ଓଡ଼ିଶାଲାଇଭ୍ ବ୍ୟୁରୋ

  • ତାଲିବାନ୍ କବ୍‌ଜାରେ ଆଫଗାନିସ୍ତାନ
  • ୨୦ ବର୍ଷ ପରେ ଆଫଗାନରେ ତାଲିବାନୀ ରାଜ୍
  • ତାଲିବାନ୍‌କୁ ଚୀନ ଓ ପାକିସ୍ତାନର ସମର୍ଥନ

ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ, ନୂଆ ଆଫଗାନିସ୍ତାନକୁ ସ୍ଵୀକୃତି ଦେବାକୁ ବିଶ୍ଵ ସମୁଦାୟଙ୍କୁ ଆହ୍ଵାନ ହେଇଛନ୍ତି। ତାଲିବାନ୍ ସରକାରକୁ ସବୁ ରାଷ୍ଟ୍ର ସମର୍ଥନ ଦିଅନ୍ତୁ ବୋଲି ସାମ୍ଵାଦିକ ସମ୍ମିଳନୀରେ ଆହ୍ଵାନ ଦେଇଛନ୍ତି ତାଲିବାନୀ ମୁଖପାତ୍ର। ହେଲେ ଆମେରିକା, ଭାରତ ସମେତ ବିଶ୍ଵର ଅନେକ ରାଷ୍ଟ୍ର ତାଲିବାନ୍ ସରକାରକୁ ସମର୍ଥନ କରିବାକୁ ଅମଙ୍ଗ ହୋଇଛନ୍ତି। କିନ୍ତୁ ତାଲିବାନୀମାନଙ୍କ ସମର୍ଥନରେ ବାହାରିଛି ଚୀନ୍ ଆଉ ପାକିସ୍ତାନ। ତେବେ ଚୀନ ଆଉ ପାକିସ୍ତାନ ତାଲିବାନକୁ ସମର୍ଥନ କରିବା, ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ତାଲିବାନ୍ ସହିତ ଉଭୟ ବନ୍ଧୁତ୍ଵ ଏବଂ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବା ପାଇଁ ଚୀନ ସରକାର ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛନ୍ତି ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁଇଙ୍ଗ। ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଆଫଗାନିସ୍ତାନରେ ତାଲିବାନ୍ ରାଜ୍‌କୁ ଆଫଗାନ୍ ନାଗରିକଙ୍କ ସ୍ଵାଧୀନତା ଫେରିଆସିଥିବା କହି ପରୋକ୍ଷରେ ତାଲିବାନକୁ ସମର୍ଥନ କରିଛନ୍ତି।

ନିବେଶ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେବ ଭାରତ

ଦୁଇ ଦଶନ୍ଧି ଧରି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବିଭିନ୍ନ ବ୍ୟବସାୟିକ ବୁଝାମଣା ରହିଛି। ଆଫଗାନିସ୍ତାନରେ ଭିତ୍ତିଭୂମି ପୁନର୍ଗଠନରେ ସହାୟତା ପ୍ରଦାନ କରିବା ପାଇଁ ୨୦୧୧ ମସିହାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ‘ଷ୍ଟ୍ରାଟେଜିକ ପାର୍ଟନରସିପ ଏଗ୍ରିମେଣ୍ଟ’ ସ୍ୱାକ୍ଷରିତ ହୋଇଥିଲା। ଫଳସ୍ୱରୂପ, ଭାରତ ସେଠାରେ ରାସ୍ତାଘାଟ, ନଦୀବନ୍ଧ, ବିଦ୍ୟୁତ ଲାଇନ, ସ୍କୁଲ, ହସ୍‌ପିଟାଲ ତଥା ବୈଷୟିକ ଓ ଅନ୍ୟାନ୍ୟ ତାଲିମ ପ୍ରଦାନ ବାବଦରେ ପ୍ରାୟ ୩୦୦ କୋଟି ଡଲାରର ସହାୟତା ପ୍ରଦାନ କରିଛି।ସେହିପରି ଆଫଗାନିସ୍ତାନର ୩୪ଟି ଯାକ ପ୍ରଦେଶରେ ଭାରତ ସହାୟତାରେ ପ୍ରାୟ ୪୦୦ଟି ପ୍ରକଳ୍ପ ରହିଛି। ଏଗୁଡ଼ିକ ମଧ୍ୟରେ ରହିଛି ହେରାତସ୍ଥିତ ସଲମା ଡ୍ୟାମ୍‌, ଇରାନ ସୀମାକୁ ଲାଗି ୨୧୮ କିଲୋମିଟର ଦୀର୍ଘ ଜାରଞ୍ଜ-ଡେଲାରାମ ହାଇୱେ, ଆଫଗାନିସ୍ତାନ ସଂସଦ ଭବନ ଇତ୍ୟାଦି। କାବୁଲକୁ ପିଇବା ପାଣି ଯୋଗାଇବା ପାଇଁ ଭାରତ ସହାୟତାରେ ସତୁତ ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଆଫଗାନରେ ଭାରତ ପ୍ରାୟ ୨୩ ହଜାର କୋଟି ଟଙ୍କାର ନିବେଶ କରିଛି। ଭାରତ ଭଳି ଚୀନ ମଧ୍ୟ ଆଫଗାନର ବିଭିନ୍ନ କ୍ଷେତ୍ରରେ ନିବେଶ କରିଛି। ତେଣୁ ଏବେ ଆଫଗାନରେ ତାଲିବାନ ସରକାରକୁ ଭାରତ ସ୍ଵୀକୃତି ନ ଦେବା ଆଗକୁ ଭାରତ ପାଇଁ ନିବେଶ କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଅନ୍ୟପଟେ ଚୀନ ତାଲିବାନକୁ ସମର୍ଥନ ଦେଇ ଭାରତ ନିବେଶକୁ ବନ୍ଦ କରିବାରେ ଆଫଗାନ ସରକାରଙ୍କୁ ଉସୁକାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଫଳରେ ଭାରତ ନିବେଶ କ୍ଷେତ୍ରରେ ବହୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ଭାରତ ସୀମାରେ ପାକିସ୍ତାନର ଭୟ ବଢ଼ିବ

