ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ପାଞ୍ଚ ଦିନରେ ୫ ଥିମ୍‌କୁ ନେଇ ବାଲୁକା ଶିଳ୍ପୀମାନେ ଯେଉଁ ବାଲୁକା କଳା କରିଥିଲେ ତାହାକୁ ମନଭରି ଉପଭୋଗ କରିଛନ୍ତି ପର୍ଯ୍ୟଟକ।

ବାଲୁକା ଶିଳ୍ପୀଙ୍କ ଏହି ଆକର୍ଷଣୀୟ କଳାକୃତିକୁ ଡ୍ରୋନ୍‌ କ୍ୟାମେରା କଏଦ କରିଛି। ଡ୍ରୋନ୍‌ କ୍ୟାମେରା ଯେଉଁ ଫଟୋ ଉତ୍ତୋଳନ କରିଛି ତାହା ସମସ୍ତଙ୍କୁ ବିଭୋର କରିଛି।

ବାଲୁକା କଳା ପ୍ରଦର୍ଶନୀରେ ୩୦ ଜଣ ଭାରତୀୟ ଏବଂ ୬ ଜଣ ବିଦେଶୀ ବାଲୁକାଶିଳ୍ପୀ ଭାଗ ନେଇଥିଲେ। ବିଶେଷ କରି ମେକ୍ସିକୋ, ସ୍ପେନ୍, ସିଙ୍ଗାପୁର, ଫ୍ରାନସ୍, ନରୱେ, ଜର୍ମାନୀ, ନେଦରଲାଣ୍ଡ ଏବଂ ଆମେରିକାରୁ କଳାକାରମାନେ ଆସି ଚନ୍ଦ୍ରଭାଗା ବାଲୁକା କଳା ଉତ୍ସବରେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରିଥିଲେ।

ବାଲୁକା କଳା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ୫ ଦିନରେ ୫ଟି ଥିମ ରଖାଯାଇଥିଲା। ପ୍ରଥମ ଦିନ- ପ୍ରକୃତି ପର୍ଯ୍ୟଟନ, ଦ୍ୱିତୀୟ ଦିନରେ ରହିଛି ସଂସ୍କୃତି, ପର୍ବ ଓ ପର୍ବାଣୀ, ତୃତୀୟ ଦିନରେ ମହିଳା ସଶକ୍ତିକରଣ, ଚତୁର୍ଥ ଦିନରେ ପ୍ଲାଷ୍ଟିକ୍‌କୁ ନା ଥିମ୍‌ ରହିଥିବା ବେଳେ ପଞ୍ଚମ ଦିନରେ ଐତିହ୍ୟ ରହିଥିଲା। ଏହି ଥିମ୍‌କୁ ନେଇ ବାଲୁକା ଶିଳ୍ପୀମାନେ ନିଜ ହାତର ଯାଦୁଗରୀ ଦେଖାଇଥିଲେ। ଏହାକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନଙ୍କର ଭିଡ଼ ଜମିଥିଲା।

କୋଣାର୍କଠାରୁ ଅଳ୍ପ ଦୁରରେ ଥିବା ଚନ୍ଦ୍ରଭାଗା ସମୁଦ୍ରକୂଳରେ ୨୦୧୧ ମସିହାରୁ ଆୟୋଜିତ ହୋଇ ଆସୁଛି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଓଡ଼ିଶାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ମୂଳରୁ ଯୋଡ଼ି ହୋଇ ରହିଛନ୍ତି।

Comment