ଓଡିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ଵ ପାଇଁ ବଡ଼ ଆହ୍ଵାନ ପାଲଟିଛି। ଏ କ୍ଷେତ୍ରରେ ଯୁବପିଢ଼ିଙ୍କର କ’ଣ ଭୂମିକା ରହିଛି ସେ ସମ୍ପର୍କରେ କହୁଛନ୍ତି ମିଳିତ ଜାତିସଂଘର ଜଳବାୟୁ ସମ୍ପର୍କିତ ଯୁବ ପରାମର୍ଶଦାତା ଗ୍ରୁପ୍‌ରେ ସ୍ଥାନ ପାଇଥିବା ସୁନ୍ଦରଗଡ଼ର ଖଡ଼ିଆ ସମ୍ପ୍ରଦାୟର ଝିଅ ଅର୍ଚ୍ଚନା ସୋରେଙ୍ଗ।

ମନୁଷ୍ୟର ଅତ୍ୟାଧୁନିକ ଜୀବନଶୈଳୀ ଓ କଳକାରଖାନା ବୃଦ୍ଧି ଆଦିର କୁପ୍ରଭାବ ଆମ ପରିବେଶକୁ ପ୍ରଭାବିତ କରୁଛି। ଏହାଦ୍ଵାରା ଜଳବାୟୁ ପରିବର୍ତ୍ତନ, ବିଶ୍ଵତାପନ ଆଦି ଅନେକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଯୋଗଦାନକୁ ଅର୍ଚ୍ଚନା ସୋରେଙ୍ଗ ଗୁରୁତ୍ଵ ଦେଇଛନ୍ତି।

ସେ କହିଛନ୍ତି, “ଆଜିର ଦିନରେ ଚାରିଆଡ଼େ ଜଳବାୟୁ ସଙ୍କଟ ଦେଖାଯାଉଛି। ତେଣୁ ଆମର ଯୁବପିଢ଼ିମାନେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ନିହାତି ଜରୁରୀ।”

ୟୁନିସେଫ୍, ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ଦ୍ଵାଦଶ ଅଧ୍ୟାୟ ‘ବିଲ୍ଡିଂ ବ୍ୟାକ୍ ବେଟର’ରେ ଅର୍ଚ୍ଚନା ଏ ସମ୍ପର୍କରେ କହିଛନ୍ତି।ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା

କେବଳ ଜଣେ ଚାହିଁଲେ ପରିବେଶ ସୁରକ୍ଷା ହୋଇପାରିବନି। ଏଥିପାଇଁ ଅନ୍ୟମାନଙ୍କୁ ମଧ୍ୟ ସାମିଲ କରିବା ଦରକାର। “ଆମେ ନିଜ କଥାଟା ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର। ଏହାଫଳରେ ଲୋକମାନେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ସଚେତନ ହୋଇପାରିବେ ଏବଂ ଆମକୁ ସହଯୋଗ କରିପାରିବେ”, ଅର୍ଚ୍ଚନା କହିଛନ୍ତି।

ପରିବେଶ ସୁରକ୍ଷା ସମ୍ପର୍କରେ ଜାଣିବା

ଲୋକଙ୍କ ପାଖରେ କେଉଁ ପ୍ରକାର ବାର୍ତ୍ତା ପହଞ୍ଚାଇବା ତାହା ଏକ ବଡ଼ ପ୍ରଶ୍ନ। ତେଣୁ ଯୁବପିଢ଼ି ଜଳବାୟୁ ସଙ୍କଟ, ତାର ପ୍ରଭାବ ଏବଂ ପ୍ରତିକାର ସମ୍ପର୍କରେ ଜାଣିବା ପାଇଁ ଆଲୋଚନା କରିବା ସହ ପଢ଼ିବା ଜରୁରୀ ବୋଲି ଅର୍ଚ୍ଚନା କହିଛନ୍ତି।

ସେ ଆହୁରି କହିଛନ୍ତି, “ଆମ ଭାରତର ସମ୍ବିଧାନରେ ଜଳବାୟୁ ସଙ୍କଟ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଆମ ଦେଶ, ଓଡ଼ିଶା ଏବଂ ମିଳିତ ଜାତିସଂଘ ପାଇଁ କ’ଣ ସବୁ ନିୟମ ରହିଛି ଆମେ ସେଇଟା ପଢ଼ିବା ପରେ ହିଁ ଜାଣିପାରିବା। ଏଥିସହ ଜଳବାୟୁ ସମ୍ପର୍କିତ କ’ଣ ସବୁ ସମସ୍ୟା ରହିଛି ଏବଂ ପରିବେଶ ସୁରକ୍ଷା ପାଇଁ ଆମେ କ’ଣ କରିବା ଉଚିତ ସେସବୁ ଯଦି ଆମେ ଆମ ସାଙ୍ଗମାନଙ୍କ ସହିତ ଆଲୋଚନା କରିପାରିବା ତାହେଲେ ଆମେ ଦୃଢ଼ ଭାବରେ ଲୋକଙ୍କ ସାମ୍ନାରେ ଆମର ବାର୍ତ୍ତା ରଖିପାରିବା।”ବିଭିନ୍ନ ବର୍ଗର ଯୁବଗୋଷ୍ଠୀଙ୍କୁ ଏକାଠି କରିବା

