ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ଵ ପରିବେଶ ଦିବସ। ପରିବେଶକୁ ସୁସ୍ଥ ଏବଂ ସବୁଜ କରିବା ଉଦ୍ଦେଶ୍ୟରେ ୧୯୭୩ ମସିହା ଜୁନ ତାରିଖରୁ ‘ବିଶ୍ଵ ପରିବେଶ ଦିବସ’ ପାଳନ ଆରମ୍ଭ ହୋଇଥିଲା। ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଢ଼ି ତୋଳିବାକୁ ବିଭିନ୍ନ ସ୍ଥାନରେ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏବେ ପରିବେଶ ପାଇଁ ଅଭିଶାପ ପାଲଟିଛି ପ୍ଲାଷ୍ଟିକ।

ଯେଉଁ ଆଡ଼କୁ ଚାହିଁଲେ ପ୍ଲାଷ୍ଟିକ। ଏବେ ଏହି ପ୍ଲାଷ୍ଟିକ ଜୀବଜଗତ ଓ ପରିବେଶ ଉପରେ ସାଂଘାତିକ ପ୍ରଭାବ ପକାଉଛି। ଆଖିକୁ ଦେଖା ଯାଉଥିବା ପ୍ଲାଷ୍ଟିକ ଅପେକ୍ଷା ଅଦୃଶ୍ୟ ଭାବେ ଆମ ଚାରିପଟେ ଘୁରି ବୁଲୁଥିବା ପ୍ଲାଷ୍ଟିକ କଣିକା ଅଧିକ ଘାତକ ହେବାରେ ଲାଗିଛି।

ୟୁଏନଡିପି ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରେ ଏପରି କିଛି ତଥ୍ୟ ରହିଛି, ଯାହା ଆପଣକୁ ଆଶ୍ଚର୍ଯ୍ୟ କରିଦେବ। ଏହି ରିପୋର୍ଟରେ ୧୦ଟି ଏପରି ସ୍ଥାନ ଉପରେ ଆଲୋଚନା କରାଯାଇଛି, ଯେଉଁଠି ଲୁଚି ରହିଛି ପ୍ଲାଷ୍ଟିକ କଣିକା। ନିଶ୍ଵାସ-ପ୍ରଶ୍ଵାସ ଓ ଖାଦ୍ୟ ଜରିଆରେ ଆମ ଶରୀର ଭିତରକୁ ପ୍ରବେଶ କରୁଛି ଏହି ପ୍ଲାଷ୍ଟିକ କଣିକା, ଯାହାର ଦୀର୍ଘକାଳୀନ ପ୍ରଭାବ ଅତି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଘର ଧୂଳିରେ ଲୁଚି ରହିଛି ପ୍ଲାଷ୍ଟିକ 

ଘରର ପରିଷ୍କାର ପରିଚ୍ଛନ୍ନତା ଯେତେ ଭଲ ହେଉନା କାହିଁକି, ଆପଣଙ୍କ ଘରର ଧୂଳିରେ ପ୍ଲାଷ୍ଟିକ ଥାଇପାରେ। ବିଶେଷଜ୍ଞଙ୍କ ଅନୁସାରେ ପ୍ରତିବର୍ଷ ଗୋଟିଏ ଘରୁ ହାରାହାରି ୨୦ କିଲୋଗ୍ରାମ ଧୂଳି ବାହାରିଥାଏ, ଯେଉଁଥିରେ ପ୍ରାୟ ୬ କିଲୋଗ୍ରାମ ମାଇକ୍ରୋପ୍ଲାଷ୍ଟିକ ବା ପ୍ଲାଷ୍ଟିକ କଣିକା ରହିଥାଏ। ଏହି ପ୍ଲାଷ୍ଟିକ କଣିକାଗୁଡ଼ିକ ଆପଣ ବ୍ୟବହାର କରୁଥିବା ସିନ୍ଥେଟିକ ପୋଷାକ, ଘରେ ବ୍ୟବହୃତ ପ୍ଲାଷ୍ଟିକ ଉତ୍ପାଦ ଏବଂ ବାହାର ବାୟୁ ପ୍ରଦୂଷଣରୁ ଆସିଥାଏ। ନିଶ୍ୱାସ ପ୍ରଶ୍ୱାସରେ ଏଗୁଡ଼ିକ ସିଧାସଳଖ ଆପଣଙ୍କ ଫୁସଫୁସରେ ପ୍ରବେଶ କରିପାରେ ଏବଂ ସ୍ୱାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇପାରେ।

