ ବିଷୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଶିକ୍ଷା। ଭାରତ ତୁଳନାରେ ଯଥେଷ୍ଟ ଛୋଟ ହେଲେ ମଧ୍ୟ ସିଙ୍ଗାପୁର ଏତେ କମ ସମୟରେ କେମିତି ଉନ୍ନତି କରି ପାରିଛି, ତାହା ଖାଲି ଭାରତ ନୁହେଁ ସାରା ବିଶ୍ୱ ପାଇଁ ଏକ ଉଦାହରଣ।
Tags: #Singapore #Development #HDI #Lifestyle #India