ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ଦ୍ରୁତ ଗତିରେ ବଢ଼ିଛି ବ୍ୟାଙ୍କ ଠକେଇ। ଗତ ଅର୍ଥିକ ବର୍ଷ ତୁଳନାରେ ଏ ବର୍ଷ ବ୍ୟାଙ୍କ ଠକେଇ ୮ ଗୁଣ ବଢ଼ିଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଆରବିଆଇ ରିପୋର୍ଟ ଅନୁସାରେ ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୮ ହଜାର ୪୬୧ଟି ବ୍ୟାଙ୍କ ଠକେଇ ମାମଲା ରୁଜୁ କରାଯାଇଛି। ଏଥିରେ ୨୧ ହଜାର ୩୬୭ କୋଟି ଟଙ୍କାର ଠକେଇ ହୋଇଛି। ଗତବର୍ଷ ସମାନ ସମୟ ତୁଳନାରେ ଏହା ଯଥେଷ୍ଟ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ଏହି ସମୟ ମଧ୍ୟରେ ୧୪ ହଜାର ୪୮୦ ମାମଲାରେ ମାତ୍ର ୨,୬୨୩ କୋଟି ଟଙ୍କାର ଠକେଇ ରିପୋର୍ଟ ହୋଇଥିଲା।
ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ଭାରତରେ ବ୍ୟାଙ୍କିଙ୍ଗ ଟ୍ରେଣ୍ଡ ଏବଂ ପ୍ରଗତି ଉପରେ ଆର୍ଥିକ କ୍ଷେତ୍ରରେ ଏକ ଚିନ୍ତାଜନକ ଧାରା ଉପରେ ଆଲୋକପାତ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ଠକେଇ ପରିମାଣ ରେକର୍ଡ କରାଯାଇଥିବାବେଳେ ୨୦୨୫ ଆର୍ଥିକ ବର୍ଷରେ ଏହାର ପୁନର୍ବାର ବୃଦ୍ଧି ଘଟଣା ଚିନ୍ତା ବଢ଼ାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଠକେଇ ମାମଲା ୩୬ ହଜାର ୬୬ ଥିଲା। ଏଥିରେ ୧୩ ହଜାର ୧୭୫ କୋଟି ଟଙ୍କା ଠକେଇ ହୋଇଥିଲା।
ଇଣ୍ଟରନେଟ୍ ଏବଂ କାର୍ଡ ଠକେଇର ପ୍ରାଧାନ୍ୟ ବଢ଼ିଛି
ସଂପ୍ରତି ଇଣ୍ଟରନେଟ୍ ଓ କାର୍ଡ ଠକେଇ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଡିଜିଟାଲ ପ୍ଲାଟଫର୍ମର ବଢୁଥିବା ଦୁର୍ବଳତାକୁ ଦର୍ଶାଇ ସମସ୍ତ ବ୍ୟାଙ୍କରେ ଏହି ଧାରାରେ କ୍ରମାଗତ ବୃଦ୍ଧି ଘଟିଥିଲା।
ଘରୋଇ ବ୍ୟାଙ୍କଗୁଡ଼ିକରେ ସର୍ବାଧିକ ଠକେଇ ମାମଲା ସାମ୍ନାକୁ ଆସିଛି। ଯାହା କି ମୋଟ ଠକେଇର ୬୭.୧ ପ୍ରତିଶତ ରହିଛି। ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ପ୍ରଭାବ ସବୁଠାରୁ ଅଧିକ ରହିଛି।
ବ୍ୟାଙ୍କ ଉପରେ ବଢୁଛି ଜରିମାନା
ରିପୋର୍ଟରେ ବ୍ୟାଙ୍କଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ବ୍ୟାଙ୍କଗୁଡ଼ିକ ଉପରେ ଲାଗୁ ହୋଇଥିବା ଜୋରିମାନା ଦୁଇଗୁଣରୁ ଅଧିକ ହୋଇ ୮୬.୧ କୋଟି ଟଙ୍କାରେ ପହଞ୍ଚିଛି। ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ଏହି ଜୋରିମାନାର ଅଧିକାଂଶ ସମ୍ମୁଖୀନ ହୋଇଛନ୍ତି। ତେବେ, ସମବାୟ ବ୍ୟାଙ୍କଗୁଡ଼ିକ ଉପରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନରେ ହ୍ରାସ ଦେଖିବାକୁ ମିଳିଛି।
ବିଦେଶୀ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ବ୍ୟାଙ୍କ ଗ୍ରୁପରେ ଜୋରିମାନା ଆଦାୟ ବୃଦ୍ଧି ପାଇଛି। ଏହି ବୃଦ୍ଧି ଆର୍ଥିକ ଅସଦାଚରଣକୁ ରୋକିବା ଉଦ୍ଦେଶ୍ୟରେ କଠୋର ନିୟାମକ ତଦାରଖକୁ ପ୍ରତିଫଳିତ କରୁଛି।
ଡିଜିଟାଲ ଋଣ ଠକେଇର ଚ୍ୟାଲେଞ୍ଜ
ଡିଜିଟାଲ ଋଣ ଠକେଇ ଚିନ୍ତାର କାରଣ ପାଲଟିଛି। ଅନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଦ୍ୱାରା ଡିଜିଟାଲ୍ ଲେଣ୍ଡିଂ ଆପ୍ (ଡିଏଲ୍ଏ) ଅପବ୍ୟବହାର ଓ ମିଥ୍ୟା ଦାବି କରିବା ଫଳରେ ବହୁ ଆର୍ଥିକ କ୍ଷତି ହେଇଛି। ଏହାର ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରିତ ସଂସ୍ଥା (ଆରଇ) ଦ୍ୱାରା ନିୟୋଜିତ ଡିଏଲ୍ଏର ଏକ ସାର୍ବଜନୀନ ଭଣ୍ଡାର ସୃଷ୍ଟି କରୁଛି। ଡିଜିଟାଲ ଋଣ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।
ଏଥିସହ ଠକେଇ ରୋକିବା ପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ଆଇଟି ପ୍ରଶାସନ, ବିପଦ ପରିଚାଳନା ମାନକ ଏବଂ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ସହିତ ସହଯୋଗକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି।
ଆର୍ଥିକ ସ୍ଥିରତା ପାଇଁ ପ୍ରଭାବ
ବ୍ୟାଙ୍କ ଠକେଇ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଏକାଧିକ ବିପଦ ସୃଷ୍ଟି କରିଥାଏ। ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିଥାଏ। ଜାଲିଆତି କାର୍ଯ୍ୟକଳାପକୁ ଚିହ୍ନଟ କରିବା ଏବଂ ହ୍ରାସ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆରବିଆଇ ଗୁରୁତ୍ୱାରୋପ କରିଛି।
ଠକେଇ ମାମଲା ବଢ଼ୁଥିବାବେଳେ ଆରବିଆଇର ରିପୋର୍ଟରେ ବ୍ୟାଙ୍କିଂ କ୍ଷେତ୍ରରେ ସତର୍କତା ରହିବା ନେଇ ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ୟାଙ୍କିଙ୍ଗରେ ଡିଜିଟାଲ ପ୍ଲାଟଫର୍ମ ବଢୁଥିବାରୁ ଇଣ୍ଟରନେଟ ଏବଂ କାର୍ଡ କାରବାରରେ ସମସ୍ୟା ଦୂର କରିବା ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।
Tags: #FinancialFraud #Banks #FinancialInstitutions #DigitalTransaction #RBI #India