ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀରେ ଏବେ ବନ୍ୟା ଆସିଛି। ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ରହିଛି। ତେବେ କ’ଣ ହୀରାକୁଦରୁ ପାଣି ଆସିଲେ ମହାନଦୀରେ ବନ୍ୟା ହୁଏ କି? ଏହାର ଉତ୍ତର ଦେଇଛନ୍ତି ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା। ତାଙ୍କ କହିବା କଥା ଯେ ହୀରାକୁଦରୁ ପାଣି ଆସିଲେ ମହାନଦୀରେ ବନ୍ୟା ହୁଏ ନାହିଁ। ହୀରାକୁଦ ପାଣି ଏବଂ ବିଭିନ୍ନ ଉପ ନଦୀର ପାଣି ମିଶିଲେ ମହାନଦୀରେ ବନ୍ୟା ଆସେ।
‘‘କେବଳ ହୀରାକୁଦ ଡ୍ୟାମ୍ ଖୋଲାଗଲେ ମହାନଦୀରେ ବନ୍ୟା ହୁଏ ନାହିଁ। ମହାନଦୀରେ ବନ୍ୟା ବିଭିନ୍ନ କାରଣ ଯୋଗୁଁ ବନ୍ୟା ହୋଇଥାଏ’’, କହିଛନ୍ତି ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା।
ବର୍ତ୍ତମାନ ମହାନଦୀରେ ବନ୍ୟା ଦେଖାଦେଇଛି। ଏଥିପାଇଁ ହୀରାକୁଦ କେବଳ ଦାୟୀ ନୁହେଁ। ଛତିଶଗଡ଼ରୁ ବାହାରିଥିବା ତେଲ ନଦୀ ସୋନପୁରଠାରେ ମହାନଦୀରେ ମିଶିଛି। ତେଲ ନଦୀ ଉପରମୁଣ୍ଡରେ ଯେତେବେଳେ ଅତ୍ୟଧିକ ବୃଷ୍ଟିପାତ ହୁଏ ସେତେବେଳେ ମହାନଦୀରେ ବନ୍ୟା ଆସେ। ଠିକ୍ ସେହିପରି ଇନ୍ଦ୍ରାବତୀ ନଦୀର ପାଣିରେ ବିଦ୍ୟୁତ୍ ଉତ୍ପାଦନ ସରିବା ପରେ ତାହା ହାତୀ ନଦୀ ଦେଇ ଆସି ମହାନଦୀରେ ସୋନପୁରଠାରେ ମିଶିଥାଏ।
ସେହିପରି ମହାନଦୀର ଶାଖା ସାଲକୀ ନଦୀ, ପିରା ନଦୀ ଓ ବିଭିନ୍ନ ନାଳର ପାଣି ମିଶି ମହାନଦୀରେ ବନ୍ୟା ସୃଷ୍ଟି କରିଛି।
ପ୍ରଦୀପ ଜେନା କହିଛନ୍ତି, ‘‘ମହାନଦୀରେ ସମୁଦାୟ ୯୮ଟି ଗେଟ୍ ରହିଥିବା ବେଳେ ୩୪ଟି କ୍ରେଷ୍ଟ୍ ଗେଟ୍ ରହିଛି। ଏହି ଗେଟ୍ ଦେଇ ହୀରାକୁଦର ବନ୍ୟାଜଳ ନିଷ୍କାସିତ ହୋଇଥାଏ। ୧୯୮୦ ମସିହାରେ ହୀରାକୁଦରେ ସର୍ବାଧିକ ୮୮ଟି ଗେଟ୍ ଖୋଲାଯାଇଥିଲା।’’
୧୯୪୭ ମସିହାରେ ହୀରାକୁଦ ଡ୍ୟାମ୍ର ପରିକଳ୍ପନା କରାଯାଇଥିଲା। ହୀରାକୁଦ ଡ୍ୟାମ୍ ଯେଉଁ ଜାଗାରେ ନିର୍ମାଣ କରାଯାଇଛି ତାହା ସମ୍ପୂର୍ଣ୍ଣ ପ୍ରକୃଷ୍ଠ ସ୍ଥାନରେ ନିର୍ମାଣ କରାଯାଇଛି। ପ୍ରଥମେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ଜଳଯୋଗାଣ ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରସ୍ତୁତ କରାଯାଇଥିଲା।
ହୀରାକୁଦର ସମୁଦାୟ କ୍ଷମତା ହେଉଛି ୪୨ ଲକ୍ଷ ଏକର ଫୁଟ। ଗେଟ୍ କେତେବେଳେ ଖୋଲାଯିବ ଓ କେବେ ବନ୍ଦ କରାଯିବ ତାହା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିର କରାଯାଇଥାଏ। ହୀରାକୁଦର ବନ୍ୟାଜଳ ନିଷ୍କାସିତ ହେବା ପରେ ତାହା ଦୁଇଟି ମେଜରି ଷ୍ଟେସନ ଯଥାକ୍ରମେ ଖଇରମାଳ ଓ ବଡ଼ମୂଳ ଦେଇ ନରାଜରେ ପହଞ୍ଚିଥାଏ।
ବନ୍ୟା ଜଳ ଖଇରମାଳରୁ ମୁଣ୍ଡୁଳି ପହଞ୍ଚିବାକୁ ହେଲେ ପାଖାପାଖି ୨୪ ଘଣ୍ଟାରୁ ୩୬ ଘଣ୍ଟା ସମୟ ନିଏ। ତେବେ ହୀରାକୁଦର ପାଣି ଆସି ମୁଣ୍ଡୁଳିରେ ପହଞ୍ଚିବା ମଧ୍ୟରେ ତାହାର ଜଳସ୍ତର କମିଯାଇଥାଏ। କାରଣ ରାସ୍ତାରେ ଅନେକ ଶାଖା ନଦୀ ଓ ଉପନଦୀ ରହିଛି। ସେଠାରୁ ଆସିଲା ପରେ ମୁଣ୍ଡୁଳିଠାରୁ ମହାନଦୀ ଓ କାଠଯୋଡ଼ି ଦେଇ ଜଳପ୍ରବାହିତ ହୋଇଥାଏ।
୧୯୯୨ ମସିହାରେ ମୁଣ୍ଡଳିରେ ସର୍ବାଧିକ ହାରାହାରି ୧୭ ଲକ୍ଷ କ୍ୟୁସେକ ପାଣି ଯାଇଥିଲା। ଏହି ସମୟରେ କଟକରେ ରିଙ୍ଗ ବନ୍ଧ ନଥିଲା।
୧୯୪୭ରେ ହୀରାକୁଦ ନିର୍ମାଣ ଆରମ୍ଭ ହୋଇଥିଲା। ୧୯୫୬ରେ ନିର୍ମାଣ ଶେଷ ହୋଇଥିଲା। ୪୨ ଲକ୍ଷ ୮୦ ହଜାର ଏକର ଫୁଟ ଜାଗାରେ ଏହି ଡ୍ୟାମ ନିର୍ମାଣ କରାଯାଇଥିଲା ଏଥିରୁ ବରଗଡ଼ ଓ ଶାସନି କେନାଲ ବାହାରିଛିା