ଯୁବପିଢ଼ିଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟ, ସଂପ୍ରଦାୟ, ଧର୍ମ ଆଦିର ଯୁବଗୋଷ୍ଠୀ ଅଛନ୍ତି। ସେମାନଙ୍କୁ ସାମୂହିକ ଭାବେ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବା ସବୁଠୁ ବେଶି ଜରୁରୀ ବୋଲି ଅର୍ଚ୍ଚନା କହିଛନ୍ତି।

ଅନୁଭବି ଯୁବବର୍ଗଙ୍କୁ ଆଗକୁ ଆଣିବା

ଜଳବାୟୁ ସଙ୍କଟକୁ ଅଙ୍ଗେ ନିଭେଇଥିବା ଯୁବବର୍ଗଙ୍କୁ ଆଗକୁ ଆଣିବା ପାଇଁ ଅର୍ଚ୍ଚନା ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି, “ ଯେଉଁମାନେ ଜଳବାୟୁ ସଙ୍କଟକୁ ନିଜ ଆଖିରେ ଦେଖିଛନ୍ତି ଏବଂ ତା’ର ପ୍ରଭାବ ସେମାନେ ନିଜେ ଭୋଗିଛନ୍ତି ସେମାନଙ୍କୁ ଆଗକୁ ଆଣିବା ନିହାତି ଜରୁରୀ। ଏହାଦ୍ଵାରା ସେମାନେ ନିଜ ଅନୁଭବକୁ ଅନ୍ୟମାନଙ୍କ ସହ ବାଣ୍ଟିପାରିବେ। ସେତେବେଳେ ହିଁ ଯୁବପିଢ଼ି ଜଳବାୟୁ ସଙ୍କଟର ପ୍ରଭାବ ବିଷୟରେ ଜାଣିପାରିବେ ଏବଂ ଏ ଦିଗରେ ଆମେ କାହିଁକି କାମ କରିବା ତାର ଗୁରୁତ୍ଵ ମଧ୍ୟ ବୁଝିପାରିବେ।”

ଯୁବ ଏବଂ ବୟସ୍କଙ୍କୁ ଏକାଠି କରିବା

ଯୁବବର୍ଗଙ୍କ କାର୍ଯ୍ୟ ଦକ୍ଷତା ଏବଂ ବୟସ୍କମାନଙ୍କ ଅନୁଭବ ଜରିଆରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହୋଇପାରିବ। ସେଥିପାଇଁ ଯୁବପିଢ଼ି ଏବଂ ବୟସ୍କବର୍ଗ ମିଳିମିଶି ପଦକ୍ଷେପ ନେବା ଉପରେ ଅର୍ଚ୍ଚନା ଗୁରୁତ୍ଵାରୋପ କରିଛନ୍ତି।

ସେ କହିଛନ୍ତି, “ଆମର ଯେତେ ବି ବୟସ୍କବର୍ଗ ରହିଛନ୍ତି ସେମାନଙ୍କ ପାଖକୁ ଆମ ଯୁବପିଢ଼ି ଯିବା ଦରକାର। ତାଙ୍କ ସହିତ ଆଲୋଚନା କରିବାର ଦରକାର। ଆମକୁ ଯୁବବର୍ଗ ଏବଂ ବୟସ୍କମାନଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିବା ଦରକାର। ସେମାନଙ୍କ ମଧ୍ୟରେ ଆଲୋଚନା ଏବଂ ଭାବ ଆଦାନପ୍ରଦାନ ହେବା ଜରୁରୀ। ଜ୍ଞାନ ଏବଂ ଇଚ୍ଛାର ଆଦାନପ୍ରଦାନ ହେଲେ ହିଁ ଆମେ ଏକା ସାଙ୍ଗେ ମିଶି ପରିବେଶ ସୁରକ୍ଷାକୁ କେମିତି ଆଗକୁ ନେଇକି ଯିବା ସେଥିପାଇଁ ଗୋଟିଏ ରଣନୀତି ପ୍ରସ୍ତୁତ କରିପାରିବା।”BGUକୋଭିଡ୍ ମୁକାବିଲାରେ ୟୁନିସେଫ୍ ଓ ଓଡ଼ିଶାର ବିଭିନ୍ନ ପଦକ୍ଷେପ, କୋଭିଡ୍ ହିରୋମାନଙ୍କର କାହାଣୀ, ବିଶେଷଜ୍ଞଙ୍କ ପରାମର୍ଶ ଆଦିକୁ ନେଇ ଆରମ୍ଭ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏହି ଧାରାବାହିକ ଏବେ ଦ୍ୱାଦଶ ଅଧ୍ୟାୟରେ ପହଞ୍ଚିଛି। ଏହି ଅଧ୍ୟାୟର ବିଷୟ ବସ୍ତୁ ରହିଛି ‘ବିଲ୍ଡିଂ ବ୍ୟାକ୍ ବେଟର’। ଅର୍ଥାତ କୋଭିଡ୍ ମୁକାବିଲାରୁ ଆମେ ଯେଉଁ ଶିକ୍ଷା ପାଇଲେ ତାହାକୁ ଅଧାର କରି କିଭଳି ଆଗାମୀ ଦିନରେ ଏହିଭଳି ବିପତ୍ତିକୁ ସାମ୍ନା କରିବା ସେ ସମ୍ପର୍କରେ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କ ସହ ଏହି ଧାରାବାହିକରେ ଆଲୋଚନା କରୁଛି। ସେମାନଙ୍କର ଭାବନା, ଦୃଷ୍ଟିଭଙ୍ଗୀକୁ ଲୋକଙ୍କ ନିକଟରେ ପହଞ୍ଚାଉଛି।ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment