ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ପୁଣି ୫୪ଟି ଚାଇନିଜ୍ ଆପ୍ଲିକେସନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୨୨୪ଟି ଚାଇନିଜ୍ ଆପ୍ଲିକେସନକୁ ବ୍ୟାନ କରାଯାଇସାରିଛି। ଏହି ଆପ୍ଲିକେସନଗୁଡ଼ିକୁ ବ୍ଲକ କରିବା ପାଇଁ ଗୁଗୁଲର ପ୍ଲେ-ଷ୍ଟୋର ସହ ଟପ୍ ଆପ ଷ୍ଟୋରକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଭାରତରେ ବନ୍ଦ ହେବାକୁ ଯାଉଥିବା ଚାଇନିଜ୍ ଆପ୍ଲିକେସନଗୁଡ଼ିକ ହେଲା ସ୍ଵିଟ ସେଲ୍ଫି ଏଚଡି, ବ୍ୟୁଟି କେମେରା-ସେଲ୍ଫି କ୍ୟାମେରା, ଭିଭା ଭିଡିଓ ଏଡିଟର, ଟେସେଣ୍ଟ ଜାଇଭର, ଅନମ୍ୟୋଜି ଆରେନା, ଆପଲକ୍ ଏବଂ ଡୁଆଲ ସ୍ପେସ ଟାଇଟ ଆଦି। ଏହା ପୂର୍ବରୁ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ଲିକେସନକୁ ବ୍ୟାନ କରିଥିଲେ।

ଦେଶରେ ଘରେ ଘରେ ପରିଚିତ ହୋଇଥିବା ଟିକଟକ, ୟୁସି ବ୍ରାଉଜର, ସେୟାରଇଟ, ଓ୍ଵିଚାଟ ଭଳି ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଏହା ପରେ ୨୦୨୦ ସେପ୍ଟେମ୍ବର ମାସରେ ୧୧୮ଟି ଆପ୍ଲିକେସନକୁ ବ୍ୟାନ କରାଯାଇଥିଲା। ୨୦୨୦ ନଭେମ୍ବର ମାସରେ ମଧ୍ୟ ଚୀନର ୪୩ଟି ଆପ୍ଲିକେସନକୁ ବ୍ୟାନ କରିଥିଲେ କେନ୍ଦ୍ର ସରକାର।

ଉପରୋକ୍ତ ଆପ୍ଲିକେସନ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଡାଟା ଏବଂ ଏହାର ବ୍ୟବହାରକୁ ନେଇ ପ୍ରଶ୍ନ ଉଠିବା ପରେ ଏହି ଆପ୍ଲିକେସନଗୁଡ଼ିକୁ ସଂଚାଳନ କରୁଥିବା କମ୍ପାନିଗୁଡ଼ିକୁ ସ୍ପଷ୍ଟୀକରଣ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମ୍ପୃକ୍ତ କମ୍ପାନିଗୁଡ଼ିକ ଦେଇଥିବା ରିପୋର୍ଟକୁ ନେଇ ସରକାର ସନ୍ତୁଷ୍ଟ ହୋଇପାରି ନଥିଲେ। ଏହି କାରଣରୁ ଏହି ଆପ୍ଲିକେସନଗୁଡ଼ିକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଗତ ୨୦୨୦ ଜୁନ ମାସରେ ବ୍ୟାନ କରାଯାଇଥିବା ସମସ୍ତ ଆପ୍ଲିକେସନ ମାଧ୍ୟମରେ ଆପ ବ୍ୟବହାରକାରୀଙ୍କ ଡାଟା ଚୋରି କରି ଅନ୍ୟତ୍ର ପଠାଯାଉଥିବା ଆଶଙ୍କା କରାଯାଥିଲ। ଏହା ପରେ ଏହି ଆପ୍ଲିକେସନଗୁଡ଼ିକୁ ଭାରତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

୨୦୨୦ ଜୁନ ମାସରେ ଲଦାଖ ସୀମାରେ ୨୦ ଜଣ ଭାରତୀୟ ଯବାନ ଏବଂ ଚୀନ ସୈନିକଙ୍କ ସଂଘର୍ଷ ହୋଇଥିଲା। ଏଥିରେ ଅନେକ ଚୀନର ସୈନିକଙ୍କର ମୃତ୍ୟୁ ହୋଇଥିଲା। ଏହି ବିବାଦ ଘନେଇବା ପରେ ଚୀନ ଆପ୍ଲିକେସନ କାରଣରୁ ଭାରତର ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ଭାରତର ଅଖଣ୍ଡତା ଉପରେ ପ୍ରଭାବ ପଡ଼ୁଛି ବୋଲି କେନ୍ଦ୍ର ସରକାର କହିଥିଲେ। ଚାଇନିଜ୍ ଆପ୍ଲିକେସନଗୁଡ଼ିକ ଯୋଗୁଁ ଭାରତ ପ୍ରତି ବିପଦ ରହିଥିବା ଦର୍ଶାଇ ୨୦୨୦ ସେପ୍ଟେମ୍ବର ମାସରେ ଭାରତ ସରକାର ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ଲିକେସନକୁ ବ୍ୟାନ କରିଥିଲେ।

Comment