କମଳାକାନ୍ତ ପତି

ପୂର୍ବ ଲଦାଖ ଅଞ୍ଚଳରେ ଏଲଏସି ଅତିକ୍ରମ କରି ଭାରତ ପ୍ରତି ବିଶ୍ଵାସଘାତକତା କରିଥିବା ଚୀନ୍ ଯେ କେତେ ଭୟଙ୍କର ଏବେ ବୁଝୁଛି ନେପାଳ। ତେଣୁ କେ.ପି. ଶର୍ମା ଓଲି ସରକାର ଏବେ ଭାରତ ସହ ପୁନର୍ବାର ସୁସମ୍ପର୍କର ପ୍ରୟାସ ଆରମ୍ଭ କରିଛି।

ଜମି ହଡ଼ପ ପରେ ନେପାଳର ଚେତା ପଶିଲା

ଚଳିତ ବର୍ଷ ଆରମ୍ଭରୁ ଚୀନ୍ କଥାରେ ମାତି ଭାରତ ବିରୋଧରେ ବିବାଦ ଛିଡ଼ା କରାଇଥିଲେ ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି। ଚୀନର ସୈନ୍ୟମାନେ ଭାରତର ପୂର୍ବ ଲଦାଖ ଅଞ୍ଚଳରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଗତ ମାର୍ଚ୍ଚ ମାସରେ ଉତ୍ତେଜନା ସୃଷ୍ଟି କରିଥିଲେ। ଯାହାକି ଏବେ ମଧ୍ୟ ଅବ୍ୟାହତ ରହିଛି। ଠିକ ସେହି ସମୟରେ ନେପାଳ ସରକାର ଭାରତ ବିରୋଧରେ ଛିଡ଼ା କରାଇଥିଲେ ସୀମା ବିବାଦ। ଓଲି ସରକାର ନେପାଳର ନୂଆ ମାନଚିତ୍ରରେ ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ତିନୋଟି ଅଞ୍ଚଳ – ଲିପୁଲେଖ, କାଲାପାନି ଏବଂ ଲିମ୍ଫୟାଧୁରାକୁ ସାମିଲ୍ କରିଦେଇଥିଲେ। ଅତ୍ୟନ୍ତ ତରବରିଆ ଭାବେ ସେହି ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟରେ ଅନୁମୋଦିତ କରାଇ ନିଆଗଲା।

ଭାରତ ସହ ଏଭଳି ବିବାଦକୁ ନେପାଳର ବିରୋଧୀ ଦଳଗୁଡ଼ିକ ବିରୋଧ କରୁଥିଲେ ମଧ୍ୟ ଚୀନ୍ ପ୍ରରୋଚନାରେ ଓଲି ଏହି ପଦକ୍ଷେପ ଗ୍ରହଣ ପାଇଁ ସାହସ କରିଥିଲେ। ଏଥିପାଇଁ ଓଲିଙ୍କ ପଦବୀ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତା ସତ୍ତ୍ଵେ ସେ ଚୀନ୍ ପ୍ରରୋଚନାରେ ଭାରତ ବିରୋଧରେ ସ୍ଵର ଉତ୍ତୋଳନ କରୁଥିଲେ। ଚୀନର ଏହି ସହାୟତା ପଛରେ ଯେ ଏକ ବଡ଼ ଚକ୍ରାନ୍ତ  ଲୁଚି ରହିଥିଲା ତାହା ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଛି। ଚୀନ୍ ତା’ର ସୀମାନ୍ତ ରାସ୍ତା ସମ୍ପ୍ରସାରଣ ବେଳେ ନେପାଳର ଅନ୍ତତଃ ୧୧ଟି ସ୍ଥାନରେ ସୀମା ଲଂଘନ କରି ଜମି ହଡ଼ପ କରିଛି। ଏହା ନେପାଳ କୃଷି ମନ୍ତ୍ରଣାଳୟ ସର୍ଭେ ରିପୋର୍ଟରୁ ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ଓଲିଙ୍କ ମୁଣ୍ଡରେ ଚେତା ପଶିଛି।

