ମିନତି ମିଶ୍ର

ବିଗୁଡୁଛି ଭାରତ-କାନାଡା ସମ୍ପର୍କ। ଖାଲିସ୍ତାନ ସମର୍ଥକ ହରିଦୀପ ସିଂହ ନିଜ୍ଜର ହତ୍ୟା ମାମଲାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି କୂଟନୈତିକ ତିକ୍ତତା ଦେଖାଦେଇଛି। କାନାଡା ସରକାର ଏହି ହତ୍ୟା ଘଟଣାରେ ଭାରତୀୟ ହାଇକମିଶନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ଦାୟୀ କରିଛନ୍ତି। ଭାରତ ସରକାର ଏହାକୁ ନେଇ କାନାଡାର କଡ଼ା ସମାଲୋଚନା କରିବା ସହ ଏହାର ଦୃଢ଼ ଜବାବ ଦେଇଛନ୍ତି। 

ଭାରତ-କାନାଡା ମଧ୍ୟରେ ଯେଉଁ ରାଜନୈତିକ ଉତ୍ତେଜନା ଦେଖା ଦେଇଛି, ତାହା କାନାଡାରେ ରହୁଥିବା ଭାରତୀୟ ବ୍ୟକ୍ତି ଓ ସେଠାରେ ପଢୁଥିବା ଭାରତର ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖା ଦେଇଛି।

ସାଂଘାତିକ ଅଭିଯୋଗ ଆଣିଲା କାନାଡା

ହରିଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ସାମିଲ ଅଛନ୍ତି ବୋଲି କାନାଡା ସରକାର ଅଭିଯୋଗ କରିଛନ୍ତି। ମାମଲାରେ ତାଙ୍କୁ ‘ପର୍ସନ ଅଫ ଇଣ୍ଟରେଷ୍ଟ’ କହିଛି କାନାଡା। ଏହାକୁ ଦୃଢ଼ ବିରୋଧ କରିଛି ଭାରତ। କାନାଡା ଭାରତର ଜଣେ ରାଷ୍ଟ୍ରଦୂତଙ୍କୁ ଏପରି କହିବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛି ଭାରତ।

ଏହାପରେ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କିଛି କୂଟନୀତିଜ୍ଞଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଭାରତ। ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କାନାଡା ରାଷ୍ଟ୍ରଦୂତଙ୍କ ସହ ୬ ଜଣଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦେଖି ଭାରତ ସରକାର କାନାଡାର ରାଷ୍ଟ୍ରଦୂତଙ୍କ ସମେତ ୬ ଜଣ କୂଟନୀତିଜ୍ଞଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୯ ତାରିଖ ରାତି ୧୨ଟା ସୁଦ୍ଧା ସେମାନଙ୍କୁ ସମୟ ଦିଆଯାଇଛି।

ସେମାନଙ୍କ ମଧ୍ୟରେ ଭାରତରେ କାନାଡାର କାର୍ଯ୍ୟକାରୀ ହାଇକମିଶନର ଷ୍ଟିୱର୍ଟ ରସ୍ ହ୍ୱିଲର, ଡେପୁଟି ହାଇକମିଶନର ପ୍ୟାଟ୍ରିକ୍ ହେବର୍ଟ, ଫାର୍ଷ୍ଟ ସେକେଟ୍ରାରୀ ମୈରୀ କୈଥରିନ୍ ଜୋଲି, ଫାର୍ଷ୍ଟ ସେକ୍ରେଟାରୀ ଲୈନ ରସ୍ ଡେଭିଡ୍ ଟ୍ରାଇଟ୍ସ, ଫାର୍ଷ୍ଟ ସେକ୍ରେଟାରୀ ପାଉଲ ଓରଜୁଏଲାଙ୍କ ନାଁ ସାମିଲ ରହିଛି। 

