ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେରୁ ଅଧିକ ସମୟ ଅଛି। ତା’ ପୂର୍ବରୁ ପାଓ୍ଵାର ପରିବାରରେ ପାଓ୍ଵାର ପଲିଟିକ୍ସ ମହାରାଷ୍ଟ୍ର ସମେତ ଦିଲ୍ଲୀକୁ ବି ଆଲର୍ଟ କରିଦେଇଛି।

ରାଜତନ୍ତ୍ର ହେଉ କି ଗଣତନ୍ତ୍ର ସବୁବେଳେ କ୍ଷମତାସୀନମାନେ ନିଜ କ୍ଷମତା ହସ୍ତାନ୍ତର କରିବା ସମୟରେ ସବୁବେଳେ ନିଜ ପରିବାରର ସଦସ୍ୟଙ୍କ କଥା ଚିନ୍ତା କରନ୍ତି। କିନ୍ତୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ଦ୍ଵନ୍ଦ୍ଵ ସୃଷ୍ଟି ହୁଏ। ଶରଦ ପାଓ୍ଵାର ଏନ୍‌ସିପି ମୁଖ୍ୟ ପଦରୁ ଇସ୍ତଫା ଦେଇସାରିବା ପରେ ସେମିତି ଏକ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ପାଓ୍ଵାର ପରିବାରର ଏହି ଦ୍ଵନ୍ଦ୍ଵକୁ ନେଇ ମହାରାଷ୍ଟ୍ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା ଉପରେ ଦିଲ୍ଲୀର ବି ନଜର ରହିଛି।

ଅଜିତ ପାଓ୍ଵାର ଓ ସୁପ୍ରିଆ ସୁଲେ। ଜଣେ ଶରଦଙ୍କ ପୁତୁରା ଆଉ ଜଣେ ଝିଅ। କେହି ଖୋଲା ଖୋଲି କହି ନଥିଲେ ମଧ୍ୟ ଉଭୟଙ୍କର କ୍ଷମତା ଲିପ୍ସା ରହିଛି। ରାଜନୀତିରେ ଏ ସବୁ ସ୍ଵାଭାବିକ। କିନ୍ତୁ ଶରଦ ପାଓ୍ଵାରଙ୍କ ପାଇଁ ଏହି ସ୍ଵାଭାବିକ ପ୍ରସଙ୍ଗ ଅଡୁଆ ସୃଷ୍ଟି କରିଛି। ଅବଶ୍ୟ ଶରଦ ବହୁତ ଚତୁର, କିନ୍ତୁ ଅଜିତଙ୍କ ବାର୍ଗେନିଂ ପଲିଟିକ୍ସ ଆଗରେ ଶରଦଙ୍କ ପଦକ୍ଷେପ କ’ଣ ହେବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ବିଜେପି ପ୍ରତି ଅଜିତଙ୍କର ଦୁର୍ବଳତା ରହିଛି। ଆଦର୍ଶଗତ ମେଳ କିମ୍ବା ତଦନ୍ତର ଭୟ ପାଇଁ ଅଜିତ ବିଜେପି ପ୍ରତି ଆକର୍ଷିତ ହେବା ସ୍ପଷ୍ଟ ନୁହେଁ। ସୁପ୍ରିୟାଙ୍କର ମୂଳକୁ କଂଗ୍ରେସ ପ୍ରତି ଆକର୍ଷଣ ରହିଛି। ଦଳର ବରିଷ୍ଠ ନେତାମାନେ ସୁପ୍ରିୟାଙ୍କ ସପକ୍ଷରେ ବାହାରିଥିବା ବେଳେ ଅଜିତଙ୍କ ସପକ୍ଷରେ ଏ ପର୍ଯ୍ୟନ୍ତ କେବଳ ସେ ନିଜେ ଅଛନ୍ତି। ଶରଦ ପାଓ୍ଵାର ଇସ୍ତଫା ଦେବା ପରେ ସମସ୍ତେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଅଜିତ ହିଁ ଏକୁଟିଆ ଯିଏ ଏହ ପ୍ରସଂଗରେ ନୀରବ ରହିଥିଲେ।

ବ୍ଲାକମେଲିଂ ଓ ବାର୍ଗେନିଂ ଉଭୟ ଅଜିତଙ୍କ କଳା। ଦଳ ଭିତରେ ବି କାମ କରାଇବା ପାଇଁ ସେ ଦାଦା ଅଜିତ ପାଓ୍ଵାରଙ୍କ ସହ ଏମିତି ବାରମ୍ବାର କରି ଆସିଛନ୍ତି। ଦୀର୍ଘ ଦିନ ଧରି ଏନ୍‌ସିପି ମୁଖିଆ ପଦବୀ ଉପରେ ଆଖି ପକାଇଥିବା ଅଜିତଙ୍କ ଚାପ ପାଇଁ ଶରଦ ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ଆଲୋଚନା ହେଉଛି।

