ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ (ଓବିବିଏ) ପକ୍ଷରୁ ପାଳନ କରାଯାଉଥିବା ଭାଷାପକ୍ଷର ଅଷ୍ଟମ ଦିବସରେ ଚିକିତ୍ସା ଶାସ୍ତ୍ର ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ‘ଓଡ଼ିଆ ଭାଷା ଓ ଜନସାଧାରଣ ମଧ୍ୟରେ ସେତୁ ସ୍ଵରୂପ ଜଟିଳ ଚିକିତ୍ସା ଶାସ୍ତ୍ର’ ଆଲୋଚନା ଚକ୍ରର ବିଷୟବସ୍ତୁ ରହିଥିଲା।
“ଜଟିଳ ଚିକିତ୍ସା ଶାସ୍ତ୍ରର ସାର୍ଥକ ପ୍ରୟୋଗ ନିମନ୍ତେ ଚିକିତ୍ସକମାନଙ୍କର କଥିତ, ଲିଖିତ, ସାଙ୍କେତିକ ଓ ଉପଭାଷା ସଂପର୍କରେ ଜ୍ଞାନ ଥିବା ଆବଶ୍ୟକ। ରୋଗୀର ମନ ଓ ଶରୀରର ଭାଷାକୁ ଠିକ୍ ଭାବେ ପଢ଼ି ଜାଣିଲେ ଜଣେ ଚିକିତ୍ସକ ସଫଳ ଚିକିତ୍ସା କରିବାରେ ସମର୍ଥ ହୁଅନ୍ତି”, କହିଛନ୍ତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ।
ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ରଂଜନ ପାଢ଼ୀ ଯୋଗ ଦେଇଥିଲେ। ରୋଗୀଟିଏ ପାଇଁ ଡାକ୍ତର ସମ୍ବେଦନଶୀଳ ହେବା ଜରୁରୀ ବୋଲି ସେ କହିଥିଲେ।
“ଆଈ ମା’ କାହାଣୀ, ଲୋକଗୀତ ଓ ଲୋକକଥା ଭଳି ଚିକିତ୍ସାଶାସ୍ତ୍ରକୁ ମଧ୍ୟ ସାଧାରଣ ଜନତାଙ୍କ ବୋଧଗମ୍ୟ ହେବା ଭଳି ଓଡ଼ିଆ ଭାଷାରେ ଲୋକ ସାହିତ୍ୟରେ ପରିଣତ କରାଯାଇପାରିଲେ ତାହାଦ୍ୱାରା ସାଧାରଣ ଜନସାଧାରଣ ଉପକୃତ ହୋଇପାରିବେ। ରୋଗୀଟିଏ ନିଜର ରୋଗ ସଂପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ ହକ୍ଦାର୍”, କହିଛନ୍ତି ଡାକ୍ତର ରଂଜନ ପାଢ଼ୀ।
ଏହି କାର୍ଯ୍ୟକ୍ରମ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞା ଡାକ୍ତର ମୀରା ପତି, କବି ଦୀପକ ବୋଷ, ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଓ ଶାନ୍ତିଲତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Tags: #OdiaBhasaVikasAndolan #Odialanguage #OBBA #HealthScience #Baleswar


















