ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବେଶକୁ ରକ୍ଷା କରିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି ବିଦ୍ୟୁତ ବଲବ୍ ପ୍ରସ୍ତୁତକାରୀ କମ୍ପାନି ସିଗ୍ନିଫାଏ। କମ୍ପାନି ତା’ର ୮୦ ପ୍ରତିଶତ ପ୍ୟାକେଜିଂକୁ ଏବେ  ପ୍ଲାଷ୍ଟିକମୁକ୍ତ କରିଛି। ଏଥିସହିତ ୨୦୨୧ ସୁଦ୍ଧା କମ୍ପାନି ତାର ସମସ୍ତ ପ୍ରକାର ପ୍ୟାକେଜିଂକୁ ପ୍ଲାଷ୍ଟିକ୍ ମୁକ୍ତ କରିବ ବୋଲି ସୂଚନା ଦେଇଛି।

ସିଗ୍ନିଫାଏ କମ୍ପାନି ପୂର୍ବରୁ ତାହାର ସମସ୍ତ ଉତ୍ପାଦର ପ୍ୟାକେଜିଂ ପାଇଁ ପ୍ଲାଷ୍ଟିକ୍ ଉତ୍ପାଦର ସାହାଯ୍ୟ ନେଉଥିଲା। ଏହାପରେ ପରିବେଶ ରକ୍ଷା କରିବା ଉଦ୍ଦେଶ୍ୟରେ ଚିନ୍ତା କରି କମ୍ପାନି ଏବେ ତାର ୮୦ ପ୍ରତିଶତ ଉତ୍ପାଦକୁ ପୁନଃବିନିଯୋଗକ୍ଷମ ପେପର ସାହାଯ୍ୟରେ ପ୍ୟାକେଜିଂ କରୁଛି।

କମ୍ପାନିର ସିଇଓ ଏରିକ୍ ରାଣ୍ଡୋଲ କହିଛନ୍ତି ଯେ, ପ୍ଲାଷ୍ଟିକର ବ୍ୟବହାର ପରିବେଶ ଓ ଏଥିରେ ରହୁଥିବା ପ୍ରାଣୀ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେଣୁ ଏହାକୁ ଦେଖି ସେ ତାଙ୍କ କମ୍ପାନିର ପ୍ୟାକେଜିଂ ସିଷ୍ଟମକୁ ପେପରରେ କରିବାକୁ ଚିନ୍ତା କରିଥିଲେ। ପେପରରେ ପ୍ୟାକେଜିଂ କରିବା ପରେ ଲୋକମାନେ ମଧ୍ୟ ତାଙ୍କର ଉତ୍ପାଦକୁ ଅଧିକ ପରିମାଣରେ ଗ୍ରହଣ କରୁଛନ୍ତି।

ଏକ ତୁଳନାତ୍ମକ ଚିତ୍ର ଦେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ, କମ୍ପାନି ପୂର୍ବରୁ ଯେତିକି ପ୍ଲାଷ୍ଟିକର ବ୍ୟବହାର କରୁଥିଲା ତା ପାଖାପାଖି ୨୫ ଶହ ଟନରୁ ଅଧିକ ହେବ। ଏହି ପ୍ଲାଷ୍ଟିକର ବ୍ୟବହାର କରି ପ୍ରାୟ ୧୨୫ ନିୟୁତ ପ୍ଲାଷ୍ଟିକ ବୋତଲ ନିର୍ମାଣ କରିହେବ। ଏହି ପ୍ଲାଷ୍ଟିକ କିନ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ଥିଲା। ଏହି ପ୍ଲାଷ୍ଟିକ ସମୁଦ୍ରରେ ପଡ଼ିବା ଦ୍ୱାରା ଲକ୍ଷ ଲକ୍ଷ ସାମୁଦ୍ରକ ଜୀବ ନିଜର ପ୍ରାଣ ହରାଇଥାନ୍ତି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ତେଣୁ ଏସବୁକୁ ଆଖି ଆଗରେ ରଖି ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ କମ୍ପାନି ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି କୁହାଯାଇଛି।

ଏଥିସହିତ ସିଗ୍ନିଫାଏ କମ୍ପାନିର ଏହି ପଦକ୍ଷେପକୁ ଅନ୍ୟ କମ୍ପାନିମାନେ ମଧ୍ୟ ଗ୍ରହଣ କରି ସେମାନଙ୍କର ଉତ୍ପାଦକୁ ପେପର ସାହାଯ୍ୟରେ ପ୍ୟାକେଜିଂ କରୁଛନ୍ତି। ଯାହା ଫଳରେ ପରିବେଶର ସନ୍ତୁଳନକୁ ଅନେକାଂଶରେ ରକ୍ଷା କରାଯାଇପାରୁଛି।

Comment