ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ସଂସଦର ବଜେଟ୍ ଅଧିବେଶନ ଜାରି ରହିଛି। ଏହାରି ଭିତରେ ଗୁରୁବାର ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲକୁ ଆଗତ କରିଥିଲେ। ଏହି ଆଇନ ବର୍ତ୍ତମାନ ଭାରତରେ ଲାଗୁ ରହିଥିବା ଆୟକର ଆଇନ ୧୯୬୧କୁ ବଦଳାଇଦେବ।
୬୩ ବର୍ଷ ପରେ ଆସିଥିବା ଏହି ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛି। ପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଏବଂ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛି। ଏଥିରେ ଦେଶରେ ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଏବଂ ଟିକସ ଫାଙ୍କିବା ନେଇ ଥିବା ଦଣ୍ଡକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ରହିଛି।
ଏହି ବିଲରେ ଆୟକର କ୍ଷେତ୍ରକୁ ନେଇ ନୂଆ ଧାରା ପ୍ରଚଳନ କରାଯାଇଛି। ଏପର୍ଯ୍ୟନ୍ତ ବ୍ୟବହୃତ ମୂଲ୍ୟାଙ୍କନ ବର୍ଷ ଏବଂ ପୂର୍ବ ବର୍ଷକୁ ବଦଳାଇବା ପାଇଁ ବ୍ୟବସ୍ଥା କରାଯାଇଛି। ନୂଆ ଆଇନ ଅନୁସାରେ ଏବେ ଭାରତରେ ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପ୍ରଚଳିତ ଆର୍ଥିକ ବର୍ଷକୁ ଟିକସ ବର୍ଷ କୁହାଯିବ।
୧୯୬୧ ଆୟକର ବିଲରେ ୮୮୦ ପୃଷ୍ଠା ଥିଲା, ହେଲେ ନୂଆ ଆଇନର ପୃଷ୍ଠା ସଂଖ୍ୟା ୬୨୨କୁ ହ୍ରାସ ପାଇଛି। ନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ରହିବ।
ବେତନଭୋଗୀ ବ୍ୟକ୍ତିଙ୍କୁ ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ଼ ରିହାତି ମିଳିବ। ତେବେ ସେ ନୂଆ ଟିକସ ବ୍ୟବସ୍ଥା ବାଛିଲେ ଏହି ରିହାତି ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ।
Tags: #NewTaxBill #IncomeTax #DirectTax #Parliament #FinanceDept #India