ବାୟୁରେ ପ୍ଲାଷ୍ଟିକ କଣିକା

ଯାନବାହାନ ଏବଂ କଳ କାରଖାନାରୁ ବାହାରୁଥିବା ଧୂଆଁ କେବଳ ବାୟୁକୁ ପ୍ରଦୂଷିତ କରିନଥାଏ, ବାୟୁରେ ମିଶୁଥିବା ମାଇକ୍ରୋପ୍ଲାଷ୍ଟିକ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରିଥାଏ। ଗାଡ଼ିର ଟାୟାର କ୍ଷୟ, କାରଖାନାରୁ ନିର୍ଗତ ଧୂଆଁ ଏବଂ ପ୍ଲାଷ୍ଟିକ ଆବର୍ଜନାର ସଠିକ୍ ପରିଚାଳନା ନ ହେବା ଯୋଗୁଁ ସେଥିରେ ଥିବା ପ୍ଲାଷ୍ଟିକ କଣିକାଗୁଡ଼ିକ ପବନରେ ସହଜରେ ମିଶିଯାଏ।

ତଥ୍ୟ ଅନୁସାରେ, କେବଳ ଟାୟାର ଘର୍ଷଣରୁ ନିର୍ଗତ ପ୍ଲାଷ୍ଟିକ କଣିକା ବାୟୁରେ ୩ ପ୍ରତିଶରୁ ୭ ପ୍ରତିଶତ ପ୍ରଦୂଷଣ ସୃଷ୍ଟି କରିଥାଏ। ଏହି ପ୍ଲାଷ୍ଟିକ କଣିକାଗୁଡ଼ିକ ବହୁ ଦୂର ପର୍ଯ୍ୟନ୍ତ ବାୟୁକୁ ପ୍ରଦୂଷିତ କରିଥାଏ।  ଏପରିକି ଆଣ୍ଟାର୍କଟିକାର ବରଫରେ ମଧ୍ୟ ପ୍ଲାଷ୍ଟିକ କଣିକା ମିଳିଥିବା ବୈଜ୍ଞାନିକ ଦର୍ଶାଇଛନ୍ତି।

ପୋଷାକରେ ପ୍ଲାଷ୍ଟିକ

ଭଳିକି ଭଳି ଫ୍ୟାସନର ପୋଷାକ ପିନ୍ଧିବାକୁ ଅନେକ ପସନ୍ଦ କରନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଅଧିକାଂଶ ପୋଷାକରେ ରହିଛି ପ୍ଲାଷ୍ଟିକ ଉପାଦାନ। ୬୦ ପ୍ରତିଶତ କପଡ଼ା ଏବଂ ୭୦ ପ୍ରତିଶତ ଘରୋଇ ବ୍ୟବହୃତ ପୋଷାକ ଆକ୍ରିଲିକ, ପଲିଷ୍ଟର, ନାଇଲନ ଏବଂ ସ୍ପାଣ୍ଡେକ୍ସ ଭଳି କୃତ୍ରିମ ପ୍ଲାଷ୍ଟିକ ତନ୍ତୁରୁ ତିଆରି ହୋଇଥାଏ। ସହଜରେ ଏବଂ କମ ଖର୍ଚ୍ଚରେ ଏହା ଉପଲବ୍ଧ।

ଏହି ପୋଷାକ ତିଆରି ସମୟରେ ଏବଂ ପିନ୍ଧିବା ଓ ଶୁଖାଇବା ବେଳେ ଏଥିରୁ ମାଇକ୍ରୋପ୍ଲାଷ୍ଟିକ ନିର୍ଗତ ହୋଇଥାଏ, ଯାହା ଆମ ପରିବେଶ ଏବଂ ଜଳ ଉତ୍ସରେ ମିଶି ଏହାକୁ ପ୍ରଦୂଷିତ କରିଥାଏ। ବିଶେଷକରି ୱାସିଂ ମେସିନରେ କପଡ଼ା ଧୋଇବା ସମୟରେ, ସେଥିରେ ଥିବା ପ୍ଲାଷ୍ଟିକ କଣିକା ପାଣିରେ ଦ୍ରବୀଭୂତ ହୋଇ ନଦୀ ଓ ନାଳରେ ମିଶିଥାଏ। ଶେଷରେ ସମୁଦ୍ରକୁ ଯାଇଥାଏ ପ୍ଲାଷ୍ଟିକ କଣିକା।

ମାଛ ଭିତରେ ପ୍ଲାଷ୍ଟିକ

ଯଦି ଆପଣ ମାଛ ଖାଉଛନ୍ତି, ତେବେ ନିଜ ଅଜାଣତରେ ଶରୀର ଭିତରକୁ ଯାଉଛି ପ୍ଲାଷ୍ଟିକ। କାରଣ ସମୁଦ୍ରରେ ପ୍ଲାଷ୍ଟିକ ଆବର୍ଜନା ବଢ଼ିବାରେ ଲାଗିଛି।  ଏହି ଆବର୍ଜନା ସମୟକ୍ରମେ ଛୋଟ ଛୋଟ କଣିକାରେ ପରିଣତ ହୋଇ ମାଛ ଶରୀରକୁ ଯାଉଛି। ଫଳରେ ପୂରା ଖାଦ୍ୟ ଶୃଙ୍ଖଳାରେ ପ୍ରବେଶ କରୁଛି ପ୍ଲାଷ୍ଟିକ। ଫଳରେ ବଡ଼ ବଡ଼ ମାଛ, ପକ୍ଷୀ ଏବଂ ସାମୁଦ୍ରିକ ଜୀବ ଏଥିରେ ପ୍ରଭାବିତ ହେଉଛନ୍ତି।

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ୨୪ଟି ଦେଶରେ ଧରାଯାଉଥିବା ୧୯୮ ପ୍ରଜାତିର ହାରାହାରି ୬୦ ପ୍ରତିଶତ ମାଛ ଭିତରେ ମାଇକ୍ରୋପ୍ଲାଷ୍ଟିକ ରହିଛି। ମାଛ ଏବଂ ଅନ୍ୟ ସି-ଫୁଡ୍ ଉପରେ ବିଶ୍ଵର କୋଟି କୋଟି ଲୋକ ନିର୍ଭର କରୁଥିବାରୁ ଏହା ଏବେ ସ୍ଵାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

ଲୁଣରେ ବି ଲୁଚି ରହିଛି ପ୍ଲାଷ୍ଟିକ

ଖାଦ୍ୟର ଏକ ଅତ୍ୟାବଶ୍ୟକ ଉପାଦାନ ହେଉଛି ଲୁଣ। କିନ୍ତୁ, ସେହି ଲୁଣରେ ବି ଲୁଚି ରହିଛି ପ୍ଲାଷ୍ଟିକ! ୨୦୧୮ ମସିହାରେ୨୧ଟି ଦେଶର ୩୯ଟି ପ୍ରମୁଖ ଲୁଣ ବ୍ରାଣ୍ଡକୁ ନେଇ ଗବେଷଣା କରାଯାଇଥିଲା। ୯୦ ପ୍ରତିଶତ ନମୁନାରେ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡ଼ିଥଲା। ଏଗୁଡ଼ିକ ସେହି ପ୍ଲାଷ୍ଟିକ ଯାହାକୁ ସମୁଦ୍ରରେ ଫିଙ୍ଗାଯାଇଥିଲା। ବର୍ତ୍ତମାନ ଏହା ଖାଦ୍ୟର ଏକ ଅଂଶ ପାଲଟି ଯାଇଛି। ସମୁଦ୍ରରେ ପ୍ଲାଷ୍ଟିକ ଆବର୍ଜନା ନିରନ୍ତର ବୃଦ୍ଧି ପାଉଥିବାରୁ ଏହାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି।

