ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜଧାନୀରେ ଚାଞ୍ଚଲ୍ୟ
  • ସାମାନ୍ୟ କଥାରୁ ସିକ୍ୟୁରିଟି ଗାର୍ଡ ଲଗାଇଦେଲା ନିଆଁ
  • ଜଳିଗଲା ୬ଟି ଗାଡ଼ି
  • ନିଆଁ ଲଗାଇ ସିକ୍ୟୁରିଟି ଫେରାର
  • ନିଆଁ ଲିଭାଇଲା ଦମକଳ ଗାଡ଼ି, ପୋଲିସର ତନାଘନା

ସିକ୍ୟୁରିଟି ଗାର୍ଡ ଉପରେ ଆପଣ ଭରସା କରୁଛନ୍ତି କି? ଯଦି ହଁ ତାହାଲେ ଦେଖିକି। କାରଣ ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଶୁକ୍ରବାର ବିଳମ୍ବିତ ରାତିରେ ଏମିତି କାଣ୍ଡ କରିଛି ଯାହା ଶୁଣିଲେ ଲୋକଙ୍କ ମଥା ଘୂରି ଯାଉଛି। ସାମାନ୍ୟ କଥାକୁ ନେଇ ସିକ୍ୟୁରିଟି ଗାର୍ଡ ଆପାର୍ଟମେଣ୍ଟର ୨ଟି କାର୍ ଏବଂ ୪ଟି ବାଇକରେ ନିଆଁ ଲଗାଇଦେବା ଘଟଣାକୁ ନେଇ ରାଜଧାନୀ ଉଠୁଛି ପଡୁଛି।

କ’ଣ ଥିଲା ଘଟଣା?

ଭୁବନେଶ୍ୱର ଜିଜିପି କଲୋନୀ ଜଗନ୍ନାଥ ବିହାର ହେରିଟେଜ ଆପାର୍ଟମେଣ୍ଟରେ ଘଟିଛି ଏହି କାଣ୍ଡ। ଶୁକ୍ରବାର ରାତିରେ ଆପାର୍ଟମେଣ୍ଟର ଲୋକ ସମସ୍ତେ ଶୋଇ ଯାଇଥିବା ବେଳେ ସିକ୍ୟୁରିଟି ଗାର୍ଡ ତାର ସଇତାନୀ କାରନାମା ଆରମ୍ଭ କରିଥିଲା।  ଫଳରେ ୨ଟି କାର୍ ଓ ୪ଟି ବାଇକ ନିମିଷକ ମଧ୍ୟରେ ପୋଡ଼ି ପାଉଁଶ ହୋଇଯାଇଥିଲା।

ହେରିଟେଜ ଆପାର୍ଟମେଣ୍ଟରେ ରହୁଥିବା ଚିତ୍ତରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ଫେରିଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ଗେଟ୍ ବନ୍ଦ ରଖିଥିଲା। ଗେଟ୍ ଖୋଲିବା ପାଇଁ ଚିତ୍ତରଞ୍ଜନ ବାରମ୍ବାର ତାଙ୍କ ଗାଡ଼ିର ହର୍ଣ୍ଣ ମାରିଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ଆସି ନଥିଲା। ଶେଷରେ ତାଙ୍କର ଜଣେ ବନ୍ଧୁ ପାଚେରୀ ଡେଇଁ ସିକ୍ୟୁରିଟି ଗାର୍ଡକୁ ଡାକିଥିଲେ ଏବଂ ସେ ଗେଟ୍ ଖୋଲିଥିଲା। ଗେଟ୍ ଖୋଲିବାରେ ବିଳମ୍ବ ହେବାକୁ ନେଇ ଚିତ୍ତରଞ୍ଜନ ଏବଂ ସିକ୍ୟୁରିଟି ଗାର୍ଡ ମଧ୍ୟରେ ସାମାନ୍ୟ କଥା କଟାକଟି ହୋଇଥିଲା। ସିକ୍ୟୁରିଟି ଗାର୍ଡକୁ ତାଗିଦ କରି ଚିତ୍ତରଞ୍ଜନ ଚାଲିଯିବା ପରେ ଘଟିଥିଲା ଏହି ଅଘଟଣ।

‘‘ମୁଁ ରାତିରେ ଆସି ଗେଟ୍ ବାଡେଇଲି। ହେଲେ ସିକ୍ୟୁରିଟି ଗାର୍ଡ ଶୋଇ ପଡ଼ିଥିଲା। ଏହାକୁ ନେଇ ମୁଁ ବିରକ୍ତି ହୋଇ ତାକୁ ତାଗିଦ କରିଥିଲି। ଠିକଠାକ୍ ଡ୍ୟୁଟି କରେ ବୋଲି କହି ପଳାଇଥିଲି। କିଛି ସମୟ ପରେ ଲୋକଙ୍କ ହୋ ହଲ୍ଲା ଶୁଣି ତଳକୁ ଆସିଲି। ଦେଖିଲା ବେଳକୁ ଗାଡ଼ି ଜଳୁଛି’’, କହିଛନ୍ତି ଚିତ୍ତରଞ୍ଜନ ଦାସ।

କେମିତି ଲଗାଇଲା ନିଆଁ?

