ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଅସିତ ତ୍ରିପାଠୀଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।  

ଦୁଇଦିନ ଧରି ଚାଲିଥିବା ନିର୍ବାଚନରେ ମୋଟ ୧,୭୭୪ ଜଣ ମତଦାନ କରିଥିଲେ। ପ୍ରଦୀପ ଜେନାଙ୍କ ସପକ୍ଷରେ ୮୯୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଅସିତ ତ୍ରିପାଠୀଙ୍କୁ ମିଳିଥିଲା ୮୭୩ ଭୋଟ। ୧୮ଟି ଭୋଟ ଅଧିକ ପାଇ ଭୁବନେଶ୍ଵର କ୍ଲବର ସଭାପତି ହୋଇଛନ୍ତି ପ୍ରଦୀପ କୁମାର ଜେନା। ଅନ୍ୟପଟେ ହ୍ୟାଟ୍ରିକ ଲକ୍ଷ୍ୟ ରଖିଥିବା ଅସିତ ତ୍ରିପାଠୀଙ୍କୁ ନିରାଶ ହେବାକୁ ପଡ଼ିଛି।

ଭୁବନେଶ୍ଵର କ୍ଳବ ନିର୍ବାଚନରେ ପ୍ରଗତି ମହାନ୍ତି ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଲଳିତ ଦାସ। ନିର୍ବାଚନରେ ଯୁଗ୍ମ ସମ୍ପାଦକ ଭାବେ ସମ୍ବିତ ମହାନ୍ତି ନିର୍ବାଚିତ ହୋଇଛନ୍ତି।

ବିଜୟ ପରେ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ସଭାପତିଙ୍କ ଚ୍ୟାମ୍ବର ଡୋରରେ କାଚ ଲଗାଇବା ତାଙ୍କର ପ୍ରଥମ ପଦକ୍ଷେପ ହେବ। ସଭାପତି ଚ୍ୟାମ୍ବରରେ ବସି କ’ଣ କରୁଛନ୍ତି, ତାହା ସମସ୍ତେ ଜାଣିବା ଆବଶ୍ୟକ।

ସେ ଆହୁରି କହିଛନ୍ତି, କ୍ଲବର କୌଣସି ସଭାପତି କିମ୍ବା ସମ୍ପାଦକ ଜୀବନକାଳ ମଧ୍ୟରେ ଯେପରି ଦୁଇଥରରୁ ଅଧିକ ରହିପାରିବେ ନାହିଁ, ସେ ନେଇ ସେପରି ସଂକଳ୍ପ ପତ୍ର ଆସିବ।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କ୍ଲବରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ନୂଆ ସଭାପତିଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ।

Tags: #PradeepKumarJena #BhubaneswarClubElection #PresidentPost #Odisha

Comment