ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୮ ଘଣ୍ଟାର ସିକ୍ରେଟ୍‌ ଅପରେସନ ପରେ ବଦଳିଗଲା ମହାରାଷ୍ଟ୍ରର ଚିତ୍ର।

ଅକ୍ଟୋବର ୨୪ରୁ ନଭେମ୍ବର ୨୩। ୨୯ ଦିନର ଛକାପଞ୍ଝା ପରେ ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଗଠନ ହୋଇଛି। ହେଲେ ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ଯେଉଁଭଳି ସରକାର ଗଠନ କଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

୨୨ ତାରିଖ ରାତି ୧୨ଟା ଯାଏଁ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଥୟ ବୋଲି ବିଭିନ୍ନ ଟିଭି ଚ୍ୟାନେଲରେ ଖବର ଆସିଲା। କିନ୍ତୁ ସେହି ୨୨ ରାତିରେ ହିଁ ଗଣିତ ବଦଳିଗଲା। ୨୩ ତାରିଖ ସକାଳେ ସୁର୍ଯ୍ୟୋଦୟ ହେବା ପୂର୍ବରୁ ଦେବେନ୍ଦ୍ର ଫଡ୍‌ନାଭିସ୍‌ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ। ହେଲେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଯେମିତି ଆଡ଼ମ୍ବରପୂର୍ଣ୍ଣ ହେବା କଥା ତାହା ହୋଇ ନଥିଲା। କେବଳ ରାଜ୍ୟପାଳ, ରାଜଭବନର ସଚିବ ଏବଂ ଆଉ କିଛି ହାତଗଣତି କର୍ମଚାରୀଙ୍କୁ ଛାଡ଼ିଦେଲେ କାହାକୁ ଦେଖିବାକୁ ମିଳି ନଥିଲା।

ସବୁଠୁ ବଡ଼ କଥା ହେଉଛି ରାତାରାତି ସରକାର ଗଠନ ନିଷ୍ପତ୍ତି ହୋଇଥିବାରୁ କେହି ଜାଣିବାର ସୁଯୋଗ ନଥିଲା। ଏପରିକି ଯେଉଁ ଭୋଟର ଭୋଟ ଦେଇଥିଲେ ସେମାନେ ବି ଜାଣିପାରି ନଥିଲେ ତାଙ୍କ ମୁଖ୍ୟମନ୍ତ୍ରୀ ଭାବେ କିଏ ଶପଥ ନେଉଛନ୍ତି। ସକାଳୁ ଉଠିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇଥିଲା।

କେମିତି ଥିଲା ୨୨ ରାତିର ଗଣିତ?

ଦିନ ସାରା ନୂଆଦିଲ୍ଲୀରେ ଶିବସେନା-କଂଗ୍ରେସ-ଏନ୍‌ସିପିର ମାରାଥନ ଆଲୋଚନା ଚାଲିଲା। ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ସମେତ ୧୬ଟି ମନ୍ତ୍ରୀ ପଦ, ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ସମେତ ୧୪ଟି ମନ୍ତ୍ରୀ ପଦ ଏବଂ କଂଗ୍ରେସକୁ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ତାଲିକା ପ୍ରସ୍ତୁତ ହେଲା। ହେଲେ କଂଗ୍ରେସ ବାଚସ୍ପତି ପଦ ଅଡ଼ି ବସିବାରୁ ଏନେଇ କୌଣସି ସହମତି ହୋଇପାରିଲା ନାହିଁ।

ଶେଷରେ ୨୩ ତାରିଖକୁ ବୈଠକ ଘୁଞ୍ଚିଲା। ୨୩ ବୈଠକରେ ସବୁକିଛି ଚୂଡ଼ାନ୍ତ ହେବା ପରେ ସରକାର ଗଠନ ସମ୍ପର୍କରେ ଘୋଷଣା ହୋଇଥାନ୍ତା। ହେଲେ ୨୨ ରାତି ୧୧ଟା୪୫ରୁ ରାଜନୀତି ପାଣିପାଗ ବଦଳିଥିଲା। ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ ହେଲା। ୧୧ଟା୫୫ରେ ଫଡନାଭିସ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା କରିଥିଲେ। କେହି ଜାଣିବା ପୂର୍ବରୁ ଶପଥ ଗ୍ରହଣ ପାଇଁ ଅନୁମତି ମାଗିଲେ।

ରାତି ୧୨ଟା୩୦ରେ  ରାଜ୍ୟପାଳ ଦିଲ୍ଲୀ ଗସ୍ତ ବାତିଲ କଲେ। ୨ଟା୧୦ରେ ରାଷ୍ଟ୍ରପତି ଶାସନ ଉଠାଇବା ପାଇଁ ଗୃହ ସଚିବଙ୍କୁ କୁହାଗଲା। ସାଢ଼େ ଛ’ଟା ସୁଦ୍ଧା ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଗଲା। ସକାଳ ୫ଟା୩୦ରେ ଅଜିତ ଓ ଫଡନାଭିସ ରାଜଭାବନରେ ପହଁଚିଲେ। ୫ଟା୪୭ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠିଲା। ସକାଳ ୭ଟା୫୦ରେ ରାଜ୍ୟପାଳ କୋଶ୍ୟାରୀଙ୍କ ଦ୍ୱାରା ଶପଥ ପାଠ କରାଗଲା।

୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫଡ୍‌ନାଭିସ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ। ବିଭିନ୍ନ ଟିଭି ଚ୍ୟାନେଲରେ ମହାରାଷ୍ଟ୍ରରେ ସରକାର ଗଠନର ଖବର ଆସିଲା।

କାହିଁକି ଏହି ରାତି ଅଧିଆ ଅଭିଯାନ?

ମହାରାଷ୍ଟ୍ରରେ ସରକାର ଗଠନ ସମ୍ପର୍କରେ ସବୁ ଖବର ସିକ୍ରେଟ୍‌ ରହିଥିଲା। ଏପରିକି ମିଡିଆ ମଧ୍ୟ ସୁରାକ୍‌ ପାଇ ନଥିଲା। ବିଜେପିର ବହୁ ବରିଷ୍ଠ ନେତାମାନେ ବି ଟେର୍‌ ପାଇ ନଥିଲେ। ଏହି ସିକ୍ରେଟ୍‌ ଅପରେସନ୍‌ ସମ୍ପର୍କରେ ମୋଦୀ, ଅମିତ ଶାହ ଏବଂ ଫଡ୍‌ନାଭିସ୍‌ ଜାଣିଥିଲେ। କାରଣ ଅଧିକ ନେତା କିମ୍ବା ମିଡିଆ ଜାଣିଥିଲେ ଏହି ମିଶନ୍‌ ବିଜେପିର ସଫଳ ହୋଇପାରି ନଥାନ୍ତା।

ଶିବସେନା ସହ ମିଶି ବିଜେପି ସରକାର ଗଠନ କରିବାକୁ ଚାହୁଁଥିଲା। ସେଥିପାଇଁ ନିର୍ବାଚନ ପୂର୍ବରୁ ମେଣ୍ଟ ହୋଇଥିଲା। ନିର୍ବାଚନ ପରେ ଶିବସେନା ଫିପ୍ଟି-ଫିପ୍ଟି ପଲିସିକୁ ଜାବୁଡ଼ି ଧରିଲା। ହେଲେ ଏହି ପଲିସିରେ ବିଜେପି ରାଜି ନହେବାରୁ ମେଣ୍ଟ ଭାଙ୍ଗିଗଲା। ବିଜେପି ଏକାକୀ ସରକାର ଗଡ଼ କରିପାରିବ ନାହିଁ କହି ହାତ ଟେକିଦେଲା।

କିନ୍ତୁ ଶିବସେନା ମୁଣ୍ଡରୁ କ୍ଷମତା ନିଶା ଖସି ନଥିଲା। ସରକାର ଗଠନ ପାଇଁ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ଏନ୍‌ସିପି ସହ ବୁଝାମଣା କଲା ଶିବସେନା। ଶିବସେନାକୁ କଂଗ୍ରେସ ଓ ଏନ୍‌ସିପି ସମର୍ଥନ ଦେବାକୁ ରାଜି ହୋଇଥିଲେ। ହେଲେ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରିଲାନି। କାରଣ ବିଜେପି ‘କଂଗ୍ରେସମୁକ୍ତ ଭାରତ’ ଗଠନ କରିବାକୁ ୨୦୧୪ରୁ ଆହ୍ୱାନ ଦେଇ ଆସୁଛି। ମହାରାଷ୍ଟ୍ରରେ ଯଦି କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଠନ କରେ ତାହାଲେ ବିଜେପିକୁ ବଡ଼ ଝଟ୍‌କା ଲାଗିବ ବୋଲି କୁହାଗଲା।

ଏଣୁ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ବିଜେପି ପ୍ରଥମେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ମନେଇବାକୁ ଚେଷ୍ଟା କରିଥିଲା। ହେଲେ ଶରଦ ରାଜି ନହେବାରୁ ଏନ୍‌ସିପିକୁ ଭାଙ୍ଗିବା ପାଇଁ ଉଦ୍ୟମ ହେଲା। ରାତାରାତି ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ସହ ଡିଲ୍‌ ଫାଇନାଲ କଲା ବିଜେପି।

ଅଧିକ ପଢ଼ନ୍ତୁ:-

ମହାରାଷ୍ଟ୍ରରେ ବିଜେପିର ନୂଆ ଷ୍ଟ୍ରାଟେଜି – ବାଇ ‘ହୁକ୍ ଅର୍ କ୍ରୁକ୍’

ଏନ୍‌ସିପିର ବିଭୀଷଣ ଅଜିତ ପାୱାର?

Comment