ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ୍‌ରେ ଆତଙ୍କ ଖେଳାଇଥିବା କରୋନାର ଓମିକ୍ରନ୍ ବିଏଫ୍‌.୭ ଭାରିଆଣ୍ଟ ଓଡ଼ିଶାରେ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ସଂପୃକ୍ତ ମହିଳାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଓ ଜିନ୍ ଅନୁଶୀଳନ ପରେ ତାଙ୍କଠାରେ ବିଏଫ୍‌.୭ ଭୂତାଣୁ ରହିଥିବା ନଜରକୁ ଆସିଛି। ଓଡ଼ିଶାରେ ଜଣେ ଓ ଗୁଜରାଟରେ ୨ଜଣଙ୍କୁ ମିଶାଇ ଦେଶରେ ସମୁଦାୟ ୩ଜଣ ବିଏଫ୍‌.୭ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ତେବେ ୩ମାସ ଭିତରେ ରାଜ୍ୟରେ ଆଉ କୌଣସି ବ୍ୟକ୍ତି ଏହି ନୂଆ ପ୍ରଜାତି ଭୂତାଣୁ‌ରେ ସଂକ୍ରମିତ ହୋଇ ନାହାନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସଂପୃକ୍ତ ମହିଳା ଜଣକ ସେପ୍ଟେମ୍ବର ମାସରେ ନିଜର ଆମେରିକା ଗସ୍ତ ପୂର୍ବରୁ କରୋନା ପରୀକ୍ଷା କରିଥିଲେ। ପରୀକ୍ଷା କରିବା ସମୟରେ ତାଙ୍କଠାରେ କୌଣସି ଲକ୍ଷଣ ନଥିଲା। ଏହି ନମୁନାକୁ ଆରଏମଆରସି ପଠାଯାଇଥିଲା। ପରେ ଜିନ୍ ଅନୁଶୀଳନ ହେବା ଦ୍ଵାରା ମହିଳାଜଣଙ୍କ ଠାରେ ବିଏଫ୍‌.୭ରେ ଭାରିଆଣ୍ଟ  ଥିବା ଜଣାପଡ଼ିଥିଲା। ଗତ ଅକ୍ଟୋବର ମାସରୁ ସେ ଓ ତାଙ୍କ ପରିବାର ଆମେରିକାରେ ଅଛନ୍ତି। ସେମାନଙ୍କ ନିକଟରେ ଏବେ ଫ୍ଲୁ ଭଳି କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।

ଚୀନ୍, ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ କୋଭିଡ ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ ସତର୍କ ରହିବା ଲାଗି ସବୁ ଜିଲ୍ଲା ସିଡିଏମ୍‌ଓ, ମେଡିକାଲ କଲେଜ ଅଧ୍ୟକ୍ଷ ଓ ସମସ୍ତ ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ଟେଷ୍ଟିଂ, ଟ୍ରାକିଂ, କଣ୍ଟାକ୍ଟ ଟ୍ରେସିଂ, ବୁଷ୍ଟର ଟିକା ଏବଂ ଅନ୍ୟାନ୍ୟ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Tags: #Covid-19 #OmicronBf.7variant #Traced #India #China #Odisha

LEAVE A REPLY

Please enter your comment!
Please enter your name here