ପାନୀୟ କ୍ୟାନରେ ରହିଛି ପ୍ଲାଷ୍ଟିକ

ଯଦି ଆପଣ ଭାବୁଛନ୍ତି ଯେ କେବଳ ପ୍ଲାଷ୍ଟିକ ବୋତଲରେ ହିଁ ପ୍ଲାଷ୍ଟିକ ରହିଛି ତେବେ ଆପଣ ଭୁଲ ଭାବୁଛନ୍ତି। କାରଣ ଆଲୁମିନିୟମ କ୍ୟାନରେ ମଧ୍ୟ ପତଳା ପ୍ଲାଷ୍ଟିକ ଆସ୍ତରଣ ରହିଥାଏ। କ୍ୟାନରେ ଥିବା ପାନୀୟ ଏବଂ ଧାତୁ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ରୋକିବା ପାଇଁ ପ୍ଲାଷ୍ଟିକ୍ କୋଟିଂ ଦିଆଯାଇଥାଏ। ପ୍ଲାଷ୍ଟିକ ଆସ୍ତରଣ ଉତ୍ପାଦକୁ ସୁରକ୍ଷା ଦେଇଥାଏ, କିନ୍ତୁ ଏହାର ବିପଦଜନକ ପ୍ରଭାବ ଚିନ୍ତାରେ ପକାଇଛି। କାରଣ ନିର୍ଗତ ହେଉଥିବା ମାଇକ୍ରୋପ୍ଲାଷ୍ଟିକ ଏବଂ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ମଣିଷର ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ।

ମଣିଷ ରକ୍ତରେ ବି ପ୍ଲାଷ୍ଟିକ!

ମଣିଷ ରକ୍ତରେ ଲୁଚି ରହିଛି ପ୍ଲାଷ୍ଟିକ। ଏହା ଆପଣଙ୍କୁ କାଳ୍ପନିକ କାହାଣୀ ଭଳି ଲାଗିପାରେ, କିନ୍ତୁ ଏହା ସତ। ବିଶେଷଜ୍ଞମାନେ ମଣିଷ ରକ୍ତରେ ମଧ୍ୟ ପ୍ଲାଷ୍ଟିକ କଣିକା ଚିହ୍ନଟ କରିଛନ୍ତି। ତିନି ବର୍ଷର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ଲୋକମାନଙ୍କର ରକ୍ତ ନଳୀରେ ମାଇକ୍ରୋପ୍ଲାଷ୍ଟିକ କଣିକା ରହିଛି, ସେମାନଙ୍କର ହୃଦଘାତ, ଷ୍ଟ୍ରୋକ୍ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ବଢ଼ିଯାଇଛି। ମଣିଷ ରକ୍ତରେ ଥିବା ମାଇକ୍ରୋପ୍ଲାଷ୍ଟିକ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ସଠିକ୍ କାରଣ ଏବଂ ପ୍ରଭାବକୁ ନେଇ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ କୌଣସି ସିଦ୍ଧାନ୍ତରେ ପହଁଚିନାହାନ୍ତି, କିନ୍ତୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଯେତେବେଳେ ମାଇକ୍ରୋପ୍ଲାଷ୍ଟିକ ରକ୍ତରେ ପ୍ରବେଶ କରେ, ସେଗୁଡ଼ିକ ଶରୀରର ବିଭିନ୍ନ ଅଂଶରେ ପହଞ୍ଚିଥାଏ। କିନ୍ତୁ ଆହୁରି ଚିନ୍ତାଜନକ କଥା ହେଉଛି ଯେ ଏହା ମଣିଷ ଜନ୍ମ ହେବା ପୂର୍ବରୁ ମଧ୍ୟ ଆରମ୍ଭ ହୋଇପାରେ। ଗର୍ଭବତୀ ମହିଳାଙ୍କ ପ୍ଲାସେଣ୍ଟା ଏବଂ ମା’ କ୍ଷୀରରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ରହିଥାଇପାରେ। ଫଳରେ ଭବିଷ୍ୟତ ପିଢ଼ି ପାଇଁ ଏହା ଏକ ବଡ଼ ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି।

