ଭାସ୍କର ପରିଚ୍ଛା  

ବିଶ୍ଵରେ ଜନସଂଖ୍ୟା କ୍ଷେତ୍ରରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି। ନିକଟ ଅତୀତରେ ୮୦୦ କୋଟି ଟପିଛି ବିଶ୍ୱ ଜନସଂଖ୍ୟା। ତେବେ ଜନସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରିଛି ମିଳିତ ଜାତିସଂଘ। ୨୦୩୦ ସୁଦ୍ଧା ଏହି ସଂଖ୍ୟା ୮୫୦ କୋଟି ପାର କରିବ। ଏନେଇ ଜାତିସଂଘ ପକ୍ଷରୁ ରିପୋର୍ଟ ମଧ୍ୟ ଦିଆଯାଇଛି। ତେବେ ଏହା ଲୋକଙ୍କ ଜୀବନଯାପନ ପ୍ରଣାଳୀରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି।  

ଜାତିସଂଘର ରିପୋର୍ଟ ଅନୁସାରେ ବିଶ୍ୱ ଜନସଂଖ୍ୟା ୭୦୦ କୋଟିରୁ ୮୦୦ କୋଟିରେ ପହଞ୍ଚିବା ପାଇଁ ୧୨ ବର୍ଷ ଲାଗିଛି। ଇତି ମଧ୍ୟରେ ଭାରତର ଜନସଂଖ୍ୟା ଚୀନଠାରୁ ଅଧିକ ହୋଇଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଭାରତ ବର୍ତ୍ତମାନ ବିଶ୍ୱରେ ସବୁଠାରୁ ବେଶୀ ଜନସଂଖ୍ୟା ବହୁଳ ଦେଶ ପାଲଟିଛି।

ଏହି ରିପୋର୍ଟ ଆଧାରରେ ୨୦୮୦ ମସିହା ସୁଦ୍ଧା ବିଶ୍ଵ ଜନସଂଖ୍ୟା ୧,୦୪୦ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ବାର୍ଷିକ ବିଶ୍ୱ ଜନସଂଖ୍ୟା ସମ୍ଭାବନା ରିପୋର୍ଟ ମୁତାବକ, ଆସନ୍ତା ୨୭ ବର୍ଷ ମଧ୍ୟରେ ୮ଟି ଦେଶର ଜନସଂଖ୍ୟା ବିଶ୍ୱର ଅଧା ଜନସଂଖ୍ୟା ହେବ। ୨୦୫୦ ମସିହା ସୁଦ୍ଧା ଭାରତ, ପାକିସ୍ତାନ, ଇଥିଓପିଆ, ନାଇଜେରିଆ, ଫିଲିପାଇନ୍ସ, ତାଞ୍ଜାନିଆ, କଙ୍ଗୋ ଆଦି ରାଷ୍ଟ୍ରରେ ବିଶ୍ୱର ଅଧାରୁ ଅଧିକ ନାଗରିକ ବସବାସ କରୁଥିବେ।

ଜନବହୁଳ ଦେଶଗୁଡ଼ିକରେ ଜୀବନଶୈଳୀର ମାନ କମୁଥିବାରୁ ଅନେକ ଲୋକ ବିକଶିତ ଦେଶ ମୁହାଁ ହୋଇ ନିଜ ଦେଶ ଛାଡ଼ୁଛନ୍ତି। ଏକ ରିପୋର୍ଟ ମୁତାବକ, ୨୦୧୦ରୁ ୨୦୨୧ ମଧ୍ୟରେ ପାକିସ୍ତାନର ସବୁଠୁ ଅଧିକ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି। ୧ କୋଟି ୬୫ ଲକ୍ଷରୁ ଅଧିକ ପାକିସ୍ତାନବାସୀ ଦେଶ ଛାଡ଼ିଛନ୍ତି। ଏହି ତାଲିକାରେ ଦ୍ୱିତୀୟରେ ରହିଛି ଭାରତ। ୩୫ ଲକ୍ଷ ଭାରତୀୟ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି। ଏହାପରେ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାର ନାମ ରହିଛି।

ଉଲ୍ଲେଖ କରାଯାଇପାରେ ଯେ ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ ଜନସଂଖ୍ୟା ୭୦୦ କୋଟିର ମାର୍କ ପାର କରିଥିଲା। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି।

ଜାତିସଂଘ ପପୁଲେସନ ଫଣ୍ଡର କହିବା ଅନୁସାରେ ମାନବୀୟ ସଫଳତାର ପରିପ୍ରକାଶ ହେଉଛି ଜନସଂଖ୍ୟା ଅଭିବୃଦ୍ଧିର ଗୋଟିଏ ଉଦାହରଣ। ଏହି ମାନବୀୟ ସଫଳତା ମଧ୍ୟରେ ଦାରିଦ୍ର୍ୟ ଦୂରିକରଣ, ଲିଙ୍ଗଗତ ବୈଷମ୍ୟ ହ୍ରାସ, ଆଧୁନିକ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାର ପରିସୀମା ବୃଦ୍ଧି ଇତ୍ୟାଦି ରହିଛି।

ଉନ୍ନବିଂଶ ଶତାବ୍ଦୀରେ ବିଶ୍ୱରେ ମାତ୍ର ୧୬୦ କୋଟି  ଲୋକ ରହିଥିଲେ। ଏହାପରେ ଜନସଂଖ୍ୟା ପ୍ରାୟ ୫ ଗୁଣ ବଢ଼ିଛି। ଆକଳନ ଅନୁସାରେ, ବିଶ୍ୱ ଜନସଂଖ୍ୟା ୯୦୦ କୋଟି ଛୁଇଁବାକୁ ଆଉ ୧୫ ବର୍ଷ ସମୟ ଲାଗିବ। ସେହିପରି ୯୦୦ କୋଟିରୁ ୧୦୦୦ କୋଟିରେ ପହଞ୍ଚିବା ପାଇଁ ସମସ୍ତଙ୍କୁ ଆଉ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। 

ବିଶେଷଜ୍ଞମାନଙ୍କ ମତରେ ନୂଆ ଶତାବ୍ଦୀ ବେଳକୁ ବିଶ୍ଵ ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ ହେବ। ତେବେ ଜନସଂଖ୍ୟା ବୃଦ୍ଧି ସହ ଦେଶର ସରକାରମାନଙ୍କୁ ଲୋକଙ୍କର ଜୀବନଯାପନ ପ୍ରଣାଳୀରେ ଉନ୍ନତି ଆଣିବାରେ ବିଭିନ୍ନ ପ୍ରକାର କାର୍ଯକ୍ରମ ବି ହାତକୁ ନେବା ଦରକାର ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Tags: #PopulationRise #WorldPopulation #Lifestyle #DevelopingCountries #UnitedNations

Comment