ପାକିସ୍ତାନର ପଡ଼ୋଶୀ ରାଷ୍ଟ୍ର ହେଉଛି ଆଫଗାନିସ୍ତାନ। ଭାରତର ମଧ୍ୟ ଏହା ପାଖ ପଡ଼ୋଶୀ ରାଷ୍ଟ୍ର। ହେଲେ ପାକିସ୍ତାନ ସବୁବେଳେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ ଦେଇଆସିଛି। ତାଲିବାନକୁ ମଧ୍ୟ ପାକିସ୍ତାନର ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ଭବିଷ୍ୟତରେ ପାକିସ୍ତାନ ତାଲିବାନୀ ସହାୟତାରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅଞ୍ଚଳରେ ବିଶୃଙ୍ଖଳା ଘଟାଇପାରେ। ବିଶେଷ କରି ଜମ୍ମୁ-କଶ୍ମୀରକୁ ଭାରତ ସରକାର କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ପରଠାରୁ ପାକିସ୍ତାନ ଅଧିକ ଉତ୍ତେଜିତ ହୋଇଉଠିଛି। ଭାରତକୁ କାଉଣ୍ଟର କରିବା ପାଇଁ ଭଲ ମଉକାର ଅପେକ୍ଷାରେ ରହିଛି ପାକିସ୍ତାନ।

ପୂର୍ବରୁ ତାଲିବାନକୁ ପାକିସ୍ତାନର ଆଇ.ଏସ.ଆଇ. ଓ ସେନା ସହାୟତା ପ୍ରଦାନ କରି ଆସୁଛନ୍ତି। ତେଣୁ ଆଫଗାନିସ୍ତାନରେ ପାକିସ୍ତାନ ପସନ୍ଦର ଏକ ସରକାର ପ୍ରତିଷ୍ଠା ହେଲେ ତାହା ଭାରତକୁ ନିଶ୍ଚିତ ଅଡୁଆରେ ପକାଇବ। କାହିଁକି ନା ଅତୀତରେ ଆଫଗାନିସ୍ତାନରେ ଥିବା ଭାରତୀୟ ଅନୁଷ୍ଠାନଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ପାକିସ୍ତାନ ସମର୍ଥିତ ତାଲିବାନର ହକାନି ଗୋଷ୍ଠୀ ଦ୍ୱାରା ହୋଇଥିଲା, ଯାହା ଭବିଷ୍ୟତରେ ଆହୁରି ଅଧିକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।  ଇତିମଧ୍ୟରେ ପାକିସ୍ତାନରୁ ପରିଚାଳିତ ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଓ ଜୈସ୍-ଏ-ମହମ୍ମଦ ସେମାନଙ୍କର ତାଲିମ ଶିବିରଗୁଡ଼ିକୁ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନକୁ ଉଠାଇ ନେଉଥିବାର ଶୁଣିବାକୁ ମିଳୁଛି। କଶ୍ମୀର ଉପତ୍ୟକା ଅଞ୍ଚଳରେ ଆତଙ୍କବାଦୀ ସମସ୍ୟା ନିୟନ୍ତ୍ରଣାଧୀନ ହୋଇ ଆସୁଥିବା ବେଳେ ତାଲିବାନୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଉପରୋକ୍ତ ସଂଗଠନଗୁଡ଼ିକ କାଶ୍ମୀରରେ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାପକ କରିବାର ଭୟ ରହିଛି। ଏପରିକି ଭାରତର ବିଭିନ୍ନ ଅଞ୍ଚଳରେ ଏବେ ସକ୍ରିୟ ନ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର ସଦସ୍ୟମାନେ ତାଲିବାନୀଙ୍କ ଦ୍ୱାରା ତାଲିମ୍ ପାଇ ପୁଣି ସକ୍ରିୟ ହୋଇପାରନ୍ତି। ତାଲିବାନର ପୁନରୁତ୍‌ଥାନ ପରେ ଭାରତରେ ଆତଙ୍କବାଦ କାୟା ବିସ୍ତାର କରିବାର ଆଶଙ୍କା ଦେଖା ଦେଇଛି।

Comment