ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆ ବନାମ ଭାରତ ବିବାଦରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ପ୍ରତିକ୍ରିୟା।

ଆମ ଦେଶର ନାମ ଇଣ୍ଡିଆ ହେବ ନା ଭାରତ, ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିରୋଧୀମାନେ ଦେଶର ନାଁ କେବଳ ‘ଭାରତ’ ରଖିବାକୁ ସହମତ ହେଉ ନଥିବାବେଳେ ଶାସକଦଳର ନେତାମାନେ ଏହା ସପକ୍ଷରେ ମତ ରଖୁଛନ୍ତି। ଏହି ବିବାଦରେ ଏବେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ବୟାନ ପରେ ଏହା ଏକ ନୂଆ ମୋଡ଼ ନେଇଛି।

ଜି-୨୦ ସମ୍ମିଳନୀ ଅବସରରେ ଆଣ୍ଟୋନିଓ ଗୁଟେରେସ ଦିଲ୍ଲୀ ଆସିବା ଅବସରରେ ଦେଶର ନାମକୁ ନେଇ ହେଉଥିବା ବିବାଦ ଉପରେ ଗଣମାଧ୍ୟମକୁ ବୟାନ ଦେଇଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଅନ୍ତରୀଣ ମାମଲା ବୋଲି ସେ ମତ ରଖିଥିଲେ।

“କୌଣସି ଦେଶର ନାମ ପରିବର୍ତ୍ତନ କରିବା ଏହାର ନିଜସ୍ଵ ମାମଲା। ଏଥିରେ ଜାତିସଂଘର କୌଣସି ନିୟମ ଲାଗୁ ହୁଏ ନାହିଁ। ଦେଶର ନାମ ପରିବର୍ତ୍ତନ ହେବାପରେ ଏହାକୁ ଜାତିସଂଘରେ ବଦଳା ଯାଇଥାଏ। ଏନେଇ ଦେଶମାନଙ୍କଠାରୁ ଔପଚାରିକ ଆବେଦନ ଆସିଲେ ତାହା ଉପରେ ଜାତିସଂଘ ବିଚାର କରିଥାଏ। ଗତବର୍ଷ ତୁର୍କୀର ନାମ ‘ତୁର୍କୀଏ’ ହୋଇଥିଲା। ଏହାକୁ ନେଇ ତୁର୍କୀର ସରକାର ଜାତିସଂଘକୁ ଜଣାଇଥିଲେ”, କହିଛନ୍ତି ଆଣ୍ଟୋନିଓ ଗୁଟେରେସ।

ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଜାତିସଂଘକୁ ଭାରତରୁ ଆସୁଥିବା ସରକାରୀ ଦସ୍ତାବିଜ ଓ କାଗଜପତ୍ରରେ ‘ଇଣ୍ଡିଆ’ ଲେଖା ହେଉଛି। ଯଦି ଭବିଷ୍ୟତରେ ଇଣ୍ଡିଆର ନାଁ ‘ଭାରତ’ ହୁଏ, ତେବେ ଏହାକୁ ନେଇ ଜାତିସଂଘ ନିକଟରେ ଆବେଦନ କରାଯିବାପରେ ତାହା ଉପରେ ନିଷ୍ପତ୍ତି ନିଆଯିବ।”

ଜାତିସଂଘ ମହାସଚିବଙ୍କ ବୟାନକୁ ନେଇ କୌଣସି ରାଜନେତାଙ୍କ ବିଶେଷ ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ଆଗକୁ ଦେଶର ନାଁ ଯଦି କେବଳ ‘ଭାରତ’ ରହେ, ତେବେ ଏହା ଉପରେ ଜାତିସଂଘ ପକ୍ଷରୁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଣ୍ଟୋନିଓ ଗୁଟେରେସଙ୍କ ମତରୁ ସ୍ପଷ୍ଟ ହୋଇଯାଇଛି।

ଜି-୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଭବନରେ ଥିବା ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବାପରେ ଇଣ୍ଡିଆ ବନାମ ଭାରତ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଶାସକ ଓ ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା।

Tags: #IndiaVsBharatControversy #UnitedNations #AntonioGuterres #India

Comment