ଆଶିଷ କୁମାର ରାୟ

ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୪। ଚଳିତ ବର୍ଷରେ ଭାରତୀୟ କ୍ରୀଡ଼ା ବିଷୟରେ ଆଲୋଚନା କରିବାକୁ ଗଲେ ଅନେକ ଘଟଣା ସାମନାକୁ ଆସିଯାଏ। ଏହି ବର୍ଷଟି ଆମ ପାଇଁ ଉଭୟ ଆଶା ଓ ନିରାଶା ଆଣିଦେଇଛି କହିଲେ ଭୁଲ୍ ହେବନାହିଁ। ଦେଖିବାକୁ ଗଲେ ପ୍ୟାରିସ ଅଲିମ୍ପିକରେ ଛଅଟି ପଦକ, ପାରା ଅଲିମ୍ପିକରେ ସର୍ବଶ୍ରେଷ୍ଠ କୃତିତ୍ୱ, ହକି ଖେଳରେ ଅଗ୍ରଗତି, ଟି-ଟ୍ୱେଣ୍ଟି ବିଶ୍ୱକପରେ ଚମକପ୍ରଦ ବିଜୟ ତଥା ଚେସ୍ ଖେଳରେ ଆଶାତୀତ ସଫଳତା – ଏସବୁ ଥିଲା ବିଦାୟୀ ବର୍ଷ ୨୦୨୪ର ପ୍ରମୁଖ ଘଟଣା ।  

ଟି-ଟ୍ୱେଣ୍ଟି ବିଶ୍ୱକପରେ ଚମକପ୍ରଦ ବିଜୟ

ବର୍ଷ ୨୦୨୪ର ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ଭାରତୀୟ କ୍ରିକେଟ ଦଳର ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ। ୨୦୨୩ରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତୀୟ ଦଳ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଥିଲେ ହେଁ ସେଠାରେ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇ ଯାଇଥିଲା। ସେହି ଦୃଷ୍ଟିରୁ ୱେଷ୍ଟ ଇଣ୍ଡିଜ୍ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ବିଜୟୀ ହେବା ଥିଲା ବଡ଼ ଏକ ଆହ୍ୱାନ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଆହ୍ୱାନର ସଫଳ ମୁକାବିଲା କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହି ପ୍ରତିଯୋଗିତାରେ ଭାରତ ଅପରାଜେୟ ରହିବା ସହିତ ୨୦୦୭ ପରେ ପୁନର୍ବାର ବିଜୟୀ ହେବାର ଗୌରବ ହାସଲ କଲା।

ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟରେ ଆୟର୍ଲାଣ୍ଡ, ପାକିସ୍ତାନ ଓ ଯୁକ୍ତରାଷ୍ଟ୍ର ଆମେିକାକୁ ପରାସ୍ତ କରିବା ପରେ ସୁପର ଏଇଟ୍ ପର୍ଯ୍ୟାୟରେ ପରାସ୍ତ କରିଥିଲା ଆଫଗାନିସ୍ତାନ, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆକୁ। ଏହାପରେ ସେମି ଫାଇନାଲରେ ଇଂଲାଣ୍ଡକୁ ୬୮ ରନରେ ହରାଇବା ପରେ ଫାଇନାଲରେ ଭାରତ ମାତ୍ର ୭ ରନରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକାକୁ।

ତେବେ ଫାଇନାଲ ମ୍ୟାଚଟି ଥିଲା ପ୍ରବଳ ପ୍ରତିଦ୍ୱନ୍ଦିତା ମୂଳକ। ଏହି ମ୍ୟାଚରେ ବିରାଟ କୋହଲୀ ସର୍ବାଧିକ ୭୬ ରନ ଏବଂ ଅକ୍ଷର ପଟେଲ ୪୭ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହ ଚମତ୍କାର ବୋଲିଂ ଓ ଶେଷ ଓଭରରେ ସୂର୍ଯ୍ୟକୁମାର ୟାଦବଙ୍କ ଏକ ଚମତ୍କାର କ୍ୟାଚ ବଳରେ ଭାରତ ବିଜୟୀ ହୋଇଥିଲା। ଏହି ବର୍ଷ ଭାରତ ମୋଟ ୨୬ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୨୫ଟିରେ ବିଜୟୀ ହୋଇ ଏହି ଶୈଳୀର କ୍ରିକେଟରେ ଶୀର୍ଷ ସ୍ଥାନରେ ରହିବା ନିଶ୍ଚିତ ଭାବେ ଅବିସ୍ମରଣୀୟ ସଫଳତା।

