ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ‘ଆଲପାଇନ ସ୍କିଙ୍ଗ୍‌’ରେ ନିଜର ପ୍ରଦର୍ଶନ ବଳରେ ସେ ରାଜ୍ୟକୁ ଗର୍ବିତ କରିଛନ୍ତି। ରବିବାରରୁ ଜମ୍ମୁ କଶ୍ମୀରର ଗୁଲମାର୍ଗରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ନାସନାଲ ଓ୍ୱିଣ୍ଟର ଗେମ୍ସରେ ତୃତୀୟ ଥର ପାଇଁ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ରଞ୍ଜିତା। ରାଜ୍ୟର ଏକମାତ୍ର ଖେଳାଳି ଭାବେ ଏହି ଉପଲବ୍ଧି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି।

ରଞ୍ଜିତା ଚଳିତ ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସରେ ‘ଆଲପାଇନ ସ୍କିଙ୍ଗ୍‌’ କ୍ରୀଡ଼ାର ଦୁଇଟି ବିଭାଗ ସ୍ଲାଲମ ଓ ଜେଣ୍ଟ ସ୍ଲାଲମ ଇଭେଣ୍ଟରେ ଭାଗ ନେବେ। ଏହି ଦୁଇ ଇଭେଣ୍ଟରେ ରଞ୍ଜିତାଙ୍କ ସହ ଆଉ ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ।

ଖେଲୋ ଇଣ୍ଡିଆ ନାସନାଲ ଓ୍ୱିଣ୍ଟର ଗେମ୍ସ ପାଇଁ ରଞ୍ଜିତା ବେହେରା ଅନେକ ଦିନ ଆଗରୁ ନିଜର ପ୍ରସ୍ତୁତି ଜାରି ରଖିଥିଲେ। ସେ ପୂର୍ବେ ୟୁରୋପ ଓ ମଧ୍ୟ ଏସିଆର ପର୍ବତ୍ୟାଞ୍ଚଳରେ ତାଲିମ ନେଇଥିଲେ। ସେଠାରୁ ସେ ଭାରତ ଫେରି ଗୁଲମାର୍ଗରେ ଟ୍ରେନିଂ କରୁଥିଲେ।

“ଓଡ଼ିଶା ଭଳି ଏକ ବରଫବିହୀନ ରାଜ୍ୟରୁ ଆସି ମୁଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିପାରୁଥିବାରୁ ନିଜକୁ ଗର୍ବିତ ମନେ କରୁଛି। ଚଳିତବର୍ଷର ଓ୍ୱିଣ୍ଟର ଗେମ୍ସରେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଭାରତୀୟ ସେନା ତଥା ଆଇଟିବିପିର ଅନେକ ଅଭିଜ୍ଞ ଖେଳାଳିମାନେ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ଇଭେଣ୍ଟଗୁଡ଼ିକ ଅତ୍ୟନ୍ତ ପ୍ରତିଦ୍ଵନ୍ଦ୍ଵିତାମୂଳକ ରହିବ। ତେବେ ପ୍ରତିଯୋଗିତାରେ ଚାପ ମୁକ୍ତ ହୋଇ ଖେଳିବା ସହ ଭଲ ପ୍ରଦର୍ଶନ କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି”, କହିଛନ୍ତି ରଞ୍ଜିତା ବେହେରା।

ଏହା ପୂର୍ବରୁ ରଞ୍ଜିତା ବେହେରା ୨୦୨୧ ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସର ‘ଆଲପାଇନ ସ୍କିଙ୍ଗ୍‌’ରେ ବିଜେତାଙ୍କଠାରୁ ମାତ୍ର କିଛି ସେକେଣ୍ଡର ଅନ୍ତରରେ ଫିନିସିଙ୍ଗ୍‌ ପଏଣ୍ଟରେ ପହଞ୍ଚିଥିଲେ। ତେବେ ଓଡ଼ିଶା ଭଳି ବରଫବିହୀନ ରାଜ୍ୟରୁ ଆସି ଏତେ ସୁନ୍ଦର ପ୍ରଦର୍ଶନ ପାଇଁ ଅନେକ ବିଶିଷ୍ଟ ଖେଳାଳି ଓ ଜାତୀୟ ସ୍ତରର କୋଚମାନେ ତାଙ୍କର ଦକ୍ଷତାକୁ ବେଶ୍ ପ୍ରଶଂସା କରିଥିଲେ।

ରଞ୍ଜିତାଙ୍କ ସ୍କିଙ୍ଗ୍‌ କ୍ୟାରିୟର  

ରଞ୍ଜିତା ବେହେରାଙ୍କ ଜନ୍ମ ଓଡ଼ିଶାର ରାଉରକେଲାରେ ହୋଇଥିଲା। କଲେଜ ପାଠପଢ଼ା ପରେ ବରଫ କ୍ରୀଡ଼ା ଓ ପର୍ବତାରୋହଣ‌ ପାଇଁ ତାଙ୍କର ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା। ୨୦୧୬ରେ ସେ ବିଜୁ ପଟ୍ଟନାୟକ ହିମାଳୟନ ଯାତ୍ରା ଅନ୍ତର୍ଗତ ଉତ୍ତରାଖଣ୍ଡର ମାଉଣ୍ଟ ରୁଦୁଗଇରାକୁ ସଫଳତା ସହ ଆରୋହଣ କରିଥିଲେ। 

୨୦୨୧ ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସ ଥିଲା ରଞ୍ଜିତାଙ୍କ ପ୍ରଥମ ଜାତୀୟ ପ୍ରତିଯୋଗିତା। ଏହାପରେ ସେହିବର୍ଷ ସେ ଜାତୀୟ ସ୍କିଙ୍ଗ୍‌ ଓ ସ୍ନୋ ବୋର୍ଡିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟରେ ରଞ୍ଜିତା କିଛି ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।  

ଭାରତର ପ୍ରମୁଖ ପର୍ବତାରୋହଣ ଓ ସ୍ନୋ ସ୍କିଙ୍ଗ୍‌ ଇନଷ୍ଟିଚ୍ୟୁଟରେ ତାଲିମ ନେଇଛନ୍ତି ରଞ୍ଜିତା। ନିଜ ବାପା, ମା’ ଓ ପରିବାର ସମର୍ଥନ ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି।

ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସ ୨୦୨୫

ତେବେ ଚଳିତବର୍ଷ ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସର ପଞ୍ଚମ ସଂସ୍କରଣ ମାର୍ଚ୍ଚ ୯ରୁ ୧୨ ତାରିଖ ଯାଏଁ ଆୟୋଜିତ ହେଉଛି। ଚଳିତ ସଂସ୍କରଣରେ ସ୍ନୋ ମାଉଣ୍ଟେନିୟରିଂ, ଆଲପାଇନ ସ୍କିଙ୍ଗ୍‌, ସ୍ନୋ ବୋର୍ଡିଂ ତଥା ନରଡିକ୍ ସ୍କିଙ୍ଗ୍‌ ଭଳି କ୍ରୀଡ଼ାର ଆୟୋଜନ ହେଉଛି।

ଏହି ପ୍ରତିଯୋଗିତାରେ ଦେଶର ୩୫୦ରୁ ଅଧିକ ଖେଳାଳି ଭାଗ ନେଉଛନ୍ତି। ଭାରତୀୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ତଥା ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ଆନୁକୁଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି।

Tags: #RanjitaBehera #TheSnowSkier #SnowGirlofOdisha #KheloIndiaWinterGames2025 #India    

LEAVE A REPLY

Please enter your comment!
Please enter your name here