ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏ ଯାଏଁ ପ୍ରାୟ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ସୋମବାର ସୁଶାନ୍ତ କୁମାର ଶତପଥୀଙ୍କ ବୈପାରିଗୁଡ଼ା କ୍ଵାର୍ଟର୍ସରୁ ସାଢ଼େ ୫ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ବୁଧବାର ସକାଳେ ତାଙ୍କ କଟକ ବକ୍ସିବଜାରସ୍ଥିତ ଘରୁ ଭିଜିଲାନ୍ସକୁ ପ୍ରାୟ ୨୯ ଲକ୍ଷ ଟଙ୍କା ମିଳିଛି।

ସୁଶାନ୍ତ କୁମାର ଶତପଥୀ ସୋମବାର ବସରେ ବୈପାରିଗୁଡ଼ାରୁ କଟକ ଆସୁଥିବାବେଳେ ଜୟପୁର ନିକଟରେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବସରେ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା।

ସୋମବାର ରାତିରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବୈପାରିଗୁଡ଼ାସ୍ଥିତ କ୍ଵାର୍ଟର୍ସ ଓ ଅଫିସରେ ଚଢ଼ଉ କରାଯାଇଥିଲା। ସେଠାରୁ ଆହୁରି ୫ ଲକ୍ଷ ଟଙ୍କା ମିଳିଥିଲା। ଏହାସହ କିଛି ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିଲା। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଥିଲେ।

ଏହାପରେ ମଙ୍ଗଳବାର ସକାଳେ ଭିଜିଲାନ୍ସର ଆଉ ଏକ ଟିମ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ଘରେ ତଲାସି ଆରମ୍ଭ କରିଥିଲା। ଏଠାରୁ ସେମାନଙ୍କୁ ପ୍ରାୟ ୨୯ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ଏଥିରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ସୂଚନା ମିଳିଛି।

ତେବେ ସୁଶାନ୍ତ କୁମାର ଶତପଥୀ ଏତେ ଟଙ୍କା କେଉଁଠୁ ଆଣିଲେ, ସେ ବିଷୟରେ ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଏବେ ଭିଜିଲାନ୍ସ ନିଜର ତଦନ୍ତ ଜାରି ରଖିଛି। ଏହାସହ ଏବେ ତାଙ୍କର ଅନ୍ୟ ଠିକଣାଗୁଡ଼ିକ ଉପରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିବାକୁ ଯୋଜନା ରଖିଛି।

Tags: #BaipariGuda #PoliceIIC #Vigilanceraid #Corruption #Koraput #Odisha

LEAVE A REPLY

Please enter your comment!
Please enter your name here