ପ୍ୟାରିସ୍ ଅଲିମ୍ପିକର ନୈରାଶ୍ୟ

୨୦୨୪ ଜୁଲାଇ ଓ ଅଗଷ୍ଟ ମାସରେ ଅଲିମ୍ପିକ କ୍ରୀଡ଼ାର ୩୩ତମ ସଂସ୍କରଣ ଆୟୋଜିତ ହୋଇଥିଲା ଫ୍ରାନସର ରାଜଧାନୀ ପ୍ୟାରିସରେ। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ୪୦ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜପଦକ ଜିତିଥିବା ବେଳେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦୀ ଚୀନକୁ ମିଳିଥିଲା ୪୦ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୨୪ଟି ବ୍ରୋଞ୍ଜ ପଦକ। ତେବେ ଆମ ଦେଶ ଭାରତ କିନ୍ତୁ ମାତ୍ର ଗୋଟିଏ ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜପଦକ ଜିତିପାରିଥିଲା।

୨୦୨୩ରେ ହାଙ୍ଗଝାଉଠାରେ ଅନୁଷ୍ଠିତ ଏସିଆଡ଼ରେ ଚୀନ, ଜାପାନ ଓ ଦକ୍ଷିଣ କୋରିଆ ପଛକୁ ଭାରତ ରହିଥିଲା ଚତୁର୍ଥ ସ୍ଥାନରେ। ପ୍ୟାରିସ ଅଲିମ୍ପିକରେ କିନ୍ତୁ ଏହି ଚୀନ, ଜାପାନ ଓ ଦକ୍ଷିଣ କୋରିଆ ଶ୍ରେଷ୍ଠ ଆଠଟି ଦେଶ ମଧ୍ୟରେ ସାମିଲ ଥିବା ବେଳେ ଭାରତ ଖସି ଯାଇଥିଲା ୭୧ତମ ସ୍ଥାନକୁ।

ପ୍ୟାରିସ୍ ଅଲିମ୍ପିକରେ ଭାରତକୁ ୬ଟି ପଦକ

ପ୍ୟାରିସଠାରେ ଆମ ଦେଶର ମହିଳା ଶୁଟର ମନୁ ଭାକର ଦୁଇଟି ବ୍ରୋଞ୍ଜପଦକ ଜିଣିବା ଥିଲା ଉଲ୍ଲେଖନୀୟ ଘଟଣା। ୧୦ ମିଟର ଏୟାର ପିସ୍ତଲ ବିଭାଗରେ ମନୁ ଦକ୍ଷିଣ କୋରିଆର ଦୁଇଜଣ ତାରକାଙ୍କ ପଛକୁ ରହି ବ୍ରୋଞ୍ଜ ଜିତିଥିଲେ। ଦ୍ୱିତୀୟ ବ୍ରୋଞ୍ଜ ପଦକଟି ତାଙ୍କୁ ମିଳିଥିଲା ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ। ଏଥିରେ ମନୁଙ୍କର ସାଥୀ ଥିଲେ ସରବଜୋତ ସିଂହ। ଏହା ଫଳରେ ଗୋଟିଏ ଅଲିମ୍ପିକରେ ଦୁଇଟି ପଦକ ଜିତିବା ଦିଗରେ ମନୁ ଭାକର ଭାରତର ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଥିଲେ।

ପ୍ୟାରିସ୍ ଅଲିମ୍ପିକର ବନ୍ଧୁକଚାଳନାରେ ଏହି ଦୁଇଟି ପଦକ ବ୍ୟତୀତ ଆଉ ଏକ ବ୍ରୋଞ୍ଜ ପଦକ ମଧ୍ୟ ମିଳିଥିଲା ସ୍ୱପ୍ନିଲ କୁଶାଲେଙ୍କ ସୌଜନ୍ୟରୁ। ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ଚୀନ ଓ ୟୁକ୍ରେନର ଖେଳାଳିଙ୍କ ପଛକୁ ରହି ସ୍ୱପ୍ନିଲ ନିଜର ଅଲିମ୍ପିକ୍ ପଦକ ବିଜୟ ସ୍ୱପ୍ନକୁ ସାକାର କରିଥିଲେ।

ଭାରତର କୁସ୍ତିଯୋଦ୍ଧା ଅମନ ସେହରାୱତ ମଧ୍ୟ ପୁରୁଷ ଫ୍ରିଷ୍ଟାଇଲ ୫୭ କିଲୋଗ୍ରାମ ବିଭାଗରେ ହାସଲ କରିଥିଲେ ଏକ ବ୍ରୋଞ୍ଜ ପଦକ। ଏହି ଚାରିଟି ବ୍ରୋଞ୍ଜ ପଦକ ବ୍ୟତୀତ ଆଉ ଗୋଟିଏ ବ୍ରୋଞ୍ଜ ମିଳିଥିଲା ହକି ଖେଳରେ।

ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଆମ ହକି ଦଳ ପ୍ୟାରିସ୍ ଅଲିମ୍ପିକରେ ହାସଲ କରିଥିଲା ବ୍ରୋଞ୍ଜପଦକ। ଭାରତ ପ୍ରାରମ୍ଭିକ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ, ଆୟାର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା ସହିତ ମ୍ୟାଚ ଡ୍ର ରହିଥିଲା ଏବଂ ବେଲଜିୟମଠାରୁ ପରାଜୟ ମିଳିଥିଲା। କ୍ୱାର୍ଟର ଫାଇନାଲରେ ଅନ୍ୟାୟ ଭାବେ ଅମିତ ରୋହିଦାସଙ୍କୁ ଲାଲ କାର୍ଡ ଦେଖାଯିବା ସତ୍ତ୍ୱେ ଭାରତୀୟ ଦଳ ୧୦ ଜଣରେ ଖେଳି ଗ୍ରେଟ୍ ବ୍ରିଟେନ୍ ସହିତ ମ୍ୟାଚ ୧-୧ରେ ଅମୀମାଂସିତ ରଖିଲା। ଏହାପରେ ଟାଇ ବ୍ରେକରରେ ମ୍ୟାଚ ଜିତନେଲା।

ସେମିଫାଇନାଲରେ ଅମିତଙ୍କ ଅନୁପସ୍ଥିତିରେ ଜର୍ମାନୀ ସହିତ ମ୍ୟାଚରେ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ମଧ୍ୟ ଭାରତ ୨-୩ରେ ପରାଜିତ ହେଲା। ପରିଶେଷରେ ବ୍ରୋଞ୍ଜପଦକ ପାଇଁ ପ୍ଲେ-ଅଫ୍ ମୁକାବିଲା ଥିଲା ସ୍ପେନ୍ ଦଳ ସହିତ। ଏଥିରେ ସ୍ପେନ୍ ପ୍ରଥମେ ଗୋଲ କରିଥିଲେ ହେଁ ପରବର୍ତ୍ତୀ ସମୟରେ ହରମନପ୍ରୀତ ସିଂହ ପେନାଲ୍ଟୀ କର୍ନରରୁ ଲାଗ ଲାଗ ଦୁଇଟି ଗୋଲ କରି ଭାରତକୁ ବିଜୟୀ କରାଇଥିଲେ।

