ମିନତି ମିଶ୍ର
ଆମ ଦେଶରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ଜମି କିଣିବା ତଥା ଘର କରିବା ଏକ ପ୍ରକାର ସ୍ୱପ୍ନ। ଘରଟିଏ କରିବାକୁ ହେଲେ ନିଜର ସବୁ ସମ୍ବଳ ଖଟେଇବାକୁ ପଡ଼ିଥାଏ। ଆଉ ଯଦି ସନ୍ତାନକୁ ଉଚ୍ଚଶିକ୍ଷା ଦେବାର ଥାଏ ତେବେ ଘର କରିବା ଏକପ୍ରକାର ଅସମ୍ଭବ ହୋଇପଡ଼େ। ତେବେ ବିଶ୍ଵରେ ଏପରି ଏକ ଦେଶ ଅଛି ଯେଉଁଠି ଲୋକଙ୍କୁ ଘର ପାଇଁ ଜମି ମାଗଣାରେ ମିଳେ। ସେତିକି ନୁହେଁ ଏଠି ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଜୁଳି ସବୁକିଛି ମାଗଣା।
ଏହି ଦେଶ ଭାରତର ଖୁବ ନିକଟତର ତଥା ଆମର ପଡ଼ୋଶୀ। ଏଠାରେ ଆପଣ ଭିକାରୀ କେଉଁଠି ପାଇବେନି। କେହି ଜଣେ ବି ଏଠି ବାସହୀନ ନାହାଁନ୍ତି। ପ୍ରତ୍ୟେକ ଲୋକଙ୍କ ପାଖରେ ଘର ଅଛି। ଏହାର ପ୍ରକୃତିକ ସୌନ୍ଦର୍ଯ୍ୟ ସ୍ଵର୍ଗର ଭ୍ରମ ସୃଷ୍ଟି କରିଥାଏ। ଏହି ସୁନ୍ଦର ଦେଶର ନାଁ ହେଉଛି ଭୁଟାନ। ଆସନ୍ତୁ ଜାଣିବା ଭୁଟାନ ବିଷୟରେ କିଛି ରୋଚକ କଥା।
ଭୁଟାନର ଲୋକଙ୍କ ଜୀବନ ଖୁବ ଖୁସିରେ କଟିଥାଏ। ଦେଶର ସରକାରୀ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଚିକିତ୍ସା ସେବା ଏବଂ ଔଷଧ ମିଳିଥାଏ। ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଗଲେ, ସରକାର ବିଦେଶରେ ଚିକିତ୍ସା ବ୍ୟବସ୍ଥା କରାଇଥାନ୍ତି, ତାହା ପୁଣି ମାଗଣାରେ। ଜାଣି ଆଶ୍ଚର୍ଯ୍ୟ ହେବେ ଏସବୁ ସୁବିଧା ଭୁଟାନର ରାଜା ଯୋଗାଇଥାନ୍ତି।
ଭୁଟାନରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ସବୁ ମାଗଣାରେ ଉପଲବ୍ଧ। ସରକାରୀ ସ୍କୁଲ କଲେଜରେ ଟିଉସନ ଫି ସମ୍ପୂର୍ଣ୍ଣ ଛାଡ଼। ବିଶେଷ କ୍ଷେତ୍ରରେ ସରକାର ବିଦେଶରେ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦେବାର ପ୍ରାବଧାନ ବି ରଖିଛନ୍ତି।
