ଓଡିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ ଅର୍ଚ୍ଚନା ସୋରେଙ୍ଗ।

ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଛନ୍ତି ଓଡ଼ିଆ ଝିଅ। ସୁନ୍ଦରଗଡ଼ ଜିଲ୍ଲାର ଅର୍ଚ୍ଚନା ସୋରେଙ୍ଗ ମିଳିତ ଜାତିସଂଘ ମହାସଚିବଙ୍କ ଜଳବାୟୁ ସମ୍ପର୍କିତ ଯୁବ ପରାମର୍ଶଦାତା ଦଳରେ ସ୍ଥାନ ପାଇଛନ୍ତି। ବିଶ୍ଵସ୍ତରୀୟ ଏହି ୭ ଜଣିଆ ପରାମର୍ଶଦାତା ଦଳରେ ସେ ଭାରତରୁ ପ୍ରତିନିଧିତ୍ଵ କରିବେ। ଅର୍ଚ୍ଚନାଙ୍କର ଏହି ସଫଳତା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ସୋରେଙ୍ଗ କହିଛନ୍ତି, “ଆମର ପୂର୍ବଜମାନେ ପାରମ୍ପରିକ ଜ୍ଞାନ ଏବଂ ଅଭ୍ୟାସ ଦ୍ଵାରା ଜଙ୍ଗଲ ଓ ପ୍ରକୃତିକୁ ଯୁଗ ଯୁଗ ଧରି ରକ୍ଷା କରିଆସିଛନ୍ତି। ଏବେ ଆମମାନଙ୍କର ପାଳି ଯେପରି ଆମେ ବର୍ତ୍ତମାନ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଅଗ୍ରିମ ମୋର୍ଚ୍ଚାରେ କାମ କରିବୁ।”ଅର୍ଚ୍ଚନା ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ(ଟିସ୍‌)ରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତ୍ତର କରିଛନ୍ତି। ସେ ବର୍ତ୍ତମାନ ଓଡ଼ିଶାରେ ଥିବା ‘ବନ୍ଧୁଧରା’ ନାମକ ସଂସ୍ଥାରେ ଗବେଷକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ପ୍ରାକୃତିକ ସମ୍ପଦ ଗଭର୍ଣ୍ଣାନ୍ସ ଓ ଜଳବାୟୁ ସଙ୍କଟ ଉପରେ ଅନେକ କାମ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଓ୍ଵେବସାଇଟ୍‌ରେ ଅର୍ଚ୍ଚନାଙ୍କର ଗବେଷଣାତ୍ମକ ଲେଖାମାନ ପ୍ରକାଶ ପାଇଛି।

ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ ଓ ପ୍ରଥା, ପରମ୍ପରାକୁ ନେଇ ମଧ୍ୟ ସେ ଗବେଷଣା କରିସାରିଛନ୍ତି। ଏଥିସହ ଆଦିବାସୀ ଜ୍ଞାନ, ପ୍ରଥା, ପରମ୍ପରା ଆଦିକୁ ଲେଖି ତାହାକୁ ସଂରକ୍ଷଣ କରିବା ସହ ପ୍ରଚାର ପ୍ରସାର ଦିଗରେ ମଧ୍ୟ ସେ ଅନେକ କାମ କରିଛନ୍ତି। ସେହିପରି ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଅର୍ଚ୍ଚନା ଭାଗ ନେଇଛନ୍ତି।ଖଡ଼ିଆ ସମ୍ପ୍ରଦାୟର ଝିଅ ଅର୍ଚ୍ଚନାଙ୍କୁ ଜାତିସଂଘରେ ଏତେ ବଡ଼ ପଦବୀ ମିଳିବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment