ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡ଼ନାବିସ। ମୁମ୍ବାଇର ଆଜାଦ ମଇଦାନଠାରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ ଦେବେନ୍ଦ୍ର ଫଡ଼ନାବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଏହି ଅବସରରେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପଓ୍ଵାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ପୂର୍ବରୁ ଦେବେନ୍ଦ୍ର ଫଡ଼ନାବିସ ସିଦ୍ଧିବିନାୟକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ଦେବେନ୍ଦ୍ର ଫଡ଼ନାବିସ ତୃତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିଥିଲା। ବୁଧବାର ଦିନ ଅନୁଷ୍ଠିତ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଇଁ ଦେବେନ୍ଦ୍ର ଫଡନାବିସଙ୍କ ନାଁରେ ମୋହର ବାଜିଥିଲା।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଦେବେନ୍ଦ୍ର ଫଡନାବିସଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।

ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି।

Tags: #DevendraFadnavis #MaharashtraNewCM #OathTakingCeremony BJP #BJP #Mumbai

LEAVE A REPLY

Please enter your comment!
Please enter your name here