ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚଳିତମାସରେ ଜାରି କରାଯାଇଥିବା ‘ତାମିଲନାଡ଼ୁ ଆପାର୍ଟମେଣ୍ଟ ଓନର୍ସିପ୍ ଆକ୍ଟ-୨୦୨୪’କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହି ଆକ୍ଟ କେବଳ ବିଲଡରଙ୍କୁ ସୁହାଇବା ଭଳି ହୋଇଛି ବୋଲି ବହୁ ଫ୍ଲାଟ ମାଲିକମାନେ ଅଭିଯୋଗ କରିଛନ୍ତି। ଏହି ଆକ୍ଟକୁ ନେଇ ବିଲ୍ଡର୍ମାନେ ଯେତିକି ଖୁସି ହୋଇଛନ୍ତି, ଫ୍ଲାଟ୍ରେ ରହୁଥିବା ବହୁ ବାସିନ୍ଦାମାନେ ସେତିକି ଏହାକୁ ନାପସନ୍ଦ କରିଛନ୍ତି । ଏହାର କାରଣ କ’ଣ ଏବଂ ‘ତାମିଲନାଡ଼ୁ ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୪’ରେ କ’ଣ ରହିଛି ଆସନ୍ତୁ ଜାଣିବା।
ନିୟମରେ କ’ଣ ରହିଛି?
ଏହି ନୂଆ ନିୟମ ଅନୁଯାୟୀ ଯେକୌଣସି ବିଲ୍ଡିଂ ବା ଆପାର୍ଟମେଣ୍ଟର ପୁନଃନିର୍ମାଣ ପାଇଁ ଫ୍ଲାଟ୍ ମାଲିକମାନଙ୍କ ମତାମତ ଜରୁରୀ। ଆପାର୍ଟମେଣ୍ଟରେ ରହୁଥିବା ଫ୍ଲାଟ୍ମାଲିକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବା ପାଖାପାଖି ୭୦ ଭାଗ ସହମତ ହେଲେ ବିଲ୍ଡିଂକୁ ଭାଙ୍ଗି ଏହାର ପୁନଃ ନିର୍ମାଣ କରାଯାଇପାରିବ।
ତେବେ ପୁନଃନିର୍ମାଣ କାମ କରିବା ପୂର୍ବରୁ ଅତିକମ୍ରେ ୪ ଜଣ ଆପାର୍ଟମେଣ୍ଟ ମାଲିକ ମିଶି ଏକ ସଂଘ ଗଠନ କରିବେ। ଏହି ୪ ଜଣିଆ ସଂଘ ଏକ ବାଇ-ଲ’ ପ୍ରସ୍ତୁତ କରିବା ସହ ଏହାର ପଞ୍ଜୀକରଣ କରିବେ। ପ୍ରତି ସଂଘର ବୋର୍ଡ ଅଫ୍ ମ୍ୟାନେଜର୍ ରହିବା ଜରୁରୀ ଏବଂ ଗୋଟିଏ ପ୍ରପର୍ଟିରେ ଏକାଧିକ ଆପାର୍ଟମେଣ୍ଟ ଥିଲେ, ସେଠାରେ ସଭାପତି ପଦ ଥିବା ସଂଘମାନେ ଏକ ଫେଡେରେସନ୍ ଗଠନ କରିବା ଆବଶ୍ୟକ।
ବିଲ୍ଡର୍ମାନେ ଖୁସ୍, ହେଲେ ଫ୍ଲାଟ୍ ମାଲିକ ନିରାଶ
ତେବେ ଏହି ନୂଆ ନିୟମକୁ ନେଇ ତାମିଲନାଡୁର ବିଲ୍ଡର୍ମାନେ ଖୁସିବ୍ୟକ୍ତ କରିଛନ୍ତି। କାରଣ ବହୁ ପୁରୁଣା ବିଲ୍ଡିଂ କିମ୍ବା ଆପାର୍ଟମେଣ୍ଟର ପୁନଃ ନିର୍ମାଣ କି ମରାମତି ହେଲେ ସେମାନଙ୍କୁ ନୂତନ କାମ ମିଳିଯିବ। ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ବିଲ୍ଡର୍ମାନେ ଆଶାବାଦୀ ଅଛନ୍ତି।