କାନାଡା ପୋଲିସର ବିବାଦୀୟ ବୟାନ

ଏସବୁ ଘଟଣା ମଧ୍ୟ ଆଉ ଏକ ବିବାଦୀୟ ବୟାନ ଦେଇଛି କାନାଡା ପୋଲିସ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି ଭାରତୀୟ ଏଜେଣ୍ଟ କାନାଡାରେ କାମ କରୁଛନ୍ତି ବୋଲି ପୋଲିସ ଅଭିଯୋଗ ଆଣିଛି। ଭାରତ ସରକାରଙ୍କ ଏଜେଣ୍ଟମାନେ ଲରେନ୍ସ ଗ୍ୟାଙ୍ଗ ସହ ମିଶି କାମ କରୁଛନ୍ତି ଏବଂ କାନାଡାରେ ଆତଙ୍କ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ବୋଲି ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସ ଅଭିଯୋଗ କରିଛି।

ଟାର୍ଗେଟରେ ରହିବେ ଭାରତୀୟ

ପ୍ରାୟ ୨୦ ଲକ୍ଷ ପ୍ରବାସୀ ଭାରତୀୟ କାନାଡାର ନାଗରିକ ରହିଛନ୍ତି। ସେମାନେ ଉଭୟ ଭାରତ ଓ କାନାଡାକୁ ଭଲ ପାଆନ୍ତି। ଦୁଇ ଦେଶ ମଧ୍ୟରେ ଏପରି ସ୍ଥିତିକୁ ଦେଖି ସେମାନେ ଚିନ୍ତାରେ ପଡିଛନ୍ତି। ଏଠି ପ୍ରଶ୍ନ, ଯଦି ଉତ୍ତେଜନା ଏମିତି ଲାଗି ରୁହେ ତେବେ କାନାଡାରେ ଥିବା ଭାରତୀୟଙ୍କର ଅବସ୍ଥା କ‘ଣ ହେବ? 

ପ୍ରଥମତଃ ଉଚ୍ଚଶିକ୍ଷା ପାଇଁ କାନାଡା ଯାଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦ୍ଵିତୀୟରେ ସେଠାରେ ଥିବା ହିନ୍ଦୁମାନଙ୍କ ଉପରେ ଖାଲିସ୍ତାନୀମାନଙ୍କ ଆତଙ୍କ ବୃଦ୍ଧି ପାଇପାରେ ଏବଂ ସେମାନେ ହିନ୍ଦୁ ମନ୍ଦିରକୁ ମଧ୍ୟ ଟାର୍ଗେଟ କରିବାର ସମ୍ଭାବନା ରହିଛି।

କେବେ ସୁଧୁରିବ ସମ୍ପର୍କ?

ଦୁଇ ଦେଶ ମଧ୍ୟରେ ସମ୍ପର୍କରେ କେବେ ସୁଧାର ଆସିବ, ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିବା ଯାଏଁ ଭାରତ-କାନାଡା ସମ୍ପର୍କରେ ସୁଧାର ଆସିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

କାନାଡାରେ ୨୦୨୫ ମସିହାରେ ନିର୍ବାଚନ ହେବ। ଦେଶରେ ଟ୍ରୁଡୋଙ୍କ ଲୋକପ୍ରିୟତା ଲଗାତାର ହ୍ରାସ ପାଇବାରେ ଲାଗିଛି। ସେଠାକାର ଅର୍ଥିକ ସ୍ଥିତି ବି ଠିକ୍ ନାହିଁ। ଏପରି ସ୍ଥିତିରେ କାନାଡାରେ ନୂଆ ଦଳ ସରକାର ଗଢ଼ିଲେ ଭାରତ-କାନାଡା ସମ୍ପର୍କରେ ସୁଧାର ଆସିବାର ସମ୍ଭାବନା ରହିଛି।

Tags: #India-CanadaRelations #DiplomaticTussle #KhalistanIssue #MinistryofExternalAffairs #India

LEAVE A REPLY

Please enter your comment!
Please enter your name here