ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ଦାଣ୍ଡରେ ଗଡ଼ିଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ହଜାର ହଜାର ମହିଳା ଭକ୍ତ ଦେବଦଳନ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବଦଳନ ରଥ ଗଡ଼ିଛି। ଘଣ୍ଟ ଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ଶୁକ୍ରବାର ସକାଳୁ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଶେଷ ହେବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ଓ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଦେବଦଳନ ରଥକୁ ଅଣାଯାଇଥିଲା।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥରେ ଛେରାପହଁରା ସରିବା ପରେ ଦେବଦଳନ ରଥରେ ଛେରାପହଁରା ହୋଇଥିଲା। ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା।

ଦେବଦଳନ ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଚାରମାଳ ଫିଟାଯାଇଥିଲା। ଏହାପରେ ସେଥିରେ ନାଲି ଘୋଡ଼ା ଲଗାଯାଇଥିଲା। ୩ ରଥରେ ଘୋଡ଼ା ଲଗା ନୀତି ସରିବା ପରେ ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା। ଏହାପରେ ଦେବଦଳନ ରଥଟଣା ଆରମ୍ଭ ହୋଇଥିଲା।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବାରୁ ପୁରୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #RathaJatra2025 #DebadalanRath #DeviSubhadra #BadaDanda #Puri

Comment