ନେପାଳର ୧୭ ହେକ୍ଟର ମାଡ଼ିବସିଛି ଚୀନ୍

ଚୀନ୍‌କୁ ଅନ୍ଧ ଭାବେ ବିଶ୍ଵାସ କରୁଥିବାର ଫଳ ଏବେ ଭୋଗୁଛି ନେପାଳ। ଭାରତ ସହ ‘ରୋଟି ବେଟି’ର ସମ୍ପର୍କକୁ ଗୋଡ଼ରେ ଆଡ଼େଇଦେଇ ଯେଉଁ ଭୁଲ କରିଛନ୍ତି, ତାହା ଏବେ  ଓଲିଙ୍କ ଚିନ୍ତାର କାରଣ। ନେପାଳ କୃଷି ମନ୍ତ୍ରଣାଳୟ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଦେଶର ଉତ୍ତର ତିଦ୍ଦତ ସୀମାନ୍ତରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରୁଛି ଚୀନ୍। ସେହି କାମ କରିବାକୁ ଯାଇ ଅନ୍ତତଃ ୧୧ଟି ସ୍ଥାନରେ ସୀମା ଲଙ୍ଘନ କରି ଚୀନ୍ ନେପାଳର ଜମି ଦଖଲ କରିନେଇଛି। ଏଥିସହ ନେପାଳ ଭୂଖଣ୍ଡରେ ଥିବା ପାହାଡ଼ି ନଦୀଗୁଡ଼ିକର ଗତିପଥ ପରିବର୍ତ୍ତନ କରି ତିଦ୍ଦତକୁ ଜଳଯୋଗାଣର ବ୍ୟବସ୍ଥା ମଧ୍ୟ କରିଦେଇଛି।

ନେପାଳ –ତିଦ୍ଦତ ସୀମାନ୍ତ ପଶ୍ଚିମରେ ଥିବା ହୁମଲା ଜିଲ୍ଲାର ୧୦ ହେକ୍ଟର ଏବଂ ରାସୁଓ୍ୱା ଜିଲ୍ଲାର ୬ ହେକ୍ଟର ଜମି ଦଖଲ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ବେଜିଂ। ଏହି ରିପୋର୍ଟ ପ୍ରକାଶ ପରେ ଓଲି କେବଳ ନିଜ ଦଳରେ କାହିଁକି, ତାଙ୍କ ସରକାରର ମେଣ୍ଟ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ସମାଲୋଚିତ ହେଉଛନ୍ତି। ତେଣୁ ଓଲି ଆଉ ବାଟ ନ ପାଇ ଭାରତ ସହ  ସମ୍ପର୍କର ସେତୁ ପୁଣି ଗଢ଼ିବା ସକାଶେ ପ୍ରୟାସ ଆରମ୍ଭ କରିଛନ୍ତି।

ନୂଆ ମାନଚିତ୍ର ଥିବା ବହି ବଣ୍ଟନ ସ୍ଥଗିତ

ଚୀନ୍ ବିଶ୍ଵାସଘାତକତାର ଶିକାର ହେବା ପରେ ନେପାଳର ଓଲି ସରକାର ଭାରତକୁ ସନ୍ତୁଷ୍ଟ କରିବା ପାଇଁ ଦେଶର ନୂଆ ମାନଚିତ୍ର ଥିବା ସରକାରୀ ପାଠ୍ୟପୁସ୍ତକ ବଣ୍ଟନ ସ୍ଥଗିତ ରଖିଛନ୍ତି। ଗତ ମାର୍ଚ୍ଚ ମାସରେ ତିନି ଭାରତୀୟ ଅଞ୍ଚଳ ସାମିଲ ଥିବା ଦେଶର ନୂଆ ମାନଚିତ୍ର ସଂସଦର ମଞ୍ଜୁରୀ ପାଇଥିଲା। ଏହାପରେ ନେପାଳ ସରକାର ସ୍କୁଲ୍ ପାଠ୍ୟପୁସ୍ତକରେ ନୂଆ ମାନଚିତ୍ର ଛାପି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାର ଯୋଜନା ରଖିଥିଲେ। ଏଥିପାଇଁ ପାଠ୍ୟପୁସ୍ତକଗୁଡ଼ିକ ଛପା ସରିଥିଲା। ମାତ୍ର ଏହି ବହିଗୁଡ଼ିକୁ ପିଲାଙ୍କୁ ବାଣ୍ଟି ଭାରତକୁ ଅଧିକ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ଓଲି ସରକାର। ତେଣୁ ଏହି ପୁସ୍ତକଗୁଡ଼ିକୁ ପିଲାଙ୍କୁ ହସ୍ତାନ୍ତର ନ କରିବା ସକାଶେ ଦେଶର ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। କୁଟନୈତିକ ସୂତ୍ରର ଖବର ଅନୁସାରେ ନେପାଳ ସରକାର ଭାରତର ଅନୁରୋଧକୁ ମାନିନେଇ ଏହି ସରକାରୀ ପାଠ୍ୟପୁସ୍ତକ ପିଲାଙ୍କୁ ନ ବାଣ୍ଟିବା ସକାଶେ ନିଷ୍ପତ୍ତି ନେଇଛି।

କାହିଁକି ନରମିଲେ ଓଲି?

