ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ମହାନାଟକ ଶେଷ। ‘ହୁକ୍‌ ଅର୍‌ କ୍ରୁକ୍‌’ ପଲିସିରେ ମହାରାଷ୍ଟ୍ର ଦଖଲ କଲା ବିଜେପି।

ରାତାରାତି ସରକାର କେମିତି ଗଠନ କରାଯାଏ ତାହା ମହାରାଷ୍ଟ୍ର ରାଜନୀତିରୁ ଦେଖିବାକୁ ମିଳିଛି। ଆବଶ୍ୟକ ସଂଖ୍ୟକ ବିଧାୟକ ନଥାଇ ବିଜେପି ସରକାର ଗଠନ କରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। କଳ, ବଳ, କୌଶଳ ଖଟାଇ ବିଜେପି ମହାରାଷ୍ଟ୍ର ଦଖଲ କରିଛି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ମ୍ୟାଜିକ୍‌ ନମ୍ବର ହେଉଛି ୧୪୫। ହେଲେ ଏହି ସଂଖ୍ୟା କୌଣସି ଦଳ ପାଖରେ ନାହିଁ। ବିଜେପି ଯଦିଓ ଚଳିତ ନିର୍ବାଚନରେ ଅଧିକ ଆସନ ପାଇଛି, ହେଲେ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିଲେ। ହେଲେ ସରକାର ଗଠନ ପାଇଁ ଗୋଟି ଚାଳନା କରୁଥିଲେ ବିଜେପି ନେତା।

ବିଜେପିକୁ ଚେକ୍‌ ଦେବା ପାଇଁ ଶିବସେନା ମଧ୍ୟ ଗେମ୍‌ପ୍ଲାନ କରିଥିଲା। ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ୨୨ ତାରିଖ ରାତି ୧୨ଟା ଯାଏଁ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଥିଲା। ହେଲେ ରାତି ୧୨ଟା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା।

ଯେଉଁ ଏନ୍‌ସିପି ସହଯୋଗରେ ଶିବସେନା ସରକାର ଗଠନ ପାଇଁ ସବୁ ପ୍ରସ୍ତୁତି ଶେଷ କରିଥିଲା ସେହି ଏନ୍‌ସିପିରେ ମଧ୍ୟରାତିରେ ବିଭାଜନ ସୃଷ୍ଟି ହୋଇଥିଲା। ଏନ୍‌ସିପିର ବିଧାୟକ ଦଳ ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ମନାଇ ବିଜେପି ସରକାର ଗଠନ ପାଇଁ ଉଦ୍ୟମ କରିଥିଲା।

ସବୁଠୁ ବଡ଼ କଥା ହେଉଛି ସଂସଦର ଶୀତ ଅଧିବେଶନ ଆରମ୍ଭ ଦିନ ରାଜ୍ୟସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ସିପିକୁ ପ୍ରଶଂସା କରିଥିଲେ। ପ୍ରଶଂସା ମାଧ୍ୟମରେ ମୋଦୀ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏନ୍‌ସିପିର ସମର୍ଥନ ଲୋଡ଼ିଥିବା କୁହାଗଲା। ଏହାପରେ ନିଜେ ଶରଦ ପାୱାର ମୋଦୀଙ୍କୁ ଭେଟିଥିଲେ। ମୋଦୀ-ପାୱାରଙ୍କ ଭେଟ୍‌ଘାଟ୍‌କୁ ନେଇ ବି ରାଜନୀତିରେ ତାତି ଭରିଲା। ହେଲେ ମୋଦୀଙ୍କ ପ୍ରଶଂସା କାର୍ଡ ବୋଧ ହୁଏ କିଛି କାମ ଦେଲାନି। ଏଣୁ ଶିବସେନା-କଂଗ୍ରେସ-ଏନ୍‌ସିପି ମିଳିତ ହୋଇ ସରକାର ଗଠନ କରିବାକୁ ପ୍ରୟାସ ଆରମ୍ଭ କଲେ। ଏହି ମିଳିତ ସରକାର ଗଠନକୁ କେମିତି ରୋକାଯିବ ସେଥିପାଇଁ ୨୨ ତାରିଖ ରାତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା। ୨୩ ତାରିଖ ସକାଳେ ଏହି ମିଶନ ସଫଳ ହେଲା।

