ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବସ୍ତି ଉଚ୍ଛେଦ ଓ ପୁନର୍ବାସ ଯୋଜନାରେ ସହରର ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଆବଣ୍ଟନ କରାଯାଇଛି। ବୁଧବାର ଦିନ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସୁଲଭ ମୂଲ୍ୟରେ ଆବାସ ଯୋଜନା (ଏଏଚ୍‌ପି) ଏବଂ ଇନ୍‌ ସିଟୁ ସ୍ଲମ୍‌ ରିଡେଭଲପମେଣ୍ଟ (ଆଇଏସ୍‌ଏସ୍‌ଆର୍‌) ଯୋଜନାରେ ୩୮ ଜଣ ହିତାଧିକାରୀଙ୍କୁ ଲଟେରି ଜରିଆରେ ଘର ବଣ୍ଟନ କରାଯାଇଛି।

ବିଡିଏ ଉପାଧ୍ୟକ୍ଷ ଡକ୍ଟର ଏନ୍‌ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଘର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗରିବ ତଥା ଅସହାୟଙ୍କୁ ନିରାପଦ ଓ ସମ୍ମାନପୂର୍ଣ୍ଣ ଘର ଯୋଗାଇ ଦେବା ଏଏଚପି ଓ ଆଇଏସଏସଆର ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ବିଡିଏ ଉପାଧ୍ୟକ୍ଷ କହିଛନ୍ତି।

ଲଟେରି ମାଧ୍ୟମରେ ୨୪ ଜଣ ହିତାଧିକାରୀଙ୍କୁ ସୁବୁଦ୍ଧିପୁରସ୍ଥିତ ବରୁଣେଇ ଏନକ୍ଲେଭ୍‌ ଏଏଚ୍‌ପିରେ ଘର ମିଳିଥିବା ବେଳେ ୯ ଜଣଙ୍କୁ ଶାନ୍ତି ନଗର ଆବାସ ଯୋଜନା (କେଶରୀ ରେସିଡେନ୍ସି)ରେ ଏବଂ ୫ ଜଣଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ଆବାସ ଯୋଜନାରେ ଘର ବଣ୍ଟନ କରାଯାଇଛି। ଘର ପାଇଥିବା ହିତାଧିକାରୀମାନଙ୍କୁ ନିଜ ନିଜ ପ୍ଲଟ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ।

ଆବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଲଟେରି ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ପର୍ଯ୍ୟବେକ୍ଷକ ଭାବେ ବୟନିକାର ସଚିବ ତଥା ମହାପ୍ରବନ୍ଧକ ଡକ୍ଟର ସୁଷମା ବାରିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଏବଂ ଅତିରିକ୍ତ କମିଶନର ମନୋଜ କୁମାର ସ୍ୱାଇଁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।

Tags: #BDA #AffordableHouse #Slum #Lottery #Bhubaneswar

Comment