କ୍ରମାଗତ ଦୁଇଟି ଅଲିମ୍ପିକରେ ଭାରତ ହକି ଖେଳର ପଦକ ଜିତିବାରେ ସମର୍ଥ ହୋଇଥିଲା। ସମୁଦାୟ ଟୁର୍ଣ୍ଣାମେଣ୍ଟରେ ଗୋଲରକ୍ଷକ ପି.ଆର. ଶ୍ରୀଜେଶଙ୍କ ପ୍ରଦର୍ଶନ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର। ଅଲିମ୍ପିକ୍ ସଫଳତା ବ୍ୟତୀତ ଏସୀୟ ଚାମ୍ପିଆନ୍ସ ଟ୍ରଫି ହକିରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ବିଜୟୀ ହେବା ମଧ୍ୟ ବର୍ଷ ୨୦୨୪ର ଅନ୍ୟତମ ଉଲ୍ଲେଖନୀୟ ଘଟଣା। ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲରେ ଭାରତ ୧-୦ ଗୋଲରେ ପରାସ୍ତ କରିଥିଲା ଚୀନ ଦଳକୁ।

ତେବେ ୨୦୨୦ ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତି ଭାରତର ଗୋଲଡେନ୍ ବୟ ଭାବେ ପରିଚିତ ହୋଇଥିବା ନୀରଜ ଚୋପ୍ରା ଏଥର ଜାଭଲିନ୍ ଥ୍ରୋରେ ଦ୍ୱିତୀୟ ସ୍ଥାନରେ ରହିବା ନିଶ୍ଚିତ ଭାବେ ଥିଲା ନିରାଶାଜନକ। ପାକିସ୍ତାନର ଅର୍ଶାଦ୍ ନଦୀମଙ୍କ ପଛକୁ ରହିବାରୁ ନୀରଜଙ୍କୁ ଏଥର ରୌପ୍ୟପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଲା। ସେହିଭଳି ବ୍ରସେଲ୍ସଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ଫାଇନାଲ ଭଳି ବଡ଼ ପ୍ରତିଯାଗିତାରେ ମଧ୍ୟ ନୀରଜ ଚୋପ୍ରା ଗ୍ରେନାଡ଼ାର ଆଣ୍ଡରସନ୍ ପିଟର୍ସଙ୍କ ପଛକୁ ରହି ରୌପ୍ୟପଦକ ଲାଭ କରିଥିଲେ।

ଅଲିମ୍ପିକରେ କେତୋଟି ପଦକ ହାତଛଡ଼ା

ପ୍ୟାରିସ ଅଲିମ୍ପିକ ଶୁଟିଂରେ ଦୁଇଟି ବ୍ରୋଞ୍ଜପଦକ ଜିତିଥିବା ମନୁ ଭାକର ତାଙ୍କର ତୃତୀୟ ପଦକ ମଧ୍ୟ ଜିତି ପାରିଥାନ୍ତେ। ତେବେ ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିବା ଯୋଗୁଁ ତାହା ହାତଛଡ଼ା ହୋଇଗଲା। ପୁରୁଷ ୧୦ ମିଟର ଏୟାର ରାଇଫଲରେ ଅର୍ଜୁନ ବବୁତା ତଥା ସ୍କିଟ୍ ଶୁଟିଂର ମିଶ୍ରିତ ଯୁଗଳରେ ଅନନ୍ତଜୀତ ସିଂହ ନରୁକା ଏବଂ ମାହେଶ୍ୱରୀ ଚୌହାନଙ୍କ ଯୋଡ଼ି ମଧ୍ୟ ଚତୁର୍ଥ ସ୍ଥାନରେ ରହି ସେମାନଙ୍କର ଚିର ଈପ୍‌ସିତ ଅଲିମ୍ପିକ ପଦକ ହରାଇଥିଲେ।