ଅନ୍ୟପଟେ ଅନେକ ଫ୍ଲାଟ୍ ମାଲିକମାନେ ଏହିଭଳି ନିୟମକୁ ନାପସନ୍ଦ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଦୁଇ- ତୃତୀୟାଂଶ ମେଜରୀଟି। ଏଥିଯୋଗୁ ବହୁ ଫ୍ଲାଟ ମାଲିକମାନଙ୍କ ଇଛା ନଥିଲେ ମଧ୍ୟ ଆପାର୍ଟମେଣ୍ଟ ଭାଙ୍ଗିବାକୁ ପଡ଼ିବ। ତାହାର କାରଣ ହେଉଛି ଯଦି କୌଣସି ମାଲିକଙ୍କର ଗୋଟିଏ କିମ୍ବା ଅଲଗା ଅଲଗା ଆପାର୍ଟମେଣ୍ଟରେ ଏକାଧିକ ଫ୍ଲାଟ ଥାଏ, ତେବେ ତାଙ୍କୁ ଜଣେ ବୋଲି ହିସାବକୁ ନିଆଯିବ। ଫଳରେ ତାଙ୍କ ଯୋଗୁଁ ସଂଖ୍ୟା ଗରିଷ୍ଠତା ହାରରେ କୌଣସି ଫରକ ପଡ଼ିବ ନାହିଁ।
ଉଦାହରଣ ସ୍ୱରୂପ ଗୋଟିଏ ଆପାର୍ଟମେଣ୍ଟରେ ୨୦ଟି ଫ୍ଲାଟ ଅଛି। ଆଉ ସେଥିରୁ ଜଣେ ବ୍ୟକ୍ତି ୮ଟି ଫ୍ଲାଟ କିଣିଛନ୍ତି। ଆଉ ଯେଉଁ ୧୨ଟି ଫ୍ଲାଟ ରହିଲା, ଯଦି ସେଇ ୧୨ ଜଣ ମାଲିକ ବିଲଡିଂ ଭାଙ୍ଗିବା ପ୍ରସ୍ତାବରେ ରାଜି ହେଲେ; ତାହେଲେ ଦ୍ୱିତୃତୀୟାଂଶ ବା ୭୦ ଭାଗ ଭୋଟରେ ବିଲଡିଂ ଭାଙ୍ଗିଯିବା ନେଇ ପ୍ରସ୍ତାବ ପାସ ହୋଇଯିବ। ଆଉ ଏଥିରେ ୮ଟି ଫ୍ଲାଟ କିଣିଥିବା ବ୍ୟକ୍ତିଙ୍କ ଭୋଟକୁ ଗୋଟିଏ ବୋଲି ଗଣାଯିବ। ଆଉ ଏଭଳି ପରିସ୍ଥିତିର ଫାଇଦା ଉଠାଇପାରନ୍ତି ବିଲଡର। ଅର୍ଥାତ ଭୋଟ ସପକ୍ଷରେ ଅଧିକା ଫ୍ଲାଟ ମାଲିକଙ୍କୁ ମତାଇ ଏକାଧିକ ଭୋଟ ଯୋଗାଡ଼ କରିବାରେ ଏମାନେ ମୁଖ୍ୟ ଭୂମିକା ନେବେ।
ସେହିପରି କେତେକ ଫ୍ଲାଟ ମାଲିକମାନେ କହିଛନ୍ତି ଯେ, “ଆପାର୍ଟମେଣ୍ଟର ମରାମତି କିମ୍ବା ପୁନଃନିର୍ମାଣ କାମ ବହୁତ ସହଜ। କିନ୍ତୁ ଏଥିରେ ରହୁଥିବା ବାସିନ୍ଦାଙ୍କ ପକ୍ଷରୁ ଦେଖିବାକୁ ଗଲେ ଯେଉଁ ବିଲ୍ଡିଂଗୁଡ଼ିକର ଦୀର୍ଘବର୍ଷ ଧରି କିଛି କ୍ଷତି ହୋଇନାହିଁ ସେଥିପାଇଁ ଏହି ନିୟମର ଆବଶ୍ୟକତା ନାହିଁ। ଏହାସହ ଫ୍ଲାଟ୍ରେ ରହୁଥିବା ସମସ୍ତ ବାସିନ୍ଦାଙ୍କ ଆର୍ଥିକ ସ୍ତର ଠିକ୍ ନଥାଏ। ଯାହାଫଳରେ ପୁନଃ ନିର୍ମାଣରେ ଏହି ବ୍ୟକ୍ତିବିଶେଷ ଅର୍ଥ ବିନିଯୋଗରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି”।