ଅଜିତଙ୍କୁ ପାଣେ ଦେବା ପାଇଁ ଶରଦ ଏମିତି ନିଷ୍ପତ୍ତି ନେଇଥିବା ମଧ୍ୟ କୁହାଯାଉଛି। ଯଦି କମିଟି ସୁପ୍ରିୟାଙ୍କ ନାମକୁ ଚୂଡ଼ାନ୍ତ କରେ ତେବେ ଅଜିତ ଖୋଲାଖୋଲି କିଛି ବିଦ୍ରୋହ କରିପାରିବେ ନାହିଁ। ଆଉ ବିଜେପି ସହ ମିଶି ଯଦି କିଛି କରିବାକୁ ଚାହିଁବେ ତେବେ ଏନ୍‌ସିପିର ଶୃଙ୍ଖଳା କମିଟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିପାରିବ।

ଅଜିତ ଓ ବିଜେପି

୨୦୧୯ ନିର୍ବାଚନ ପୂର୍ବରୁ ଅଜିତ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ଲୋକଲୋଚନରୁ ଦୂରେଇଯାଇଥିଲେ। ଠିକ୍ ଏହା ପୂର୍ବରୁ କୋଅପରେଟିଭ ବ୍ୟାଙ୍କ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାମ ଯୋଡ଼ି ଥିଲା। ଚାପରେ ପଡ଼ିଯାଇଥିଲେ ଅଜିତ। ଯାହାର ଫଳ ଦେଖିବାକୁ ମିଳିଥିଲା ନିର୍ବାଚନ ଫଳାପଳ ପରେ।

ଶିବସେନା-ବିଜେପି ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତି ନ ହେବାରୁ ଏହ ମେଣ୍ଟ ସରକାର କରିପାରିନଥିଲା। ଏକକ ଦଳ ଭାବେ ମଧ୍ୟ କେହି ସରକାର କରି ପାରିନଥିଲେ। ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ମହାରାଷ୍ଟ୍ରରେ। କିନ୍ତୁ ଅଜିତଙ୍କ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡ଼ନାଭିସ। ଅଜିତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ଅଜିତଙ୍କର ଏହି ସମର୍ଥନ ତାଙ୍କର ବ୍ୟକ୍ତିଗତ ବୋଲି କହିବା ସହ ଏଥିରେ ଏନ୍‌ସିପିର କିଛି ସମର୍ଥନ ନାହିଁ ବୋଲି ଶରଦ ପାଓ୍ଵାର କହିଥିଲେ। ପରେ ସମର୍ଥନ ଯୋଗାଡ଼ ହେବା ଅସମ୍ଭବ ଅନୁଭବ କରିବା ପରେ ଉଭୟ ଦେବେନ୍ଦ୍ର ଓ ଅଜିତ ଇସ୍ତଫା ଦେଇଥିଲେ। ପରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମିଳିତ ଭାବେ ସରକାର କରିଥିଲେ। ଅବଶ୍ୟ ପରେ ଶିବସେନାରେ ବିଦ୍ରୋହ ଯୋଗୁଁ ଏହି ସରକାର ଭାଙ୍ଗିଯାଇଥିଲା ଓ ବିଜେପି ସହଯୋଗରେ ବିଭାଜିତ ଶିବସେନା ଗୋଷ୍ଠୀ ସରକାର କରିଥିଲା।

ଅଜିତଙ୍କ ଏତେ ବଡ଼ କାଣ୍ଡ ପରେ ବି ପୁତୁରାକୁ କ୍ଷମା କରିବାକୁ ବାଧ୍ୟ ହୋଇଥିଲେ ଶରଦ। ଶିବସେନା, ଏନ୍‌ସିପି ଓ କଂଗ୍ରେସର ମିଳିତ ସରକାରରେ ବି ଅଜିତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ସବୁବେଳେ କ୍ଷମତା ମୋହରେ ଥିବା ଅଜିତ ପୁଣି ବିଜେପିର ନିକଟତର ହେବା ନେଇ ଚର୍ଚ୍ଚା ହୋଇଥିଲା।

ଦାଦା ଯେମିତି ପୁତୁରା ସେମିତି

ଦାଦା ଶରଦ ପାଓ୍ଵାର ଯେମିତି ରାଜନୀତି କରୁଥିଲେ, ଠିକ୍ ସେମିତି କରିବାକୁ ଚାହୁଁଛନ୍ତି ଅଜିତ। କାରଣ ଦଳ ବିରୋଧରେ ଯିବା ବି ଶରଦଙ୍କର ଗୁଣ ଥିଲା।

କଂଗ୍ରେସ ଥିବା ବେଳେ ବାରମ୍ବାର କଂଗ୍ରେସକୁ ଅଡୁଆରେ ପକାଇବା ଭଳି ନିଷ୍ପତ୍ତି ନେଉଥିଲେ ଶରଦ। ସୋନିଆଙ୍କୁ ବିରୋଧ କରି ଏନ୍‌ସିପି ଗଠନ କରିଥିଲେ। ପରେ ୟୁପିଏ ସରକାରରେ ଭଲ ମନ୍ତ୍ରୀ ପଦ ପାଇବା ପାଇଁ ଅଭିମାନ ରାଜନୀତି ବି କରିଥିଲେ।