ଗ୍ରାମାଞ୍ଚଳରେ ଘରୋଇ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବି ଯୋଗାଇ ଦେଉଛନ୍ତି ଭୁଟାନ ସରକାର। ଚାଷୀଙ୍କୁ ମଞ୍ଜି, ବିହନ ଓ ଅନ୍ୟାନ୍ୟ ଉପକରଣ ବି ମାଗଣାରେ ଯୋଗାଇ ଦିଆଯାଇଥାଏ ।
ଏ ଦେଶରେ ଖୁସି ମନ୍ତ୍ରାଳୟ
ଭୁଟାନରେ ଏକ ଖୁସି ମନ୍ତ୍ରାଳୟ ରହିଛି। ଏହି ବିଭାଗରେ ସମସ୍ତ ଘରୋଇ ଖୁସିର ମୂଲ୍ୟାଙ୍କନ କରାଯାଇଥାଏ। ଏଠାରେ ୨୦୦୮ ମସିହାରେ ଶାନ୍ତି ରକ୍ଷା ପାଇଁ ସକଳ ରାଷ୍ଟ୍ରୀୟ ଖୁସି ସମିତି ଗଠନ କରାଯାଇଥିଲା। ଏପରକି ଏଠାରେ ଜନଗଣନା ପ୍ରଶ୍ନାବଳୀରେ ଏକ ସ୍ତମ୍ଭ ରହିଛି। ସେଥିରେ ଜଣେ ନିଜ ଜୀବନରେ ସନ୍ତୁଷ୍ଟ କି ନୁହେଁ ତାହା ଉଲ୍ଲେଖ କରିପାରିବେ।
ଭୁଟାନରେ କୌଣସି ବ୍ୟକ୍ତି କେବେ ରାସ୍ତାକଡ଼ରେ ରହିବା ବା ଶୋଇବା ଦେଖିବାକୁ ମିଳିବନି, କାରଣ ଏଠି ସମସ୍ତଙ୍କ ପାଖରେ ଘର ଅଛି। ଯଦି ବି କେହି ବାସହୀନ ହୋଇଯାଏ, ତେବେ ସେ ରାଜାଙ୍କ ପାଖରେ ପହଞ୍ଚି ଗଲେ ଜମି ମିଳିବା ନିଶ୍ଚିତ। ଭୁଟାନର ଲୋକ ନିଜକୁ ସବୁବେଳେ ଖୁସି ଓ ସନ୍ତୁଷ୍ଟ ରଖିଥାନ୍ତି।
ସବୁଠୁ ପଛରେ ଟେଲିଭିଜନ ବ୍ୟବହାର କରିଥିବା ଦେଶ
ଭୁଟାନରେ ଟିଭି, ଇଣ୍ଟରନେଟ ଅଛି। ହେଲେ ବହୁତ ଦିନ ଧରି ଏଠାରେ ଏହି ସେବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଏହାଦ୍ୱାରା ବିଦେଶୀ ସଂସ୍କୃତି ଏଠାକୁ ଆସିବ ବୋଲି ଧାରଣା ଥିଲା। ଆଉ ଏପରି ହେଲେ ଭୁଟାନ ଲୋକଙ୍କ ମାନସିକତା ତଥା ଜୀବନଶୈଳୀ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ୧୯୯୯ ମସିହାରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା। ଭୁଟାନ ଏମିତି ଏକ ଦେଶ ଯେଉଁଠି ସବୁଠାରୁ ପଛରେ ଟେଲିଭିଜନ ବ୍ୟବହାର ହୋଇଥିଲା।
କାନ୍ଧର ଉତ୍ତରୀୟରେ ସାମାଜିକ ପରିଚୟ
ଭୁଟାନର ପୁରୁଷ ଓ ମହିଳା ଲମ୍ବା ଲମ୍ବା ପୋଷାକ ପିନ୍ଧନ୍ତି। ଜଣେ ବ୍ୟକ୍ତିଙ୍କର ସାମାଜିକ ସ୍ଥିତି କ’ଣ ତାହା ସେମାନଙ୍କ ବାମ ପଟ କାନ୍ଧରେ ପଡ଼ିଥିବା ଉତ୍ତରୀୟର ରଙ୍ଗରୁ ଜାଣିହୁଏ। ସାଧାରଣ ଲୋକେ କାନ୍ଧରେ ଧଳା ରଙ୍ଗର ଉତ୍ତରୀୟ ପକାଇଥାନ୍ତି। ସମ୍ଭ୍ରାନ୍ତ ତଥା ବଡ଼ ପଦବୀରେ ଥିବା ଲୋକେ ହଳଦିଆ ରଙ୍ଗର ଉତ୍ତରୀୟ ପକାଇଥାନ୍ତି।
