ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିବା ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ପୋଲିସ ବାବୁ ଠୁଳ କରିଥିବା ସମ୍ପତ୍ତିର ହିସାବ ଦେଇପାରିନଥିବାରୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି।

ସୁଶାନ୍ତ କୁମାର ଶତପଥୀ ସୋମବାର ରାତିରେ ବସରେ ବୈପାରିଗୁଡ଼ାରୁ କଟକ ଆସୁଥିବାବେଳେ ଜୟପୁର ନିକଟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଏହି ସମୟରେ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା।

ସୋମବାର ରାତିରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବୈପାରିଗୁଡ଼ାସ୍ଥିତ କ୍ଵାର୍ଟର୍ସ ଓ ଅଫିସରେ ଚଢ଼ଉ କରାଯାଇଥିଲା। ସେଠାରୁ ଆହୁରି ୫ ଲକ୍ଷ ଟଙ୍କା ମିଳିଥିଲା। ଏହାସହ କିଛି ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିଲା। ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ।

ମଙ୍ଗଳବାର ସକାଳେ ଭିଜିଲାନ୍ସର ଆଉ ଏକ ଟିମ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ଘରେ ତଲାସି ଆରମ୍ଭ କରିଥିଲା। ଏଠାରୁ ସେମାନଙ୍କୁ ପ୍ରାୟ ୨୯ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା।

୧୯୯୯ରୁ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ ସୁଶାନ୍ତ କୁମାର ଶତପଥୀ। ପରେ କନେଷ୍ଟବଳରୁ ଥାନା ବାବୁ ହୋଇଥିଲେ। ଥାନା ଅଧିକାରୀ ହେଲା ପରେ ସୁଶାନ୍ତ କୁମାର ଶତପଥୀଙ୍କ ବିରୋଧରେ କେଉଁଠି ମଦ ବ୍ୟବସାୟୀଙ୍କୁ ଖଲାସ କରିବା ତ ଆଉ କେଉଁଠି ଅଭିଯୁକ୍ତଙ୍କୁ ଛାଡ଼ିଦେବା ଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାକୁ ଲାଗିଲା। ଅଭିଯୋଗ ଆଧାରରେ ୨୦୧୨ ମସିହାରେ ଜଗତସିଂହପୁର, ୨୦୧୮ ମସିହାରେ କଟକ ଏବଂ ୨୦୨୦ ମସିହାରେ ରାୟଗଡ଼ାର ତତ୍କାଳୀନ ଏସପି ସୁଶାନ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ମଧ୍ୟ କରିଥିଲେ।

Tags: #Boipariguda #PoliceIIC #SushantKumarSatpathy #Dismissed #Vigilanceraid #Corruption #Koraput #Odisha

Comment