ୟୁପିଏ ମେଣ୍ଟରେ ଥାଇ ମଧ୍ୟ ବିଜେପି ସରକାର ସପକ୍ଷରେ ମତ ଦେଇ ମେଣ୍ଟକୁ ବାରମ୍ବାର ଅଡୁଆରେ ପକାଇଛନ୍ତି ଶରଦ। ଅଜିତ ବି ତାଙ୍କ ରାସ୍ତାରେ ଯାଇ ଶରଦଙ୍କଠାରୁ କାମ ହାସଲ କରିଛନ୍ତି ଓ ଆଗକୁ ମଧ୍ୟ ହାସଲ କରିବେ ବୋଲି ସେ ଆଶାରେ ଅଛନ୍ତି।

ବାରମ୍ବାର ସେ ବ୍ଲାକମେଲିଂ କରି ତାଙ୍କ ଇଛା ପୂରଣ କରିଛନ୍ତି। ଶିବସେନା-କଂଗ୍ରେସ-ଏନ୍‌ସିପି ସରକାର ଭାଙ୍ଗିଗଲା ପରେ ମଧ୍ୟ ଅଜିତ ବିରୋଧୀ ଦଳ ନେତା ପଦ ହାସଲ କରିବାରେ ସଫଳ ହୋଇଥିଲେ। ବିରୋଧୀ ଦଳ ନେତା ଭାବେ ଯେମିତି ବିରୋଧ କରିବା କଥା ସେମିତି କରୁ ନଥିବା ମଧ୍ୟ ତାଙ୍କ ବିରୋଧରେ ଦଳ ଭିତରୁ ଅଭିଯୋଗ ରହିଛି। କାରଣ ଇଡି ତଦନ୍ତର ଭୟ ତାଙ୍କ ଭିତରେ ଥିବାରୁ ସେ ବିଜେପି ପ୍ରତି ନରମ ଆଭିମୁଖ୍ୟ ଦେଖାଉଛନ୍ତି ବୋଲି ବିରୋଧୀଦଳର ଅନେକ ବିଧାୟକ ବାରମ୍ବାର କହିଛନ୍ତି।

ରାଜନୀତି ସମୀକ୍ଷକଙ୍କ ମତରେ ନିକଟ ଭବିଷ୍ୟତରେ ମହାରାଷ୍ଟ୍ର ବିଧାୟକ ପଦ ରଦ୍ଦ ମାମଲାର ରାୟ ଆସିବାର ସମ୍ଭାବନା ରହିଛି। ଅଜିତଙ୍କ ଅନୁମାନ ସେହି ବିଧାୟକମାନଙ୍କ ପଦ ରଦ୍ଦ ହୋଇଗଲେ ଅଜିତ ସମର୍ଥନ ଯୋଗାଇବେ। କିନ୍ତୁ ଶରଦ ବିଜେପି ସହ ମେଣ୍ଟ କରିବେ ନାହିଁ ବୋଲି ଆଦର୍ଶରେ ଅଟଳ ଥିବାରୁ ଅଜିତଙ୍କ ପାଇଁ ଆନୁଷ୍ଠାନିକ ଭାବେ ଏହା ସମ୍ଭବ ନୁହେଁ। କିନ୍ତୁ ସେ ଯଦି ଏନ୍‌ସିପି ମୁଖ୍ୟ ହୁଅନ୍ତି ତେବେ ଦଳରେ ଏ ନେଇ ସହମତି ସୃଷ୍ଟି କରାଇ ପାରିବେ ବୋଲି ଯୋଜନାରେ ଅଛନ୍ତି। ସେଥିପାଇଁ ଶରଦଙ୍କ ଇସ୍ତଫା ନିଷ୍ପତ୍ତିକୁ ସେ ବିରୋଧ କରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

କିନ୍ତୁ ଅନେକ ଅନୁଭବୀ ରାଜନେତାଙ୍କ କହିବା କଥା ଶରଦ ରାଜନୀତି ଦୃଷ୍ଟିରୁ ଅତି ବିଚକ୍ଷଣ। ଏତେ ଶୀଘ୍ର ତାଙ୍କ ଆଦର୍ଶ ବିରୋଧରେ କିଛି ଘଟିବା ଭଳି ସେ ହେବାକୁ ଦେବେ ନାହିଁ। ହୁଏତ ଅନେକ ଅନୁରୋଧ ପରେ ପୁଣି ସେ ନିଜ ପଦବୀକୁ ଫେରିପାରନ୍ତି କିମ୍ବା ସୁପ୍ରିୟାଙ୍କୁ ଅଧ୍ୟକ୍ଷ କରାଇଲେ ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବାରେ ତାଙ୍କୁ କିଛି ଅସୁବିଧା ହେବ ନାହିଁ।­

Tags: #Politics #MaharastraPolitics #NCP #PowerPolitics #SaradPawar #AjitPawar #SupriyaSule

Comment