ତୀରନ୍ଦାଜୀର ମିଶ୍ରିତ ଯୁଗଳରେ ଧୀରଜ ବୋମ୍ମଦେବରା ଏବଂ ଅଙ୍କିତା ଭକତଙ୍କ ଯୋଡ଼ି ମଧ୍ୟ ଚତୁର୍ଥ ସ୍ଥାନରେ ରହି ପଦକରୁ ସାମାନ୍ୟ ପଛରେ ରହିଯିବା ଥିଲା ଦୁଃଖଦାୟକ। ସେହିଭଳି ୪୯ କିଲୋଗ୍ରାମ ଭାରୋତ୍ତୋଳନରେ ମୀରାବାଈ ଚାନୁ ଏବଂ ବ୍ୟାଡମିଣ୍ଟନ ସିଂଗଲ୍ସରେ ଲକ୍ଷ୍ୟ ସେନ ଚତୁର୍ଥ ସ୍ଥାନରେ ରହି ଅଳ୍ପେକେ ପଦକ ହାତଛଡ଼ା କରିବା ମଧ୍ୟ କିଛି କମ ଦୁଃଖଦାୟକ ନଥିଲା।

ତେବେ ପ୍ୟାରିସ ଅଲିମ୍ପିକରେ ସର୍ବାଧିକ ଦୁଃଖଦାୟକ ଥିଲା ବିନେଶ ଫୋଗାଟଙ୍କ ଅଯୋଗ୍ୟ ବିବେଚିତ ହେବା ଘଟଣା। ଭାରତର ମହିଳା କୁସ୍ତିଯୋଦ୍ଧା ବିନେଶ ୫୦ କିଲୋଗ୍ରାମ ବିଭାଗରେ ତିନି ତିନି ଜଣ ପ୍ରତିଦ୍ୱନ୍ଦୀଙ୍କୁ ଧରାଶାୟୀ କରି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ଜିତିଲେ ସ୍ୱର୍ଣ୍ଣ, ନଚେତ୍ ହାରିଲେ ରୌପ୍ୟ ପଦକ ପକ୍କା ଥିଲା। ପରବର୍ତ୍ତୀ ସମୟରେ ବିନେଶଙ୍କ ଓଜନ ୧୦୦ଗ୍ରାମ ଅଧିକ ହୋଇଯିବା ଯୋଗୁଁ ତାଙ୍କୁ ପ୍ରତିଯୋଗିତାରୁ ବହିଷ୍କାର କରାଗଲା। ଏହି ମମଲା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସରେ ପହଁଚିଲା, ହେଲେ ସେଠାରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଫଳରେ ଭାରତର ଏହି ନିଶ୍ଚିତ ପଦକଟି ହାତଛଡ଼ା ହୋଇଗଲା।

ପାରା ଅଲିମ୍ପିକରେ ସର୍ବଶ୍ରେଷ୍ଠ ସଫଳତା

ପ୍ୟାରିସରେ ଅଲିମ୍ପିକ୍ କ୍ରୀଡ଼ାର ପରିସମାପ୍ତି ପରେ ଭିନ୍ନକ୍ଷମ କ୍ରୀଡ଼ାବିତଙ୍କ ପାଇଁ ଆୟୋଜିତ ପାରା ଅଲିମ୍ପିକରେ ଭାରତକୁ ମିଳିଥିଲା ନିଜର ସର୍ବଶ୍ରେଷ୍ଠ ସଫଳତା। ଏହି କ୍ରୀଡ଼ାରେ ଭାରତକୁ ମିଳିଥିଲା ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ସମେତ ମୋଟ ୨୯ଟି ପଦକ। ଗତ ଟୋକିଓ ପାରା ଅଲିମ୍ପିକଠାରୁ ୧୦ଟି ପଦକ ଅଧିକ ଜିତିଥିଲେ ଭାରତୀୟ ଖେଳାଳି।

