ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିକୁ ରାତି ଅଧରେ ସମର୍ଥନ କରି ଅଡୁଆରେ ଅଜିତ ପାୱାର।

ରାଜନୀତିର ହାଇଭୋଲ୍‌ଟେଜ ଡ୍ରାମା ଦେଖିବାକୁ ଚାହୁଁଛନ୍ତି କି? ଯଦି ହଁ ତାହାଲେ ମହାରାଷ୍ଟ୍ର ଆସନ୍ତୁ। କାରଣ ଶୁକ୍ରବାର ରାତିରେ ମହାରାଷ୍ଟ୍ରରେ ଯାହା ଘଟିଗଲା ତାହା ବୋଧ ହୁଏ ଅତୀତରେ ଭାରତର ରାଜନୀତି ଇତିହାସରେ କେଉଁଠି କେବେ ଦେଖିବାକୁ ମିଳି ନଥିଲା। କ୍ଷମତା ପାଇଁ ନିଜ ଲୋକଙ୍କୁ ରାଜନୀତିରେ କିଭଳି ପର କରିଦିଆଯାଏ ତାହା କେବଳ ଶୁଣିବାକୁ ମିଳୁଥିଲା। ହେଲେ ମହାରାଷ୍ଟ୍ରରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି।

ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଜିତ ପାୱାର ନିଜ ଦାଦା ଶରଦ ପାୱାରଙ୍କୁ ପର କରିବାକୁ ପଛାଇ ନାହାନ୍ତି। ପୁରାଣରେ ବିଭୀଷଣ ଚରିତ୍ର ଯାହା ଥିଲା ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଭୂମିକା ତାହା ବୋଲି ଏବେ ଚର୍ଚ୍ଚା ହେଉଛି।

ଅଜିତ ପାୱାର ଏନ୍‌ସିପିର କେବଳ ବରିଷ୍ଠ ନେତା ନୁହନ୍ତି, ସେ ଏନ୍‌ସିପି ମୁଖିଆ ଶରଦ ପାୱାରଙ୍କ ପୁତୁରା। ୮୦ ଦଶକରେ ସକ୍ରିୟ ରାଜନୀତିରେ ପାଦ ଦେବା ପରେ ଅଜିତ ଦାଦା ଶରତଙ୍କ ପାଖେ ପାଖେ ସବୁବେଳେ ରହୁଥିଲେ। ଏନ୍‌ସିପି ଟିକେଟରେ ସେ ୭ ଥର ବିଧାୟକ ମଧ୍ୟ ରହି ଆସିଛନ୍ତି। ଏନ୍‌ସିପି କେମିତି ସୁଦୃଢ଼ ହେବ ସେଥିପାଇଁ ଶରଦଙ୍କ ସହ ମିଶି ଅଜିତ କାମ କରୁଥିଲେ। ୨୦୧୦ରେ କଂଗ୍ରେସ-ଏନ୍‌ସିପି ମେଣ୍ଟ ସରକାରରେ ଅଜିତ ଉପମୁଖ୍ୟମନ୍ତ୍ରୀ ରହିଥିଲେ। ଚଳିତ ନିର୍ବାଚନରେ ଏନ୍‌ସିପି ୫୪ଟି ଆସନ ପାଇବା ପରେ ଅଜିତ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଯେଉଁ ଅଜିତ ୮୦ ଦଶକରୁ ଆଜି ପର୍ଯ୍ୟନ୍ତ ଶରଦଙ୍କ କଥା ଶୁଣୁଥିଲେ ସେ କେମିତି ଗୃହଭେଦୀ କାମ କଲେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି।

ଆରମ୍ଭରୁ ଏନ୍‌ସିପି ଉପା ମେଣ୍ଟରେ ରହି ଆସିଛି। ଯେତେ ଥର ମହାରାଷ୍ଟ୍ରରେ ନିର୍ବାଚନ ହୋଇଛି ସେତେଥର ବିଜେପି ବିରୋଧରେ ନିର୍ବାଚନ ଲଢ଼ିଛି ବିଜେପି। ୨୦୧୯ରେ ବି ସେମିତି ହୋଇଥିଲା। ବିଜେପି-ଶିବସେନା ଏବଂ କଂଗ୍ରେସ-ଏନ୍‌ସିପି ମେଣ୍ଟ ଭିତରେ କଡ଼ା ଫାଇଟ୍‌ ହୋଇଥିଲା। ଶେଷରେ ବିଜେପି-ଶିବସେନା ମେଣ୍ଟ ବିଜୟୀ ହୋଇଥିଲା।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିଥିଲା। ପ୍ରାୟ ମାସେ ହେଲା ସରକାର ଗଠନକୁ ନେଇ ଛକାପଞ୍ଝା ଚାଲିଥିଲା। ସଂଖ୍ୟା ଗରିଷ୍ଠତା ନଥିବାରୁ ବିଜେପି ହାତ ଟେକି ଦେଇଥିଲା।  ଶିବସେନା ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିଲା।

ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ଏନ୍‌ସିପି ସହ କଥାବାର୍ତ୍ତା ଆରମ୍ଭ କରିଥିଲା ଶିବସେନା। ୧୫ ଦିନର ଆଲୋଚନା ପରେ ଗତ ୨୨ ତାରିଖରେ ଆଲୋଚନା ସଫଳ ହୋଇଥିଲା। ୨୩ ତାରିଖ ସକାଳେ ସରକାର ଗଠନ ସମ୍ପର୍କରେ ଘୋଷଣା ହୋଇଥାନ୍ତା। ଏ ଦିଗରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ନିର୍ଣ୍ଣାୟକ ଭୂମିକା ନେଇଥିଲେ। ହେଲେ ରାତି ୧୨ଟା ପରେ ସବୁକିଛି ବଦଳି ଯାଇଥିଲା।

ଏନ୍‌ସିପି ବିଧାୟକ ଦଳ ନେତା ତଥା ଶରଦ ପାୱାରଙ୍କ ପୁତୁରା ଗୃହଭେଦୀ କାମ କରିବାକୁ ପଛାଇ ନଥିଲେ। ଦାଦା ଶରଦଙ୍କ ଅଗୋଚରରେ ୨୨ ଜଣ ବିଧାୟକଙ୍କ ଦସ୍ତଖତ ନେଇ ବିଜେପି ସହ ଡିଲ୍‌ କରିଦେଲେ। ୨୩ ତାରିଖ ସକାଳ ହେଉ ହେଉ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ। ଯେଉଁ ଅଜିତଙ୍କୁ ଭରସା କରି ଶରଦ ପାର୍ଟି ଚଳାଇଥିଲେ ସେ ଅଧ ରାତିରେ ଏମିତି ଗୃହଭେଦୀ କାମ କରିବେ ବୋଲି ଶରଦ କେବେ ଭାବି ନଥିବେ।

ଅଜିତ ବିଜେପିକୁ ସମର୍ଥନ କରି କେବଳ ଏନ୍‌ସିପିରେ ଝଡ଼ ସୃଷ୍ଟି କରି ନାହାନ୍ତି, ପୂରା ପରିବାରରେ ଝଡ଼ ସୃଷ୍ଟି କରିଛନ୍ତି। ଏଣୁ ଶରଦ ପାୱାରଙ୍କ ଝିଅ ସୁପ୍ରିୟ ସୁଲେ ଟୁଇଟ୍‌ କରି କହିଛନ୍ତି, ‘‘ଦଳ ନୁହେଁ, ପୂରା ପରିବାର ଭାଙ୍ଗିଗଲା।’’

ଅଜିତଙ୍କ ସମେତ ଯେଉଁମାନେ ବିଜେପିକୁ ସମର୍ଥନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶରଦ ପାୱାର ଚେତାବନୀ ଦେଇଛନ୍ତି। ଏଣୁ ଅଜିତଙ୍କ ବିରୋଧରେ ବି ଶରଦ କାର୍ଯ୍ୟାନୁଷ୍ଠାନ ନେବେ। ଏଣୁ ଆଗକୁ ଦୁଇ ପାୱାର ଶରଦ ଓ ଅଜିତଙ୍କ ସମ୍ପର୍କ କି ମୋଡ଼ ନେବ ତାହା ଅପେକ୍ଷା କରି ଦେଖିବାର କଥା।

ଅଧିକ ପଢ଼ନ୍ତୁ:-

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏତେ ତରବର କାହିଁକି?

ମହାରାଷ୍ଟ୍ରରେ ବିଜେପିର ନୂଆ ଷ୍ଟ୍ରାଟେଜି – ବାଇ ‘ହୁକ୍ ଅର୍ କ୍ରୁକ୍’

Comment