ଚାରେ ରହିଛି ପ୍ଲାଷ୍ଟିକ

ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଚା’ରେ ମଧ୍ୟ ଥାଇପାରେ ପ୍ଲାଷ୍ଟିକ। ଅନେକ ପାରମ୍ପରିକ ଟି-ବ୍ୟାଗକୁ ସେମାନଙ୍କ ଆକାର ବଜାୟ ରଖିବା ଏବଂ ଗରମ ପାଣିରେ ପଡ଼ିଲେ ଶୀଘ୍ର ମିଳାଇ ନଯିବା ପାଇଁ ସେଥିରେ ପ୍ଲାଷ୍ଟିକର ପ୍ରୟୋଗ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ କେବଳ ଗୋଟିଏ  ଟି-ବ୍ୟାଗକୁ ଯଦି ୯୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବୁଡ଼ାଇ ରଖାଯାଏ, ତେବେ ଗୋଟିଏ କପ୍ ଚା’ରେ ପ୍ରାୟ ୧୧.୬ ବିଲିୟନ ମାଇକ୍ରୋପ୍ଲାଷ୍ଟିକ ଏବଂ ୩.୧ ବିଲିୟନ ନାନୋପ୍ଲାଷ୍ଟିକ ନିର୍ଗତ ହେବ।

କାଗଜ କପ୍ ମଧ୍ୟ ପରିବେଶ ଅନୁକୂଳ ନୁହେଁ

କାଗଜ କପ୍ ପରିବେଶ ଅନୁକୂଳ ମନେହୁଏ, କିନ୍ତୁ ଏଥିରେ ମଧ୍ୟ ପ୍ଲାଷ୍ଟିକ ରହିଥାଏ। ଅଧିକାଂଶ କାଗଜ କପ୍ ଭିତରେ ଏକ ପତଳା ପ୍ଲାଷ୍ଟିକ ସ୍ତର ଥାଏ, ଯାହା ସେଗୁଡ଼ିକୁ ଲିକ୍-ପ୍ରୁଫ୍ କରିଥାଏ। ଏହି କାଗଜ କପକୁ ପୁନଃ ବ୍ୟବହାର ମଧ୍ୟ କରାଯାଇ ପାରେନାହିଁ। ଅଳ୍ପ କିଛି ପେପର କପ୍ ରିସାଇକଲ୍ କରିହୁଏ। ଉଦାହରଣ ସ୍ୱରୂପ, ବ୍ରିଟେନରେ ପ୍ରତି ୪୦୦ କାଗଜ କପରୁ ମାତ୍ର ଗୋଟିଏ କପର ରିସାଇକଲ୍ କରାଯାଇ ପୁନଃ ବ୍ୟବହାର କରାଯାଇଥାଏ।

ବରଫରେ ଲୁଚି ରହିଛି ପ୍ଲାଷ୍ଟିକ

ପ୍ରଥମ ଥର ପାଇଁ, ବୈଜ୍ଞାନିକମାନେ ଆଣ୍ଟାର୍କଟିକାର ଥିବା ବରଫରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ଥିବା ଚିହ୍ନଟ କରିଛନ୍ତି। ଯାହାକି ପ୍ରମାଣ କରୁଛି, ସାରାବିଶ୍ଵରେ ଛାଇ ଯାଇଛି ପ୍ଲାଷ୍ଟିକ୍ ପ୍ରଦୂଷଣ। ବରଫ ଖଣ୍ଡରେ ପ୍ଲାଷ୍ଟିକର ଉପସ୍ଥିତି ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ। ସୂର୍ଯ୍ୟକିରଣ ପ୍ରତିଫଳିତ କରିବାର କ୍ଷମତା ହ୍ରାସ ପାଇବା ଫଳରେ ଆଣ୍ଟାର୍କଟିକାର ବରଫ ଖଣ୍ଡ ଅଧିକ ତାପ ଶୋଷଣ କରି ଶୀଘ୍ର ତରଳି ଯାଇପାରେ। ଏହା ସମୁଦ୍ର ପତନକୁ ମଧ୍ୟ ବୃଦ୍ଧି କରିପାରେ ଏବଂ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ତ୍ୱରାନ୍ୱିତ କରିପାରେ।

Tags: #PlasticPollution #ZeroWaste #PlasticFree #Sustainability #EcoFriendly #ClimateAction

Comment