ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ଆଉ ଏକ ଗୌରବ ଆଣିଲେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆମେରିକାର ବୋଷ୍ଟନ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ୍‌ରେ ସେ ସମ୍ମାନଜନକ ‘ପିପୁଲ୍‌ସ ଚଏସ୍‌’ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ବିଶ୍ୱର ୧୫ଟି ଦେଶର ପ୍ରତିଷ୍ଠିତ ବାଲୁକା ଶିଳ୍ପୀମାନେ ଭାଗ ନେଇଥିଲେ। ଭାରତରୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏଥିରେ ଭାଗ ନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ ସୁଦର୍ଶନ ଏହି ସମ୍ମାନ ପାଇଛନ୍ତି।

ସମୁଦ୍ରର ସୁରକ୍ଷା ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ବନ୍ଦ କରିବା ଦରକାର ବୋଲି ସୁଦର୍ଶନ ତାଙ୍କ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଥିଲେ। ଏହି ବାଲୁକା କଳା ଆମେରିକାରେ ସମସ୍ତଙ୍କର ମନ ମୋହିଥିଲା।

‘‘ଆମେରିକାରେ ଏଭଳି ସମ୍ମାନ ପାଇବା ମୋ’ ପାଇଁ ବଡ଼ କଥା। ଏହି ସମ୍ମାନ ମୁଁ ଭାରତବାସୀଙ୍କ ପାଇଁ ଉତ୍ସର୍ଗ କରୁଛି। ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଭାରତ ବଡ଼ ପଦକ୍ଷେପ ନେଇଛି। ଏନେଇ ସମସ୍ତଙ୍କୁ ସଚେତନ ମଧ୍ୟ କରାଯାଉଛି’’, ଏହା କହିଛନ୍ତି ସୁଦର୍ଶନ ପଟ୍ଟନାୟକ।

Comment