ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସରକାରୀ ଅଫିସ୍ ଓ ବୈଠକରେ ବ୍ୟବହାର ହେବନି ପ୍ଲାଷ୍ଟିକ୍ ଗ୍ଲାସ୍ ଓ ପ୍ଲାଷ୍ଟିକ୍‌ ବୋତଲ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି ନିୟମ ଏବେ ସରକାରୀ କାର୍ଯ୍ୟାଳୟରେ ବି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ସାଧାରଣ ପ୍ରଶାସନ ବିଭାଗର ପ୍ରିନସିପାଲ୍ ସେକ୍ରେଟାରୀ ସଞ୍ଜୀବ ଚୋପ୍ରା ଏନେଇ ଏକ ନିର୍ଦ୍ଦେଶନାମା ଜାରିକରିଛନ୍ତି। ସେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।  ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏଣିକି ରାଜ୍ୟର କୌଣସି ସରକାରୀ ଅଫିସ୍ ଓ ମିଟିଙ୍ଗରେ ପ୍ଲାଷ୍ଟିକ୍ ବୋତଲ, କପ୍ ଓ ପ୍ଲେଟର ବ୍ୟବହାର କରାଯିବନାହିଁ।

ସରକାରୀ ଅଫିସ ଓ ମିଟିଙ୍ଗରେ ଏବେ କାଚ କିମ୍ବା ଷ୍ଟିଲ ବୋତଲରେ ପାଣିର ବ୍ୟବହାର, ପେପର୍‌ କପ୍‌ ଏବଂ ପ୍ଲେଟ୍‌ର ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାର କୌଣସି ସରକାରୀ ଅଫିସ୍ ଓ ମିଟିଙ୍ଗରେ ପ୍ଲାଷ୍ଟିକର ବ୍ୟବହାର ନକରିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

Comment