୨୨ ତାରିଖ ରାତି ୧୧ଟା୪୫ରେ  ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ ହେଲା। ୧୧ଟା୫୫ରେ ଫଡନାଭିସ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା କରିଥିଲେ। କେହି ଜାଣିବା ପୂର୍ବରୁ ଶପଥ ଗ୍ରହଣ ପାଇଁ ଅନୁମତି ମାଗିଲେ। ରାତି ୧୨ଟା୩୦ରେ  ରାଜ୍ୟପାଳ ଦିଲ୍ଲୀ ଗସ୍ତ ବାତିଲ କଲେ। ୨ଟା୧୦ରେ ରାଷ୍ଟ୍ରପତି ଶାସନ ଉଠାଇବା ପାଇଁ ଗୃହ ସଚିବଙ୍କୁ କୁହାଗଲା। ସାଢ଼େ ଛ’ଟା ସୁଦ୍ଧା ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଗଲା। ସକାଳ ୫ଟା୩୦ରେ ଅଜିତ ଓ ଫଡନାଭିସ ରାଜଭାବନରେ ପହଁଚିଲେ। ୫ଟା୪୭ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠିଲା। ସକାଳ ୭ଟା୫୦ରେ ରାଜ୍ୟପାଳ କୋଶ୍ୟାରୀଙ୍କ ଦ୍ୱାରା ଶପଥ ପାଠ କରାଗଲା।

ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଏତେ ତରବର ଭାବେ ଗଠନ କରାଗଲା ଯେ କେହି କିଛି ବୁଝି ପାରିଲେ ନାହିଁ। ମହାରାଷ୍ଟ୍ରର ଭୋଟର ବି ଜାଣିପାରିଲେ ନାହିଁ କିଏ ତାଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସରକାର ଗଠନ ପାଇଁ ବିଜେପି ଏତେ ତରବର କାହିଁକି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କେନ୍ଦ୍ରରେ ସରକାର ଗଠନ କରିଥିଲା। ସେବେଠାରୁ ବିଜେପି କେମିତି ସବୁ ରାଜ୍ୟରେ ସରକାର ଗଠନ କରିବ ସେନେଇ ରଣନୀତି ପ୍ରସ୍ତୁତ କରି ଆସୁଥିଲେ ଦଳର ଷ୍ଟ୍ରାଟେଜି ମେକର। ଏହି ଷ୍ଟ୍ରାଟେଜିରେ ବିଜେପି କିଛିଟା ସଫଳତା ହାସଲ କରିଥିଲା। ହେଲେ ପୂର୍ବ ଭାରତ ବିଜେପି ଖାତାକୁ ଆସିପାରି ନଥିଲା। ପଶ୍ଚିମବଙ୍ଗ, ଓଡ଼ିଶାରେ ବିାଜପି ସରକାର ପ୍ରତିଷ୍ଠା କରିବାକୁ ଉଦ୍ୟମ କରି ଫେଲ୍ ମାରିଥିଲା।

ଏହାସହ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଜେପି ହାତରୁ ଖସି ଯାଇଥିଲା। ଏଣୁ ବିଜେପିର ରଣନୀତିଜ୍ଞମାନେ ଚିନ୍ତାରେ ପଡ଼ିଥିଲେ। ମହାରାଷ୍ଟ୍ରରେ ଗତ ୫ ବର୍ଷ ହେଲା ବିଜେପି-ସେନା ସରକାର ଚାଲିଥିଲା। ଚଳିତ ନିର୍ବାଚନରେ ବି ବିଜେପି-ସେନା ମେଣ୍ଟ ବିଜୟୀ ହୋଇଥିଲେ। ହେଲେ ମୁଖ୍ରମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ଶିବସେନା ବିଜେପିଠାରୁ ଦୂରେଇ ଥିଲା। ହେଲେ ମହାରାଷ୍ଟ୍ରକୁ ହାତରୁ ଖସାଇବାକୁ ଚାହୁଁ ନଥିଲା ବିଜେପି। ଶେଷରେ ‘ହୁକ୍‌ ଅର୍‌ କ୍ରୁକ୍‌’ ପଲିସିରେ ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଗଠନ ହୋଇଛି।

ଅଧିକ ପଢ଼ନ୍ତୁ:-

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏତେ ତରବର କାହିଁକି?

ଏନ୍‌ସିପିର ବିଭୀଷଣ ଅଜିତ ପାୱାର?

Comment