ଏଥର ପ୍ୟାରିସଠାରେ ସ୍ୱର୍ଣ୍ଣ ଜିତିଥିବା ଆମର ଦିବ୍ୟାଙ୍ଗ କ୍ରୀଡ଼ାବିତମାନେ ହେଲେ – ମହିଳା ୧୦ ମିଟର ଏୟାର ରାଇଫଲ ଶୁଟର ଅବନୀ ଲେଖାରା, ବ୍ୟାଡମିଣ୍ଟନ ତାରକା କୁମାର ନିତେଶ, ତୀରନ୍ଦାଜ ହରବିନ୍ଦର ସିଂହ ତଥା ପାରା ଆଥଲେଟ୍ ସୁମିତ ଅଣ୍ଟିଲ, ନବଦୀପ ସୈନୀ, ଧର୍ମବୀର ନୈନ ଏବଂ ପ୍ରବୀଣ କୁମାର। ସେହିଭଳି ଶୁଟିଂରେ ମନୀଷ ନରୱାଲ, ବ୍ୟାଡମିଣ୍ଟନରେ ତୁଲସୀମତି ମୁରୁଗେସନ୍ ଏବଂ ସୁହାସ ୟତିରାଜ ତଥା ଆଥଲେଟିକ୍ସର ବିଭିନ୍ନ ପ୍ରତିଯୋଗିତାରେ ନିଷାଦ କୁମାର, ୟୋଗେଶ କାଠୁନିଆ, ଅଜିତ ସିଂହ ୟାଦବ, ଶରଦ କୁମାର, ସଚୀନ ଖିଲାରୀ ଏବଂ ପ୍ରଣବ ସୂରମାଙ୍କୁ ମିଳିଥିଲା ରୌପ୍ୟପଦକ। ଦୁଇ ହାତ ନଥିବା ଶୀତଲ ଦେବୀ ତୀରନ୍ଦାଜୀରେ ବ୍ରୋଞ୍ଜ ପଦକ ଜିତିବା ମଧ୍ୟ ଥିଲା ବହୁତ ବଡ଼ କଥା।

ଚେସ୍ ଖେଳରେ ଆଶାତୀତ ସଫଳତା

୨୦୨୪ରେ ଚେସ୍‌ରେ ଭାରତକୁ ଯେଉଁ ଭଳି ସଫଳତା ମିଳିଲା ତାହା ଥିଲା ପ୍ରାୟତଃ କଲ୍ପନାର ବାହାରେ ଥିଲା। ଏହିବର୍ଷ ସେପ୍ଟେମ୍ବର ମାସରେ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ଆୟୋଜିତ ଚେସ୍ ଅଲିମ୍ପିଆଡ଼ରେ ଭାରତକୁ ମିଳିଥିଲା ଡବଲ ସ୍ୱର୍ଣ୍ଣପଦକ। ଅର୍ଥାତ୍ ଏହି ଦଳଗତ ପ୍ରତିଯୋଗିତାର ଉଭୟ ଓପନ୍ ଓ ମହିଳା ବିଭାଗରେ ଭାରତ ଚାମ୍ପିୟନ ହୋଇଥିଲା।

ଓପନ୍ ବିଭାଗରେ ଭାରତର ପୁରୁଷ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ୧୧ଟି ମ୍ୟାଚରୁ ୨୧ ପଏଣ୍ଟ ପାଇ ବିଜେତା ହୋଇଥିବାବେଳେ ଅନ୍ୟ କୌଣସି ଦେଶ ୧୭ ପଏଣ୍ଟରୁ ଅଧିକ ସ୍କୋର କରି ପାରିନଥିଲେ। ସେହିଭଳି ମହିଳା ବିଭାଗରେ ଭାରତ ସର୍ବାଧିକ ୧୯ ପଏଣ୍ଟ ପାଇଥିଲା।

ଓପନ୍ ବିଭାଗରେ ଡୋମ୍ମାରାଜୁ ଗୁକେଶ, ଅର୍ଜୁନ ଏରିଗେସୀ, ରମେଶବାବୁ ପ୍ରଜ୍ଞାନନନ୍ଦା, ବିଦିତ ଗୁଜରାଟୀ ଏବଂ ପେଣ୍ଟାଲ୍ୟା ହରିକ୍ରିଷ୍ଣା ଭାରତର ପ୍ରତିନିଧିତ୍ୱ କରିଥିଲେ। ମହିଳା ଦଳରେ ସାମିଲ ଥିଲେ ଦ୍ରୋଣାଭିଲି ହରିକା, ରମେଶବାବୁ ବୈଶାଳୀ, ଦିବ୍ୟା ଦେଶମୁଖ, ବନ୍ତିକା ଅଗ୍ରୱାଲ ଏବଂ ତନିଆ ସଚଦେବ।

