ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ତଫା ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସୋସିଆଲ ମିଡିଆ ବ୍ୟାନକୁ ନେଇ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜେନ୍-ଜି ବା ଯୁବପିଢ଼ିଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ ସେ ପଦ ଛାଡ଼ିଛନ୍ତି। ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମେତ ସଂସଦ ଭବନ ଓ ଅନେକ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।
ହିଂସା ତୀବ୍ର ହେଉଥିବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପୂର୍ବରୁ ନେପାଳର ଗୃହମନ୍ତ୍ରୀଙ୍କ ସମେତ ୩ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି।
ନେପାଳ ସରକାର ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ୨୬ଟି ସୋସିଆଲ ମିଡିଆ ଆପ୍ ଉପରେ ରୋକ୍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଜେନ-ଜି ପିଢ଼ି। ପ୍ରତିବନ୍ଧକ ଉଠାଇବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ ବିକ୍ଷୋଭ ଆହୁରି ହିଂସାତ୍ମକ ରୂପ ନେଇଛି।
ମୃତାହତଙ୍କ ସଂଖ୍ୟା ବଢୁଥିବାବେଳେ ଅନେକ ସହରରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି।
Tags: #NepalPM #KPSharmaOliResigns #GenZProtest










