ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କ୍ରମାଗତ ଭାବେ ଏକାଦଶଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍‌। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶରେ ମୁଦ୍ରାସ୍ଫୀତିର ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଦେଶରେ ‘ରେପୋ’ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ।

ବୁଧବାର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ୩ ଦିନିଆ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ଦେଶର ଆର୍ଥିକ ସ୍ଥିତକୁ ନେଇ ବିଭିନ୍ନ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।   

ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଏହା ପୂର୍ବରୁ ୨୦୨୩ ଫେବ୍ରୁଆରି ମାସରେ ଶେଷ ଥର ପାଇଁ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢ଼ିଥିଲା।

ଦେଶରେ ଆର୍ଥିକ ସ୍ଥିତି ତଥା ମୁଦ୍ରାସ୍ଫୀତିର ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ପ୍ରତି ଦୁଇ ମାସରେ ବୈଠକ ଅନୁଷ୍ଠିତ ହୋଇଥାଏ। ଏଠାରେ ରେପୋ ରେଟ୍ ଓ ଅନ୍ୟାନ୍ୟ ବ୍ୟାଙ୍କ ଦରକୁ ନେଇ ନିଷ୍ପତ୍ତି ନିଆଯାଏ। ଏହାପରେ ୨୦୨୫ ଫେବ୍ରୁଆରି ମାସରେ କମିଟିର ପରବର୍ତ୍ତୀ ବୈଠକ ବସିବ।

ରେପୋ ରେଟ୍ ଓ ରଭର୍ସ ରେପୋ ରେଟ୍ କ’ଣ?

ରେପୋ ରେଟ୍ ହେଉଛି ଏକ ପ୍ରକାର ସୁଧହାର, ଯାହାକୁ ଆଧାର କରି ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡିକୁ ଋଣ ଦେଇଥାଏ। ଯେତେବେଳେ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡିକଠାରୁ ଟଙ୍କା ଅଣେ, ତାହାର ସୁଧହାରକୁ ରିଭର୍ସ ରେପୋ ରେଟ୍ କୁହାଯାଏ। ଦେଶର ଆର୍ଥିକ ଅବସ୍ଥାକୁ ସୁଦୃଢ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ପନ୍ଥା ଆପଣେଇ ଥାଏ, ସେଥିମଧ୍ୟରୁ ଏହି ରେପୋ ରେଟ୍ ଓ ରଭର୍ସ ରେପୋ ରେଟ୍ ହେଉଛି ଦୁଇଟି ମୁଖ୍ୟ ଉପାୟ।

ଯେତେବେଳେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଏ ସେତେବେଳେ ରିଜର୍ଭ ବ୍ୟାଙ୍କ ଏହାକୁ କମ୍ କରିବା ପାଇଁ ରେପୋ ରେଟ୍ ବୃଦ୍ଧି କରିଥାଏ। ସେହିଭଳି ଭାବେ ଯେତେବେଳେ ମୁଦ୍ରାସ୍ଫୀତି କମିଥାଏ ବା ସ୍ଥିର ରହେ ସେତେବେଳେ ରିଜର୍ଭ ବ୍ୟାଙ୍କ ତରଫରୁ ଦେଶରେ ଆର୍ଥିକ କାରବାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରେପୋ ରେଟ୍ କମ୍ କରିଥାଏ। ଏହାଦ୍ଵାରା ସାଧାରଣ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣିବା ଶସ୍ତା ପଡ଼େ, ଯାହାର ଫାଇଦା ପରବର୍ତ୍ତୀ ସମୟରେ ସାଧାରଣ ଲୋକମାନଙ୍କୁ ମିଳିଥାଏ।

Tags: #RBI #Reporate #Inflation #MonetaryPolicyCommitte #India

Comment