ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଅଭିଯୁକ୍ତ ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ବାଲେଶ୍ଵର ଓପିଆଇଡି କୋର୍ଟ ଅନୁମତି ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ରାଜା ଚକ୍ର ଓ ତାଙ୍କର ୪ ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା।
ବୁଧବାର ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ପକ୍ଷରୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିଲା। କୋର୍ଟ ମାମଲାର ଶୁଣାଣି କରିବା ପରେ ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୩ ତାରିଖରେ ପ୍ରଥମେ ରାଜା ଚକ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ପରେ ତାଙ୍କୁ ଗିରଫ କରାଯାଇଥିଲା। ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସେ ସବୁରେ ୧୮୫ କୋଟି ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି।
ଏହି ରାଜା ଚକ୍ର ୯ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଛି। ମେସିନ ଲୋଡିଂ କରି ମାନୁଆଲ ଲୋଡିଂ ନାଁରେ ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ମାମଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ।
Tags: #RajaChakra #Corruption #CrimeBranch #GandhamardanLodingAgency #Kendujhar