ଭାରତୀୟ ଅଞ୍ଚଳକୁ ନିଜ ଦେଶର ନୂଆ ମାନଚିତ୍ରରେ ସାମିଲକରି ଏବଂ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଏବଂ ଶିଳାନ୍ୟାସ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ନେପାଳରେ ହୋଇଥିଲା ବୋଲି କହି ବିବାଦ ସୃଷ୍ଟି କରିଥିଲେ ଓଲି। ଏଥିରେ ନିଜ ଦେଶରୁ ଏପରିକି ନିଜ ସରକାରରେ ସାମିଲ୍ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ତାଙ୍କୁ ସମର୍ଥନ ମିଳିଲା ନାହିଁ। ତେଣୁ ସେ ବାଧ୍ୟହୋଇ ଭାରତର ଗଣ ସ୍ଵାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେଲିଫୋନ୍ କରି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦ୍ଵିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଅନୁରୋଧ ଜଣାଇଥିଲେ। ଓଲିଙ୍କର ଅଚାନକ ମନ ପରିବର୍ତ୍ତନ ଏବଂ ଏହାର ୨ ଦିନ ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ବାର୍ତ୍ତାଳାପ ସୂଚିତ କରୁଥିଲା ଯେ, ନେପାଳ କ୍ରମେ ଚୀନ୍ କବ୍‌ଜାରୁ ମୁକୁଳିବାକୁ ଚାହୁଁଛି। ପରବର୍ତ୍ତୀ ସମୟରେ ଚୀନର ଜମି ହଡ଼ପ ଘଟଣା ଓଲିଙ୍କୁ ବିଶ୍ଵାସଘାତକତାର ଚେତନା ଦେଇଛି।

ଭାରତକୁ ଚିଡ଼ାଇଲେ କ୍ଷତିରେ ପଡ଼ିବ

ନେପାଳ ସରକାର ଏହା ମଧ୍ୟ ଜାଣିସାରିଛନ୍ତି ଯେ, କୌଣସି ପ୍ରସଙ୍ଗକୁ ନେଇ ଯଦି ଭାରତ ସହ ବିବାଦ କରାଯାଏ, ତେବେ କ୍ଷତିରେ ପଡ଼ିବା ନିଶ୍ଚିତ। କାରଣ ଭାରତ ସହଯୋଗିତାରେ ନେପାଳର ଭିତ୍ତିଭୂମି ଉନ୍ନୟନ  ସକାଶେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଦୁଇ ଦେଶ ମଧ୍ୟରେ ବିବାଦ ସେହି କାର୍ଯ୍ୟଗୁଡ଼ିକର ଅଗ୍ରଗତିରେ ବାଧା ସୃଷ୍ଟି କରିବ ବୋଲି ଓଲିଙ୍କର ହୃଦ୍ବୋଧ ହୋଇଛି। ବିଶେଷ କରି ବିହାରର ମୋତିହାରୀଠାରୁ ନେପାଳର ଅମଲେଖଗଞ୍ଜ ପର୍ଯ୍ୟନ୍ତ ତୈଳ ପାଇପ୍ ଲାଇନ୍ ନିର୍ମାଣ, ବିରାଟ ନଗର ସୀମାନ୍ତରେ ସୁସଂହତି ଚେକ୍ ପୋଷ୍ଟ, ସର୍ବୋପରି ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ତଥା ପର୍ଯ୍ୟଟନ ସମ୍ପର୍କ ବୃଦ୍ଧି ପାଇଁ ରାମାୟଣ ସର୍କିଟ୍ ନିର୍ମାଣ ପ୍ରକଳ୍ପ ନେପାଳ ପାଇଁ ଅତ୍ୟନ୍ତ ଗୁରୁତ୍ଵ ରଖୁଛି। ଏହି ପ୍ରକଳ୍ପଗୁଡ଼ିକ ଭାରତ ସହଯୋଗିତାରେ ଚାଲିଛି। ମୋଦୀ-ଓଲିଙ୍କ ଟେଲିଫୋନ୍ ବାର୍ତ୍ତାଳାପ ପରେ ଦୁଇ ଦେଶ ମଧ୍ୟରେ ବୈଠକ ବସି ଏହି ସବୁ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରାଯାଇଥିଲା।

ରାମାୟଣ ସର୍କିଟ୍ ପରିକଳ୍ପନା କାହିଁକି

ରାମାୟଣର ବର୍ଣ୍ଣନା ଅନୁଯାୟୀ ଜନକ ରାଜାଙ୍କ ଝିଅ ହେଉଛନ୍ତି ସୀତା। ସେହି ଜନକପୁରୀ (ପୂର୍ବ ନାମ ମିଥିଳା) ରହିଛି ନେପାଳରେ। ପ୍ରଭୁ ଶ୍ରୀରାମଚନ୍ଦ୍ର ଯେଉଁ ମାର୍ଗ ଦେଇ ଅଯୋଧ୍ୟାକୁ ଯାଇ ମିଥିଳାରେ ପହଞ୍ଚିଥିଲେ, ସେହି ମାର୍ଗକୁ ରାମାୟଣ ସର୍କିଟରେ ପରିଣତ କରିବା ହେଉଛି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନା। ୨୦୧୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନେପାଳ ଗସ୍ତରେ ଯାଇଥିବା ବେଳେ ଏହି ରାମାୟଣ ସର୍କିଟ୍ ପାଇଁ ଆଗ୍ରହ ଦେଖାଇଥିଲେ। ଏହି ସର୍କିଟ୍ କେବଳ ଭାରତ-ନେପାଳ ସାଂସ୍କୃତିକ ସମ୍ପର୍କର ସେତୁ ହେବନାହିଁ, ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଭାରତ ସରକାର ଏଭଳି ଏକ ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ଯାଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ ଓଲି ଶ୍ରୀରାମଙ୍କୁ ନେପାଳୀ ବୋଲି ଦାବି କରି ବିବାଦ ସୃଷ୍ଟି କରିଥିଲେ। ନେପାଳୀ ଭାଷାରେ ରାମାୟଣ ରଚନାକାର କବି ଭାନୁଭକ୍ତଙ୍କ ଜନ୍ମବାର୍ଷିକୀ ଉଦ୍ଯାପନ ଉତ୍ସବରେ ଯୋଗଦେଇ ଓଲି ଯେଉଁଭଳି ଭାବେ ଶ୍ରୀରାମଙ୍କୁ ଚିତ୍ରଣ କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ କହିଥିଲେ ଯେ, ନେପାଳର ବୀରଗଳି ନିକଟସ୍ଥ ଥୋରିଠାରେ ଜନ୍ମଗ୍ରହଣ କରିଥିଲେ ପ୍ରଭୁ ଶ୍ରୀରାମ। ଥୋରି ହିଁ ପ୍ରକୃତରେ ଅଯୋଧ୍ୟା। ସାଂସ୍କୃତିକ ଲଢ଼େଇରେ ନେପାଳଠାରୁ ରାମ ଓ ଅଯୋଧ୍ୟାକୁ ଭାରତ ଅପହରଣ କରିନେଇଛି। ଓଲିଙ୍କର ଏହି ଯୁକ୍ତିକୁ ଅନେକ ପାଗଳର ପ୍ରଳାପ ବୋଲି ସେତେବେଳେ ଆଖ୍ୟା ଦେଇଥିଲେ।

ନିରାଶ ହୋଇ ନଇଁଛନ୍ତି

ରାଜନୈତିକ ମହଲରେ ଚର୍ଚ୍ଚା, ନେପାଳ ପ୍ରଧାନମନ୍ତ୍ରୀ ଓଲି ଚୀନ୍ ପ୍ରରୋଚନାରେ ଡେଉଁଥିଲେ। ଏବେ ଚୀନ୍ ଯେତେବେଳେ ପଛରୁ ଛୁରି ମାରିଲା, ନୂଆ ମାନଚିତ୍ର ଜାତିସଂଘ ଦ୍ଵାରା ପ୍ରତ୍ୟାଖ୍ୟାତ ହେଲା ସେତେବେଳେ ନିଜ ଭୁଲ ବୁଝିପାରିଛନ୍ତି ଓଲି। ନିଜର ଗାଦି ବଞ୍ଚାଇବା ପାଇଁ ଓଲି ଭାରତ ସହ ସୁସମ୍ପର୍କର ରାସ୍ତା ଖୋଲୁଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment