ଓଡ଼ିଶାଲାଇଭ୍ ବ୍ୟୁରୋ

ରୂପାନ୍ତରିତ ହେବ ଭୁବନେଶ୍ଵର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର। ଏହି ପାଠାଗାରର ପୁନରୁଦ୍ଧାର କରାଯିବ। ଏଠାରେ ନୂଆ ଚୌକି, ଟେବୁଲ ପକାଯିବ ଏବଂ ଏହାର ଚଟାଣ ଓ ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଏଠାରେ ୱାଇଫାଇ ସୁବିଧା ମଧ୍ୟ ଦିଆଯିବ। ଶୁକ୍ରବାର ଦିନ ରାଜ୍ୟ ୫-ଟି ସଚିବ ଭି କେ ପଣ୍ଡିଆନ ଏହି ପାଠାଗାର ପରିଦର୍ଶନବେଳେ ଏନେଇ ସୂଚନା ଦେଇଛନ୍ତି।

“ହରେକୃଷ୍ଣ ମହତାବ ପାଠାଗାର ଅନେକ ପୁରୁଣା ହୋଇଯାଇଥିବାରୁ ଏହାର କୋଠା ଓ ଅନ୍ୟ ଘରଗୁଡ଼ିକର ମରାମତି କରାଯାଇ ଏହାକୁ ନୂଆ ରୂପ ଦିଆଯିବ। ଏଠାରେ ପୁସ୍ତକଗୁଡ଼ିକୁ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ। ଏହାଛଡ଼ା ପାଠାଗାରରେ ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ବସିବା କ୍ଷମତାକୁ ଆହୁରି ବଢ଼ାଯିବ”, କହିଛନ୍ତି ଭି କେ ପଣ୍ଡିଆନ।

ସେ ଆହୁରି ମଧ୍ୟ କହିଛନ୍ତି, “ପାଠାଗାରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାରୁ ଏଠାରେ ପର୍ଯ୍ୟାପ୍ତ ପରିମାଣରେ ‘କମ୍ପିଟେଟିଭ୍ ମଗାଜିନ’ ରଖାଯିବ। ପାଠଗାରକୁ କମ୍ପୁଟରୀକୃତ କରାଯାଇ, ସ୍ମାର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ପରିଚାଳିତ କରାଯିବ। ଏହାଛଡ଼ା ଏଠାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ଲୋକଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ କାରିୟର କାଉନସିଲିଂର ବ୍ୟବସ୍ଥା କରାଯିବ।”

ଏହି ପରିଦର୍ଶନବେଳେ ୫-ଟି ସଚିବ ପାଠାଗାରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନଙ୍କ ସହ ସେଠାରେ ମିଳୁଥିବା ସୁବିଧା ବିଷୟରେ ଅଲୋଚନା କରିଥିଲେ। ଖୁବଶୀଘ୍ର ପାଠାଗାର ପରିସରରେ ଆହାର କେନ୍ଦ୍ର ଓ ମିଶନ ଶକ୍ତି ପକ୍ଷରୁ ଏକ ଫୁଡ଼ କୋର୍ଟ ଖୋଲାଯିବାକୁ ନେଇ ସେ ଘୋଷଣା କରିଥିଲେ।

ଏବେ ରାଜ୍ୟ ପାଠଗାରରେ ଭିଡ଼ କମାଇବା ପାଇଁ ଓଡ଼ିଶା ସରକାର ଭୁବନେଶ୍ଵର ବାପୁଜୀ ନଗରରେ ଏକ ‘ଜନ ଲାଇବ୍ରେରୀର’ ନିର୍ମାଣ କରିବେ।  ଏଠାରେ ଅତ୍ୟାଧୁନିକ ସୁବିଧାର ବିକାଶ କରାଯିବ। ୫-ଟି ଅଧିନରେ ଓଡ଼ିଶା ଖଣି ନିଗମ (ଓଏମସି) ସହାୟତାରେ ଏହି ଦୁଇ ପାଠାଗାରର ବିକାଶ କରାଯିବ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରକୁ ୧୯୫୯ ମସିହାରେ ପ୍ରତିଷ୍ଠା କରଯାଇଥିଲା। ଏଠାରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ବହି ଓ ମଗାଜିନ ରହିଛି। ପ୍ରତିଦିନ ୬୦୦ରୁ ୭୦୦ ଲୋକ ଓ ଛାତ୍ରଛାତ୍ରୀ ଏହି ପାଠାଗାରକୁ ପଢ଼ିବାକୁ ଆସିଥାନ୍ତି। ଏଠାରେ ପ୍ରାୟ ୯୦ ଜଣ କର୍ମଚାରୀ କାମ କରନ୍ତି।

୫-ଟି ସଚିବଙ୍କ ଏହି ରାଜ୍ୟ ପାଠାଗାର ପରିଦର୍ଶନବେଳେ ଓଏମସିର ପରିଚାଳନା ନିର୍ଦେଶକ ବଲୱନ୍ତ ସିଂହ, ରାଜ୍ୟ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ ରାଉତରାୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #HarekrushnaMahatabStatelibrary #Redevelopment #5tinitiative #Odisha

 

Comment