ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନ ତାଲିବାନୀଙ୍କ ଦଖଲକୁ ଯିବା ଘଟଣାରେ ଯଦିଓ ଭାରତ ଏପର୍ଯ୍ୟନ୍ତ ବିଶେଷ କିଛି ପ୍ରତିକ୍ରିୟା ରଖିନାହିଁ, ତଥାପି ଏହି ଘଟଣାରେ ଭାରତ ହିଁ ସର୍ବାଧିକ କ୍ଷତି ସହିବା ସ୍ପଷ୍ଟ ଦେଖାଯାଉଛି।

୧୯୯୯ ମସିହା ବେଳକୁ ଆଫଗାନିସ୍ତାନ ତାଲିବାନ ଦଖଲରେ ଥିଲା। ସେହି ବର୍ଷ ଡିସେମ୍ବର ୨୪ ତାରିଖରେ ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦରରେ ଭାରତର ଏକ ବିମାନକୁ ଅପହରଣ କରାଯାଇଥିଲା। ଏଥିରେ ପାକିସ୍ତାନର ଆତଙ୍କୀ ସଂଗଠନର ସମ୍ପୃକ୍ତି ରହିଥିଲା। ତାଲିବାନ ସହାୟତାରେ ଆତଙ୍କୀମାନେ କାନ୍ଦାହାରଠାରେ ଭାରତର ବିମାନକୁ ଜରୁରିକାଳୀନ ଅବତରଣ କରିଥିଲେ। ଏପରିକି ତାଲିବାନୀ ସେନା ବିମାନକୁ ଚାରିପଟୁ ଘେରି କୌଣସି ଯାତ୍ରୀଙ୍କୁ ବାହାରକୁ ଆସିବାକୁ ଦେଇ ନଥିଲେ।ଅନେକ ରାଷ୍ଟ୍ର ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରିଥିଲେ। କିନ୍ତୁ ତତ୍କାଳୀନ ତାଲିବାନୀ ସରକାର ଏ ପ୍ରସଙ୍ଗରେ ପାକିସ୍ତାନକୁ ସାହାଯ୍ୟ କରିଥିଲେ। ତେଣୁ ଏହି ଘଟଣାରୁ ଭାରତ ସହ ସେତେବେଳର ତାଲିବାନୀ ଶାସିତ ଆଫଗାନିସ୍ତାନର ସଂପର୍କ ବିଷୟରେ ଆକଳନ କରାଯାଇପାରେ।

୨୦୦୧ ପରେ ଆଫଗାନିସ୍ତାନରୁ ତାଲିବାନୀ ଶାସନ ହଟିବା ପରେ ଭାରତ ଏବଂ ଆଫଗାନ ମଧ୍ୟରେ ଭଲ ସଂପର୍କ ପ୍ରତିଷ୍ଠା ହୋଇଥିଲା। ଏପରିକି ଆଫଗାନର ବିଭିନ୍ନ ପ୍ରକଳ୍ପରେ ଭାରତ ପୁଞ୍ଜି ନିବେଶ ମଧ୍ୟ କରିଛି। ହେଲେ ଏବେ ପୁଣିଥରେ ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବାପରେ ଆଫଗାନ ସହ ଭାରତର ସଂପର୍କ କଣ ରହିବ ତାହା ସବୁଠୁ ବଡ଼ ପ୍ରଶ୍ନ ଭାବେ ଠିଆ ହୋଇଛି।ଫାଇଦାରେ ପାକିସ୍ତାନ, ଚୀନ

ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ଏବେ ସବୁଠୁ ଅଧିକ ଫାଇଦା ହେବ ପାକିସ୍ତାନର। କାରଣ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତାଲିବାନ ସହ ହାତ ମିଳାଇ ଲଢ଼େଇରେ ସାମିଲ ହୋଇଥିଲା ଏବଂ ପାକିସ୍ତାନ ସେନା, ତାଲିବାନୀ କମାଣ୍ଡରଙ୍କୁ ତାଲିମ ଦେବା ସହ ଅନ୍ୟ ସମର୍ଥନ ମଧ୍ୟ ଯୋଗାଇ ଦେଇଥିଲା। ସେହିପରି ଚୀନ ମଧ୍ୟ ତାଲିବାନକୁ ଖୋଲା ସମର୍ଥନ କରିଛି। ତେଣୁ ଆଗାମୀ ଦିନରେ ଚୀନ, ପାକିସ୍ତାନ ଓ ଆଫଗାନିସ୍ତାନର ମେଣ୍ଟ ଭାରତ ପାଇଁ ବହୁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶେଷକରି ଜମ୍ମୁ-କଶ୍ମୀର ପ୍ରତି ବଡ଼ ବିପଦ ରହିଥିବା ଆଶଙ୍କା କରାଯାଉଛି।

ଭାରତର ଆଭିମୁଖ୍ୟ କ’ଣ ହେବ?

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଏବେ ଭାରତର ଆଭିମୁଖ୍ୟ କ’ଣ ହେବ ଓ ପଡ଼ୋଶୀ ଦେଶ ହିସାବରେ ଭାରତ ଉପରେ ଏହାର କ’ଣ ପ୍ରଭାବ ପଡିବ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହେବ। ତେବେ ଏହା ପୂର୍ବରୁ ପାକିସ୍ତାନର ଏକ ଗଣମାଧ୍ୟମକୁ ଜଣେ ତାଲିବାନୀ ମୁଖପାତ୍ର ଯାହା କହିଛନ୍ତି ତାହାର ସାର ମର୍ମ ହେଲା – ଭାରତ ଆଫଗାନିସ୍ତାନରେ ଚଲାଇଥିବା ସବୁ ଯୋଜନାକୁ ପ୍ରଥମେ ଶେଷ କରୁ।

ଆଫଗାନିସ୍ତାନରେ ପ୍ରାୟ ୧୭୦୦ ଭାରତୀୟ ରହୁଛନ୍ତି। ଏହାଛଡା ଭାରତ, ଆଫଗାନିସ୍ତାନର ବିଭିନ୍ନ ବିକାଶମୂଳକ ଯୋଜନାରେ ପ୍ରାୟ ୩ ବିଲିୟନ ଡଲାର ନିବେଶ କରିଛି। ଏହି ସବୁ ପ୍ରକଳ୍ପର ଭବିଷ୍ୟତ ଉପରେ ଏବେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି।ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତ ଦୁଇଟି ଦିଗ ଉପରେ ବିଚାର କରିପାରେ। ଭାରତ ପାଇଁ ପ୍ରଥମ ବିକଳ୍ପ ହେଲା, ଆଫଗାନିସ୍ତାନ ସହ ଭଲ ସମ୍ପର୍କ ରଖିବା। ଦ୍ୱିତୀୟ ବିକଳ୍ପ ହେଲା, ୯୦ ଦଶକରେ ଯାହା ଘଟିଥିଲା, ସେଥିଲାଗି ତାଲିବାନ ଶାସକଙ୍କ ସହ ଭାରତ ସମସ୍ତ ସମ୍ପର୍କ ଛିନ୍ନ କରିବ। ତେଣୁ ଭାରତର ଆଫଗାନିସ୍ତାନ ନୀତି ଯେ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଦେଇ ଗତି କରୁଛି ଏଥିରେ ଦ୍ଵିମତ ନାହିଁ।

Comment