ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ବାହାନଗା ରେଳ ଷ୍ଟେସନ ନିକଟରେ ଜୁନ ୨ ତାରିଖରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ୧୦୦୦ରୁ ଅଧିକ ଆହତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ ହୋଇସାରିଛି। ମୃତଦେହ ଚିହ୍ନଟ କରିବାକୁ ବିଭିନ୍ନ ସ୍ଥାନରୁ ସେମାନଙ୍କ ସମ୍ପର୍କୀୟମାନେ ଓଡ଼ିଶାରେ ପହଞ୍ଚିଛନ୍ତି।

ମୃତଦେହ ଚିହ୍ନଟ ହେବା ପରେ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ସର୍ମ୍ପକୀୟମାନେ ସାଙ୍ଗରେ ମୃତେଦେହ ନେବାକୁ ଚାହିଁବେ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ। ମୃତଦେହକୁ ସ୍ଵତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ମୃତକଙ୍କ ଲିଗାଲ ଡକ୍ୟୁମେଣ୍ଟସ ସଂଗ୍ରହ କରି ଯଥାଶୀଘ୍ର ସେମାନଙ୍କ ପରିବାରକୁ ପଠାଇଦିଆଯିବ ବୋଲି ସେ କହିଛନ୍ତି।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତାହତଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଏବଂ ୧୯୨୯ ରେ ଯୋଗାଯୋଗ କରିବାକୁ କୁହାଯାଇଛି। ମୃତ ଏବଂ ଆହତମାନଙ୍କ ସମ୍ପର୍କୀୟ ଓଡ଼ିଶାରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ଏବଂ ଆହତମାନଙ୍କୁ ଚିହ୍ନଟ କରି ସାଙ୍ଗରେ ନେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ସବୁପ୍ରକାର ସହାୟତା ଯୋଗାଇଦିବ ବୋଲି କହିଛନ୍ତି ପ୍ରଦୀପ କୁମାର ଜେନା।

ବର୍ତ୍ତମାନ ଏମ୍ସ ହସ୍ପିଟାଲରେ ୧୨୦ରୁ ଅଧିକ ମୃତଦେହ ରହିଛି। ସେଠାରେ ଏକ ଟିଭି ସ୍କ୍ରିନ ଲଗାଯାଇ ମୃତକଙ୍କ ଫଟୋ ରିଲିଜ କରାଯାଉଛି। ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବା ସହ ଜଗତସିଂପୁର ଉପଜିଲ୍ଲାପାଳ ପରିଚାଳନା ଦାୟିତ୍ଵ ଦିଆଯାଇଛି।

Tags: #BahanagaTrainTragedy #DeadBodyIdentification #ReleaseDeadBodies #PradeepKumarJena

Comment