ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳିତ ହୋଇଯାଇଛି।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିହାରିକା ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟକୁ କୁପୋଷଣ ମୁକ୍ତ କରିବାର ଆବଶ୍ୟକତା ରହିଛି। ଏହାକୁ ପ୍ରାଥମିକତା ଦେଇ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି। ଏହି ଯୋଜନାଗୁଡ଼ିକୁ ଫଳପ୍ରଦ କରାଇବା ପାଇଁ ସାମୁହିକ ସଚେତନତାର ଆବଶ୍ୟକତା ରହିଛି। ଗୋଟିଏ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ଓ ଭବିଷ୍ୟତରେ ଏକ ସୁନାଗରିକ ହୋଇପାରିବ। ଶୈଶବ ଅବସ୍ଥାରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁଟିର ସ୍ୱାସ୍ଥ୍ୟର ଉନ୍ନତି ହେବା ସହିତ ତା’ର ସାମଗ୍ରିକ ବିକାଶ ହୋଇପାରି ବୋଲି ସେ କହିଥିଲେ।  

ପ୍ରତ୍ୟେକ ସିଡିପିଓ, ସୁପର ଭାଇଜର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ସେମାନଙ୍କ ନିଜ ନିଜ ଅଞ୍ଚଳର ସମସ୍ତ ମା’ ଓ ଶିଶୁମାନଙ୍କୁ ପଞ୍ଜୀକୃତ କରି ସମସ୍ତେ ଯେପରି ଛତୁଆ ଓ ଅଣ୍ଡା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ପୋଷଣଯୁକ୍ତ ଖାଦ୍ୟ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି ଉପଜିଲ୍ଲାପାଳ କହିଥିଲେ।  

ଏହି ଅବସରରେ ଉତ୍ତମ ପ୍ରଦର୍ଶନ କରିଥିବା ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ଏବଂ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ। କୁପୋଷଣ ଓ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତାର ବାର୍ତ୍ତାକୁ ନେଇ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Tags: #PoshanaPakhya #Mayurbhanj #DistrictLevelPoshanPakhya #Odisha

Comment