ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତିକୁ ନେଇ ଏଯାଏଁ କେହି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। କୋଭିଡ-୧୯ ଭୂତାଣୁର ଉତ୍ପତ୍ତି ପ୍ରାକୃତିକ ନା କୃତ୍ରିମ ଏନେଇ ସମଗ୍ର ବିଶ୍ୱର ଲୋକେ ଅନ୍ଧାରରେ ରହିଛନ୍ତି। ତେବେ ଏହି ଭୂତାଣୁ କେଉଁଠାରୁ ଆସିଲା ଓ କେମିତି ଆସିଲା ସେ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବାବେଳେ, ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଏବେ ପୁଣି ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ମହାମାରୀର ରୂପ ନେଇଥିବା ଏହି ଭାଇରସ କୌଣସି ମାଛ ମାର୍କେଟରୁ ନୁହେଁ ବରଂ ଚାଇନାର ଉହାନରେ ଥିବା ଲ୍ୟାବରୁ ହିଁ ଲିକ୍‌ ହୋଇଥିଲା। ଆମେରିକାର ରିପବ୍ଲିକାନ୍ସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ପୂର୍ବରୁ ମଧ୍ୟ ଅନେକ ଥର ଚାଇନାର ଉହାନ ଲ୍ୟାବରୁ ଆସିଥିବା ରିପୋର୍ଟରେ କୁହାଯାଇଥିଲା।ରିପବ୍ଲିକାନ୍ସ ରିପୋର୍ଟରେ ଆମିଷ ବଜାରରୁ ଏହି ଭୂତାଣୁ ଉତ୍ପତ୍ତି ହୋଇଥିବା ଖବରକୁ ଖାରଜ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ସେପ୍ଟେମ୍ବର ପୂର୍ବରୁ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରୁ ଏହା ଲିକ୍ ହୋଇଥିଲା ଓ ଏହାର  ଯଥେଷ୍ଟ ପ୍ରମାଣ ରହିଛି। ଭୂତାଣୁ ଲିକ୍‌ ହେବାର ବହୁ ମାସ ପରେ ଏହି ଭାଇରସଟି ଲୋକ ଲୋଚନକୁ ଆସିଥିଲା। ୨୦୧୯ ମସିହା ସେପ୍ଟେମ୍ବର ମାସରେ ଏହା ଲିକ୍‌ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଉଛି। ଏହାପରେ ସମଗ୍ର ବିଶ୍ୱକୁ ଧୀରେ ଧୀରେ ବ୍ୟାପିଥିଲା।ପ୍ରାଥମିକ ଅବସ୍ଥାରେ ଏହାକୁ ଲୁଚାଇବାକୁ ଚୀନ ପକ୍ଷରୁ ଉଦ୍ୟମ କରାଯାଇଥିଲା ଯାହା କି ସମ୍ଭବ ହୋଇପାରି ନଥିଲା। ରିପବ୍ଲିକାନ୍ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ଯେଉଁ ଲ୍ୟାବରୁ ଏହା ଲିକ୍‌ ହୋଇଛି ସେଠାରେ ସୁରକ୍ଷା ପ୍ରୋଟୋକଲ ଠିକ୍ ନଥିଲା। ମଜା କଥା ହେଲା, ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ଉଭୟ ଆମେରିକା ଓ ଚାଇନା ସରକାର ଆର୍ଥିକ ସହାୟତା କରୁଥିଲେ। ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡା ଆନ୍ଥୋନୀ ଫସି ମଧ୍ୟ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ହଜାର ହଜାର ଡଲାରର ପାଣ୍ଠି ଯୋଗାଇ ଦିଆଯାଇଥିବା ସ୍ୱୀକାର କରିଥିଲେ।ମେ’ ମାସରେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକୁ କୋଭିଡ-୧୯ର ଉତ୍ପତ୍ତି ବିଷୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାର ଉତ୍ପତ୍ତି ବିଷୟରେ ପ୍ରକୃତ କାରଣ ଜାଣିବାର ଅଧିକାର ମଣିଷ ସମାଜର ରହିଛି ଏବଂ ସବୁ ଦେଶ ମିଶି ଏହି ଦାୟିତ୍ୱଟି ନିର୍ବାହ କରିବା ଦରକାର ଏବଂ କରୋନା ଭୂତାଣୁର ରହସ୍ୟ ଖୋଲିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comment