ପୁଷ୍ପମିତ୍ର ମହାନ୍ତି
ଦେଶରେ ସୁଲଭ ଯାତ୍ରାର ବିକଳ୍ପ ବୃଦ୍ଧି ପାଇଁ ଭାରତୀୟ ରେଳବାଇ ନଭେମ୍ବର ଶେଷ ସୁଦ୍ଧା ୩୭୦ଟି ନିୟମିତ ଟ୍ରେନରେ ୧୦୦୦ରୁ ଅଧିକ ଦ୍ଵିତୀୟ ଶ୍ରେଣୀ (ଜେନେରାଲ) କୋଚ୍ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଦ୍ୱାରା ଦୈନିକ ଅତିରିକ୍ତ ୧ ଲକ୍ଷ ଯାତ୍ରୀ ଟ୍ରେନ୍ରେ ଯାତ୍ରା କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଏତଦ୍ବ୍ୟତୀତ ଭାରତୀୟ ରେଳବାଇର ଏହି ନିଷ୍ପତ୍ତି ସାଧାରଣ ବଗିଗୁଡ଼ିକରେ ଯାତ୍ରୀ ଭିଡ଼କୁ ହ୍ରାସ କରିବାର ସମ୍ଭାବନା ରହିଛି।
୨୦୨୫ ସୁଦ୍ଧା ନନ୍-ଏସି କୋଚ୍ ସଂପ୍ରସାରଣ
ଏହି ତୁରନ୍ତ ଉନ୍ନତୀକରଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ୨୦୨୫ ସୁଦ୍ଧା ୧୦ ହଜାର ଅଣ-ଏୟାର-କଣ୍ଡିସନ୍ (ନନ୍-ଏସି) କୋଚକୁ ବିଭିନ୍ନ ଟ୍ରେନରେ ଯୋଡ଼ିବାକୁ ଯୋଜନା ରଖିଛି। ସେଥିମଧ୍ୟରୁ ୬ ହଜାରରୁ ଅଧିକ ଜିଏସ୍ କୋଚ୍ ଥିବା ବେଳେ ବାକି ସ୍ଲିପର କୋଚ୍ ରହିବ। ଏହି ମହତ୍ୱାକାଂକ୍ଷୀ ସମ୍ପ୍ରସାରଣ ଯୋଜନା ଦ୍ୱାରା ଦୈନିକ ଯାତ୍ରୀ କ୍ଷମତା ୮ ଲକ୍ଷ ବୃଦ୍ଧି ପାଇବ ଏବଂ ଭାରତର ରେଳ ନେଟୱାର୍କକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ ବୋଲି ଆକଳନ କରାଯାଇଛି।
ସ୍ଵଚ୍ଛନ୍ଦ ଏବଂ ସୁଲଭ ଯାତ୍ରା ଉପରେ ଧ୍ୟାନ
ଏହି ନନ୍-ଏସି କୋଚ୍ ଗୁଡ଼ିକୁ ଯୋଡ଼ିବା ଯୋଜନା ଦ୍ୱାରା ଯାତ୍ରୀମାନଙ୍କ ପାଇଁ ସୁଲଭତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଭାରତୀୟ ରେଳବାଇର ସମର୍ପଣ ଭାବର ପ୍ରତିଫଳିତ ହୋଇଛି। ବିଶେଷ କରି ପର୍ବପର୍ବାଣୀ ଓ ଅନ୍ୟାନ୍ୟ ଉଚ୍ଚ ଚାହିଦାପୂର୍ଣ୍ଣ ଯାତ୍ରା ଋତୁ ସମୟରେ ଏହି ପ୍ରୟାସ ଅଧିକ ଆରାମଦାୟକ ଏବଂ କମ୍ ଜନଗହଳିପୂର୍ଣ୍ଣ ଯାତ୍ରାକୁ ସୁନିଶ୍ଚିତ କରିବ।
ଉନ୍ନତ ଯାତ୍ରୀ ସେବା ଦିଗରେ ଏକ ପଦକ୍ଷେପ
ତୁରନ୍ତ ଏକ ଲକ୍ଷ ଯାତ୍ରୀଙ୍କ ନିକଟରେ ଏହାର ଲାଭ ପହଂଚିବା ସହ ଭବିଷ୍ୟତରେ ଆହୁରି ଲକ୍ଷ ଲକ୍ଷ ଯାତ୍ରୀଙ୍କ ସେବା କରିବାର ସମ୍ଭାବନା ଥିବାରୁ ଏହି ବୃହତ ସ୍ତରର କୋଚ୍ ସମ୍ପ୍ରସାରଣ ଯାତ୍ରୀଙ୍କ ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଉଛି। ଭାରତୀୟ ରେଳବାଇ ଏହାର କ୍ଷମତା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରି, ରେଳ ବ୍ୟବସ୍ଥା ସାମଗ୍ରିକ ଯାତ୍ରୀ ସନ୍ତୋଷରେ ଉନ୍ନତି ଆଣିବା ଏବଂ ଯାତ୍ରାକୁ ସମସ୍ତଙ୍କ ପାଇଁ ଅଧିକ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।
Tags: #IndiaRailways #GeneralCoach #Passengers #Travel #India