ସିକ୍ୟୁରିଟି ଗାର୍ଡ ରୋଷେଇ କରିବା ପାଇଁ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ପକ୍ଷରୁ ଦିଆଯାଇଥିଲା ଗ୍ୟାସ ସିଲିଣ୍ଡର ଏବଂ ଚୂଲା। ଏଥିରେ ରୋଷେଇ କରି ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଖାଇଥାନ୍ତି। ହେଲେ ଏହି ସିଲିଣ୍ଡରକୁ ଅସ୍ତ୍ର କରି ସିକ୍ୟୁରିଟି ଗାର୍ଡ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଆପାର୍ଟମେଣ୍ଟବାସୀ ଅଭିଯୋଗ କରିଛନ୍ତି।

ରୋଷେଇ ଘରୁ ଗ୍ୟାସ ସିଲିଣ୍ଡର ପାଇପ୍ କାଟି ଆଣି ବେସ୍‌ମେଣ୍ଟ ପାର୍କିଂରେ ଥିବା ଗାଡ଼ିରେ ସେ ନିଆଁ ଲଗାଇ ଦେଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ନିଆଁ ଲଗାଇଦେବା ପରେ ସିକ୍ୟୁରିଟି ଗାର୍ଡ ଫେରାର ହୋଇଯାଇଥିବା ଆପାର୍ଟମେଣ୍ଟବାସୀ ଅଭିଯୋଗ କରିଛନ୍ତି।

‘‘ଆମେ ରାତି ସାଢ଼େ ୧୧ଟାରେ ଆପାର୍ଟମେଣ୍ଟକୁ ଫେରିଥିଲୁ। ଗେଟ୍ ବାହାରେ ରହି କିଛି ସମୟ ହର୍ଣ୍ଣ ମାରିବା ପରେ ସିକ୍ୟୁରିଟି ଗାର୍ଡ ଆସି ଗେଟ୍ ଖୋଲିଥିଲା। ସାଢ଼େ ୧୨ଟା ବେଳକୁ ଥାର୍ଡ ଫ୍ଲୋରରେ ରହୁଥିବା ଚିତ୍ତରଞ୍ଜନ ଦାସ ଆପାର୍ଟମେଣ୍ଟକୁ ଆସିଥିଲେ। କିନ୍ତୁ ସିକ୍ୟୁରିଟି ଗାର୍ଡ ଗେଟ୍ ଖୋଲିବାରେ ବିଳମ୍ବ କଲା। ଏହାକୁ ନେଇ ସିକ୍ୟୁରିଟି ଗାର୍ଡ ଏବଂ ଚିତ୍ତରରଞ୍ଜନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ରାଗରେ ସିକ୍ୟୁରିଠି ଗାର୍ଡ ତାଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥାଇପାରେ’’, କହିଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା ଅଞ୍ଜଳିକା ପଣ୍ଡା।

ହେରିଟେଜ ଆପାର୍ଟମେଣ୍ଟର ଉପ-ସଭାପତି ଚିତ୍ତରଞ୍ଜନ ମହାନ୍ତି କହିଛନ୍ତି, ‘‘ଗାଦିବ୍ରହ୍ମ ସିକ୍ୟୁରିଟି ସଂସ୍ଥା ଆମ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରିବାର ଦାୟିତ୍ୱ ନେଇଛି। ପ୍ରତି ୭ ଦିନରେ ଥରେ ସେ ସିକ୍ୟୁରିଟି ଗାର୍ଡ ବଦଳାଇଥାଏ। ଶୁକ୍ରବାର ରାତିରେ ଯିଏ ଡ୍ୟୁଟିରେ ଥିଲା ସେ ନୂଆ। ତାର ଚାଲିଚଳନକୁ ଦେଖି ଆମେ ଗାର୍ଡ ବଦଳାଇବାକୁ ସିକ୍ୟୁରିଟି ସଂସ୍ଥାକୁ କହିଥିଲୁ। ହେଲେ ଅଭାବନୀୟ ଘଟଣା ଆମ ଆପାର୍ଟମେଣ୍ଟରେ ଗତକାଲି ରାତିରେ ଘଟିଛି।’’

ସୁରକ୍ଷିତ ଆପାର୍ଟମେଣ୍ଟବାସୀ

ହେରିଟେଜ ଆପାର୍ଟମେଣ୍ଟରେ ୨ଟି କାର୍ ଏବଂ ୪ଟି ବାଇକ ଜଳି ଯାଇଛି। ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆପାର୍ଟମେଣ୍ଟବାସୀ। ଗାଡିଗୁଡ଼ିକ ହୁତ୍ ହୁତ୍ ହୋଇ ଜଳିବାରୁ ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଗାଡ଼ିଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଥିଲା। ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହେବା ପରେ ପୋଲିସ ମାମଲାର ତନାଘନା ଚଳାଇଛି।

Comment