“ଆପାର୍ଟମେଣ୍ଟ ପୁନଃନିର୍ମାଣ ପାଇଁ ଦୁଇ-ତୃତୀୟାଂଶ ନିୟମ ଏକ ଚକ୍ରାନ୍ତ ମାତ୍ର। ଏହାଦ୍ଵାରା ବିଲ୍ଡର୍ମାନେ ଅଧିକ ଲାଭବାନ ହେବ। ଆପାର୍ଟମେଣ୍ଟର ପୁରୁଣା ଢାଞ୍ଚା ଠିକ୍ ବା ସଶକ୍ତ ଅଛି, ତେବେ ଏହାର ପୁନଃ ନିର୍ମାଣ ଆବଶ୍ୟକତା ନାହିଁ। କିନ୍ତୁ ଏ କ୍ଷେତ୍ରରେ ବିଲ୍ଡିଂର ସ୍ଥାୟିତ୍ୱ ଉପରେ ସରକାରୀ ପ୍ରମାଣପତ୍ର ଥିବା ଜରୁରୀ” କହିଛନ୍ତି ଆଲିଆନ୍ସ ଅଫ୍ ରେସିଡେଣ୍ଟ୍ ୱେଲ୍ଫେୟାର୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ଜେଏମ୍ଏସ୍ ନାଗାର୍ଜୁନନ।
ଏହାଛଡ଼ା ଫ୍ଲାଟ୍ରେ ରହୁଥିବା ଲୋକଙ୍କ ମଧ୍ୟରୁ ଯେଉଁମାନେ ମେଣ୍ଟେନାନ୍ସ ଚାର୍ଜ ଦେବାରେ ଅବହେଳା କରୁଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଆକ୍ଟରେ ଉଲ୍ଲେଖ କରାଯାଇଛି। ନିୟମ ଅନୁସାରେ ଯେଉଁ ଫ୍ଲାଟ୍ ମାଲିକମାନେ ଠିକ୍ ସମୟରେ ମେଣ୍ଟେନାନ୍ସ ଫି’ ପଇଠ କରୁ ନଥିବେ, ସେମାନଙ୍କ ପାଇଁ ଆପାର୍ଟମେଣ୍ଟ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ବନ୍ଦ କରି ଦିଆଯାଇପାରିବ।
ଏହାସହ ମେଣ୍ଟେନାନ୍ସ ଫି’ ଦେଉ ନ ଥିବା ବ୍ୟକ୍ତିବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରି ବୋର୍ଡ ଅଫିସ୍ରେ ସେମାନଙ୍କ ନାଁରେ ନୋଟିସ୍ ମରାଯିବ ଏବଂ ୭ ଦିନ ମଧ୍ୟରେ ବକେୟା ପୂରଣ ପାଇଁ ନୋଟିସ୍ କରାଯିବ। ଏହାସହ ଫୋନ୍ କିମ୍ବା ଇ-ମେଲ୍ ଜରିଆରେ ମଧ୍ୟ ସେମାନଙ୍କୁ ନୋଟିସ୍ ଦିଆଯିବ।
ମୁଖ୍ୟତଃ ଦୀର୍ଘ ଦିନ ଆପାର୍ଟମେଣ୍ଟରେ ରହୁଥିବା ବାସିନ୍ଦାମାନେ ଏହାର ରକ୍ଷଣାବେକ୍ଷଣ ଦିଗରେ ସେପରି ସଚେତନ ନଥାନ୍ତି। ଏଣୁ ସମୟକ୍ରମେ ଆପାର୍ଟମେଣ୍ଟର କାନ୍ଥ ଓ ଛାତ ସବୁ ଅବହେଳିତ ହୋଇଥାଏ। ଆଗକୁ କୌଣସି ଗୁରୁତର ସମସ୍ୟା ଉପୁଜିବା ପୂର୍ବରୁ ଏଥିପ୍ରତି ଧ୍ୟାନ ଦେଇ ଗାଇଡ୍ଲାଇନ୍ ଜାରି କରାଯାଇଥିବା ତାମିଲନାଡୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ଏଥିରେ ଆବଶ୍ୟକୀୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
Tags: #TamilNaduApartmentOwnershipAct2024 #Apartment #Redevelopment #Builders #Tamilnadu