ଦଳଗତ ସ୍ୱର୍ଣ୍ଣ ଜିତିବା ସହିତ ବ୍ୟକ୍ତିଗତ ଭାବେ ଡି. ଗୁକେଶ ଟପ୍ ବୋର୍ଡରେ ଏବଂ ଅର୍ଜୁନ ଏରିଗେସୀ ତୃତୀୟ ବୋର୍ଡରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ। ସେହିଭଳି ମହିଳା ବିଭାଗର ତୃତୀୟ ବୋର୍ଡରେ ଦିବ୍ୟା ଦେଶମୁଖ ତଥା ଚତୁର୍ଥ ବୋର୍ଡରେ ବନ୍ତିକା ଅଗ୍ରୱାଲ ନିଜର ଚମତ୍କାରିତା ପ୍ରଦର୍ଶନ କରି ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଦଳଗତ ଚେସରେ ବିଜୟୀ ହେବାପରେ ଡି. ଗୁକେଶ ଡିସେମ୍ବର ମାସରେ ସିଙ୍ଗାପୁରଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ଚୀନର ଡିଙ୍ଗ୍ ଲିରେନଙ୍କୁ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଛନ୍ତି। ୧୪ ରାଉଣ୍ଡ ବିଶିଷ୍ଟ ମୁକାବିଲାର ଅନ୍ତିମ ରାଉଣ୍ଡରେ ଗୁକେଶ ଯେଭଳି କଳା ଗୋଟିରେ ଖେଳି ବିଜୟୀ ହେଲେ ତାହା ଯେଭଳି ଅବିସ୍ମରଣୀୟ ସେହିଭଳି ଅବିଶ୍ୱସନୀୟ ମଧ୍ୟ।

ବିଶ୍ୱନାଥନ ଆନନ୍ଦଙ୍କ ପରେ ଭାରତର ଦ୍ୱିତୀୟ ବିଶ୍ୱ ଚେସ୍ ଚାମ୍ପିୟନ ହେବା ସହିତ ୧୮ ବର୍ଷ ବୟସରେ ଗୁକେଶ ଏବେ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ମଧ୍ୟ ଲାଭ କରିଛନ୍ତି।

ଅନ୍ୟ ଦିଗରେ ବର୍ଷର ଶେଷ ଆଡ଼କୁ ନ୍ୟୁୟର୍କରେ ଅନୁଷ୍ଠିତ ବିଶ୍ୱ ରାପିଡ୍ ଚେସର ମହିଳା ବିଭାଗରେ କୋନେରୁ ହମ୍ପି ମଧ୍ୟ ଚାମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଚେସ୍ ଅଲିମ୍ପିଆଡ଼ରେ ଅଂଶଗ୍ରହଣ କରିନଥିବା କୋନେରୁ ହମ୍ପିଙ୍କର ଏହା ହେଉଛି ଏକ ବିରାଟ ସଫଳତା। ପୂର୍ବରୁ ସେ ୨୦୧୯ରେ ଏହି ଟାଇଟେଲ ହାସଲ କରିଥିବା ବେଳେ ୨୦୨୩ରେ ରନର୍ସ ଅପ୍ ହୋଇଥିଲେ। ଦେଖିବାକୁ ଗଲେ ୨୦୨୪ରେ ଚେସ୍ ଖେଳରେ ଆମକୁ ଯେଉଁଭଳି ସଫଳତା ମିଳିଛି ତାହା ଅନ୍ୟ କୌଣସି ଖେଳରୁ ମିଳିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।

Tags: #2024 #Sports #Olympics #IndianPlayers #India

LEAVE A REPLY

Please enter your comment!
Please enter your name here