ଭୁଟାନ ବିଶ୍ଵର ସମ୍ପୂର୍ଣ୍ଣ ଅଲଗା ଦେଶ ଭାବେ ପରିଚିତ ଥିଲା। ୧୯୭୦ରେ ପ୍ରଥମଥର ପାଇଁ ଏହି ଦେଶକୁ ବିଦେଶୀ ପର୍ଯ୍ୟଟକ ଆସିବା ପାଇଁ ଅନୁମତି ମିଳିଥିଲା। ହେଲେ ଏବେ ଭୁଟାନ ଦ୍ରୁତ ଗତିରେ ପରିବର୍ତ୍ତନ ମୁହାଁ ହୋଇଛି। ରାଜଧାନୀ ଥେମ୍ପୁରେ ସ୍ମାର୍ଟଫୋନ ବହୁଳ ବ୍ୟବହାର ହେଉଛି। ଏଠାରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ମାର୍ଟଫୋନର ଦ୍ରୁତ ପ୍ରସାର ହୋଇଥିଲା ଏବଂ ସୋସିଆଲ ମିଡିଆକୁ ସହଜରେ ଗ୍ରହଣ କରି ନେଇଥିଲେ। ଏପରିକି ଫ୍ୟାସନ ରୁଚିରେ ଏବେ ବଡ଼ ପରିବର୍ତ୍ତନ ଆସିଛି।
ପରିବେଶ ପ୍ରେମୀ ଭୁଟାନବାସୀ
ପରିବେଶ ସୁରକ୍ଷା କ୍ଷେତ୍ରରେ ଭୁଟାନବାସୀ ବେଶ ସଚେତନ। ୧୯୯୯ ମସିହାରୁ ଏଠାରେ ପ୍ଲାଷ୍ଟିକ ବ୍ୟାଗ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାସହ କୃଷି କ୍ଷେତ୍ରରେ ରାସାୟନିକ ସାର ପ୍ରୟୋଗ ଉପରେ କଟକଣା ଲାଗୁ କରାଯାଇଛି। ଏଠାରେ ମାଦକଦ୍ରବ୍ୟ ସମ୍ପୂର୍ଣ୍ଣ ବେଆଇନ।
ଅତି ସୁନ୍ଦର ପ୍ରାକୃତିକ ପରିବେଶର ଭରଭୂର ହୋଇଥିଲେ ହେଁ ଏହି ଦେଶକୁ ଖୁବ କମ ପର୍ଯ୍ୟଟକ ଆସିଥାନ୍ତି। କାରଣ ଏଠାରେ ଅଧିକ ପର୍ଯ୍ୟଟକ ଆସିବା ଉପରେ କଟକଣା ଜାରି କରାଯାଇଛି। ବୃକ୍ଷ ରୋପଣ ଉପରେ ଏଠାରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ। ୨୦୧୫ରେ ଏଠାରେ ଏକ ଘଣ୍ଟାରେ ୫୦ ହଜାର ଗଛଲଗାଇ ବୃକ୍ଷ ରୋପଣରେ ରେକର୍ଡ ସୃଷ୍ଟି କରାଯାଇଥିଲା।
ଭାରତ କରେ ଭୁଟାନର ରକ୍ଷା
ଭୁଟାନର ସେନାବାହିନୀ ଅଛି, ହେଲେ ନୌସେନା କି ବାୟୁ ସେନା ନାହିଁ। ଭୁଟାନର ପ୍ରତିରକ୍ଷା ଓ ବିଦେଶ ନୀତି କ୍ଷେତ୍ରରେ ଭାରତ ବଡ଼ ଭୂମିକା ଗ୍ରହଣ କରିଥାଏ। ଭାରତୀୟ ସେନାର ଯବାନମାନେ ଏହି ଦେଶର କିଛି ଅଂଶରେ ସୀମା ସୁରକ୍ଷା କରିଥାନ୍ତି।
Tags: #Bhutan #HappiestCountry #EnvironmentalProtection #People