ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏଥିପାଇଁ  ୧୩୭ ବିଲିୟନ ଡଲାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଚୀନର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା ଏବଂ ୨୦୩୫ ପର୍ଯ୍ୟନ୍ତ ଏହାର ଦୀର୍ଘମିଆଦୀ ବିକାଶ ରଣନୀତିର ଏକ ଅଂଶ। ୟାର୍ଲୁଙ୍ଗ ସାଙ୍ଗପୋ ନଦୀର (ବ୍ରହ୍ମପୁତ୍ରର ତିବ୍ବତୀୟ ନାମ) ତଳ ମୁଣ୍ଡରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ଡ୍ୟାମ୍ ପୃଥିବୀର ସର୍ବବୃହତ ଭିତ୍ତିଭୂମି ପ୍ରକଳ୍ପ ହେବାକୁ ଯାଉଛି। ଏହା ଭାରତ ଓ ବାଂଲାଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

ପ୍ରକଳ୍ପର ଅବସ୍ଥିତି 

ଏହି ଡ୍ୟାମ୍ ହିମାଳୟର ଏକ ଗଭୀର ଘାଟିରେ ନିର୍ମାଣ କରାଯିବ। ଯେଉଁଠାରେ ବ୍ରହ୍ମପୁତ୍ର ଏକ ନାଟକୀୟ ୟୁ-ଟର୍ଣ୍ଣ ନେଇ ଭାରତର ଅରୁଣାଚଳ ପ୍ରଦେଶରେ ପ୍ରବେଶ କରି ବାଂଲାଦେଶକୁ ପ୍ରବାହିତ ହେଉଛି ସେହିଠାରେ ଏହି ଡ୍ୟାମ୍ ପ୍ରସ୍ତାବିତ ହୋଇଛି। ଟେକ୍ଟୋନିକ୍ ପ୍ଲେଟ୍ ସୀମାରେ ଅବସ୍ଥିତ ଥିବାରୁ ଏହି ସ୍ଥାନ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ। 

ଏହି ପ୍ରକଳ୍ପରେ ସମୁଦାୟ ପୁଞ୍ଜି ନିବେଶ ଏକ ଟ୍ରିଲିୟନ ୟୁଆନ୍ (୧୩୭ ବିଲିୟନ ଡଲାର) ଅତିକ୍ରମ କରିଛି। ଯାହା କି ବର୍ତ୍ତମାନ ଚୀନ୍‌ରେ ଥିବା ବିଶ୍ୱର ସର୍ବବୃହତ ‘ଥ୍ରୀ ଗୋର୍ଜେସ’ ଡ୍ୟାମଠାରୁ ମଧ୍ୟ ବଡ଼ ହେବ। ଏଠାରେ ବାର୍ଷିକ ୩୦୦ ବିଲିୟନ କିଲୋୱାଟରୁ ଅଧିକ ବିଦ୍ୟୁତ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଯାହା ୩୦୦ ନିୟୁତ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ।

ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ଏବଂ ନିରାପତ୍ତା

ଭୂକମ୍ପ ଜନିତ ସକ୍ରିୟ ଅଞ୍ଚଳରେ ଏହାର ଅବସ୍ଥିତି ହେତୁ ଏହି ଡ୍ୟାମ୍ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତିବ୍ଦତୀୟ ମାଳଭୂମିରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହୁଏ। ଯାହା ଡ୍ୟାମର ଢାଞ୍ଚାଗତ ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇଛି। ତେବେ ଏହି ପ୍ରକଳ୍ପ ପରିବେଶ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଉଛି ବୋଲି ଚୀନ୍ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବ୍ୟାପକ ଭୂତାତ୍ତ୍ୱିକ ଅନୁସନ୍ଧାନ ଏବଂ ବୈଷୟିକ ଅଗ୍ରଗତି ଏହି ପ୍ରକଳ୍ପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛି। ଏହି ଡିଜାଇନରେ ଭୂମିକମ୍ପ ବିପଦକୁ ହ୍ରାସ କରିବା ପାଇଁ ପଦକ୍ଷେପକୁ ଅନ୍ତର୍ଭୁକ୍ତ କରାଯାଇଛି।

ରଣନୈତିକ ଏବଂ ପରିବେଶ ପ୍ରଭାବ
ବ୍ରହ୍ମପୁତ୍ର ନଦୀରେ ପ୍ରସ୍ତାବିତ ଏହି ଡ୍ୟାମ ଉଭୟ ଭାରତ ଓ ବାଂଲାଦେଶ ପାଇଁ ଚିନ୍ତା ବଢ଼ାଇଛି। ଭାରତ ଆଶଙ୍କା କରୁଛି ଯେ ଏହି ଡ୍ୟାମ୍ ଚୀନକୁ ବ୍ରହ୍ମପୁତ୍ର ନଦୀରେ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବାରେ ସକ୍ଷମ କରିବ। ଏଥିସହ ତଳ ମୁଣ୍ଡରେ ଜଳ ଉପଲବ୍ଧତାକୁ ପ୍ରଭାବିତ କରିବାର ସମ୍ଭାବନା ମଧ୍ୟ ରହିଛି। ଶତ୍ରୁତା ସମୟରେ ଚୀନ୍ ଡ୍ୟାମ୍‌ ଦେଇ ବିପୁଳ ପରିମାଣର ପାଣି ଛାଡିପାରେ, ଯାହା ଫଳରେ ସୀମାନ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଏହାର ଜବାବରେ ଭାରତ ଅରୁଣାଚଳ ପ୍ରଦେଶରେ ବ୍ରହ୍ମପୁତ୍ର ନଦୀ ଉପରେ ଏକ ଡ୍ୟାମ୍ ନିର୍ମାଣ କରୁଛି। ଉଭୟ ଦେଶ ୨୦୦୬ ମସିହାରେ ଏକ୍ସପର୍ଟ ଲେଭେଲ ମେକାନିଜିମ୍ (ଇଏଲଏମ୍) ସମେତ ସୀମାପାର ନଦୀଗୁଡ଼ିକର ତଥ୍ୟ ଆଦାନପ୍ରଦାନ ପାଇଁ ବ୍ୟବସ୍ଥା ପ୍ରଚଳନ କରିଛନ୍ତି।

ଏହି ଜଳ ବିଦ୍ୟୁତ ପ୍ରକଳ୍ପକୁ ଚୀନ୍ କମ୍ କାର୍ବନ ଉତ୍ସର୍ଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସବୁଜ ପଦକ୍ଷେପ ବୋଲି କହୁଛି। ଏହା ଆଖପାଖ ଅଞ୍ଚଳରେ ସୌର ଏବଂ ପବନ ଶକ୍ତିର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଏକ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମି ସୃଷ୍ଟି କରିବ ବୋଲି ଦାବି କରିଛି।

ଅର୍ଥନୈତିକ ଏବଂ ରଣନୈତିକ ଫାଇଦା

ଏହି ଡ୍ୟାମ୍ ତିବ୍ବତ ସ୍ୱୟଂଶାସିତ ଅଞ୍ଚଳ ପାଇଁ ବାର୍ଷିକ ୨୦ ବିଲିୟନ ୟୁଆନ୍ (୩ ବିଲିୟନ ଡଲାର) ଆୟ କରିବ ବୋଲି ଆକଳନ କରାଯାଇଛି। ଏହା ଦ୍ୱାରା ଇଞ୍ଜିନିୟରିଂ, ଲଜିଷ୍ଟିକ୍ସ ଏବଂ ବାଣିଜ୍ୟ ଭଳି ଶିଳ୍ପକୁ ପ୍ରୋତ୍ସାହନ ମିଳିବ। ନୂତନ ନିଯୁକ୍ତି ସୃଷ୍ଟି ହେବ ଏବଂ ଆଞ୍ଚଳିକ ଭିତ୍ତିଭୂମିରେ ଉନ୍ନତି ହେବ ବୋଲି ଆଶା କରାଯାଉଛି।

ଚୀନର ରାଷ୍ଟ୍ରାୟତ୍ତ ପାୱାର କନଷ୍ଟ୍ରକସନ କର୍ପୋରେସନ ୟାର୍ଲୁଙ୍ଗ ସାଙ୍ଗପୋ ନଦୀର ବିପୁଳ ଜଳ ବିଦ୍ୟୁତ ସମ୍ଭାବନା ଉପରେ ଆଲୋକପାତ କରିଛି। ଏହି ପ୍ରକଳ୍ପରେ ନାମଟା ବରୱା ପର୍ବତ ଦେଇ ୪ରୁ ୬ଟି ୨୦ କିଲୋମିଟର ଲମ୍ବର ସୁଡ଼ଙ୍ଗ ଖୋଳାଯିବ।

ଏହି ପ୍ରକଳ୍ପକୁ ଚୀନର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ଦକ୍ଷିଣ ଏସିଆ ସହ ସହଯୋଗ ବୃଦ୍ଧି କରିବାର ଏକ ପଦକ୍ଷେପ ଭାବରେ ଦେଖାଯାଉଛି। ଏହା କାର୍ବନ ନିରପେକ୍ଷତା ହାସଲ କରିବା ଏବଂ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଚୀନର ଲକ୍ଷ୍ୟ ସହିତ ଜଡ଼ିତ। 

ଆଞ୍ଚଳିକ ଓ ଆନ୍ତର୍ଜାତିକ ଚିନ୍ତା

ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ନଦୀ ବ୍ରହ୍ମପୁତ୍ର ତିବ୍ଦତ, ଭାରତ ଏବଂ ବାଂଲାଦେଶ ଦେଇ ପ୍ରବାହିତ ହେଉଛି। ଏହାର ପ୍ରବାହରେ କୌଣସି ପରିବର୍ତ୍ତନ ଏହା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଘାତକ ପରିଣାମ ଆଣିପାରେ।

ଚୀନର ଉଚ୍ଚାକାଂକ୍ଷୀ ବ୍ରହ୍ମପୁତ୍ର ଡ୍ୟାମ୍ ପ୍ରକଳ୍ପ ଏକ ବିରାଟ ଇଞ୍ଜିନିୟରିଂ ଏବଂ ଅର୍ଥନୈତିକ ପ୍ରୟାସକୁ ପ୍ରତିନିଧିତ୍ୱ କରୁଛି। ସ୍ୱଚ୍ଛ ଶକ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ସମେତ ଚୀନ୍ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଫାଇଦା ପ୍ରତିଶ୍ରୁତି ଦେଉଥିବାବେଳେ ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ଏହା ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

Tags: #BrahmaputraRiver #WorldsLargestDam #Tibet #China

LEAVE A REPLY

Please enter your comment!
Please enter your name here