ଓଡ଼ିଶାଲାଇଭ୍ ବ୍ୟୁରୋ

  • ବୌଦ୍ଧ-କିଆକଟା ମହାନଦୀ ସେତୁର ଅନେକ ସ୍ଥାନରେ ଫାଟ
  • ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛି ହାଜର ହଜାର ଗାଡ଼ି
  • ସବୁ ଜାଣିକି ବି ଚୁପ ବସିଛି ଜିଲ୍ଲା ପ୍ରଶାସନ

(ବୌଦ୍ଧରୁ ଦେବବ୍ରତ ଦାଶ): ବିପଦସଙ୍କୁଳ ଅବସ୍ଥାରେ ବୌଦ୍ଧ-କିଆକଟା ମହାନଦୀ ସେତୁ। ସେତୁରେ ଅନେକ ସ୍ଥାନରେ ଫାଟ ସହ ଲୁହା ଛଡ଼ ବାହାରି ପଡ଼ିଛି। ଏଭଳି ଅବସ୍ଥାରେ ବ୍ରିଜ ଉପରେ ଅନେକ ଲୋକ ଯାତାୟାତ କରୁଛନ୍ତି। ଏଠାରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକେ ପ୍ରାଣ ହରାଉଛନ୍ତ। ଏସବୁ ସତ୍ତ୍ଵେ ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନନେଇ ଚୁପ ହୋଇ ବସିଛି।

ଏବେ ଏହି ୨ କିଲୋମିଟର ବିଶିଷ୍ଟ କିଆକଟା ସେତୁର କିଛି ସ୍ଥାନରେ ଫାଟ ହୋଇଥିବା ଦେଖାଦେଇଛି। ସେତୁର ରାସ୍ତା ଉପରେ ବଡ଼ ବଡ଼ ଖାଲ ହୋଇଯିବା ସହ ଏଥିରୁ ଲୁହା ରଡ ବାହାରିଯାଇଛି। ଏଭଳି ଅବସ୍ଥାରେ ପ୍ରତିଦିନ ହଜାର ହଜାର ଗାଡ଼ି ବ୍ରିଜ ଉପରେ ଚଳାଚଳ କରୁଛି। ଅଧିକାଂଶ ସମୟରେ ଗାଡ଼ି ଚାଲିବା ଯୋଗୁଁ ବ୍ରିଜ ଦୋହଲୁଥିବାର ନଜର ଆସିଛି।

ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ସଂଯୋଗ କରିବା ପାଇଁ ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ନିର୍ମାଣ ହୋଇଥିଲା କିଆକଟା ସେତୁ। ବୌଦ୍ଧ ଓ କିଆକଟା ମଧ୍ୟରେ ନିର୍ମିତ ଏହି ସେତୁକୁ ୨୦୦୨ ମସିହା ଡିସେମ୍ବର ମାସରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ସେତୁଟିକୁ ୨୧ ବର୍ଷ ନପୁରୁଣୁ ଏହାର ଅବସ୍ଥା ଦୟନୀୟ ହୋଇଗଲାଣି।

ପ୍ରତ୍ୟହ ଲୋକେ ଏହି ବ୍ରିଜର ବ୍ୟବହାର କରି ସମ୍ବଲପୁର, ଅନୁଗୁଳୁ, ସୁନ୍ଦରଗଡ଼ ଏବଂ ଅନ୍ୟପଟେ ବୌଦ୍ଧ, ଫୁଲବାଣୀ, ଗଞ୍ଜାମ ଭଳି ଜିଲ୍ଲାକୁ ଯାତାୟତ କରୁଛନ୍ତି। ତେବେ ସେତୁର ଖରାପ ଅବସ୍ଥା ଯୋଗୁଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି।

ସେହିପରି ବର୍ଷେ ତଳେ ଏହି ବ୍ରିଜର ଉଭୟ ପାର୍ଶ୍ଵରେ ଷ୍ଟ୍ରିଟ ଲାଇଟ ଲାଗିଥିବାବେଳେ ଏବେ ଏସବୁ ଅଚଳ ହୋଇଯାଇଛି। ଫଳରେ ଏହି ଅଞ୍ଚଳରେ ଚୋରି ଡକାୟତ ବଢ଼ିବାରେ ଲାଗିଛି।

ପୂର୍ତ୍ତ ବିଭାଗ ଅଧିନରେ ଥିବା କିଆକଟା ସେତୁର ରକ୍ଷଣାବେକ୍ଷଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣକୁ ଦାୟିତ୍ଵ ଦିଆଯାଇଛି। ତେବେ ବ୍ରିଜ ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ପରିବର୍ତ୍ତେ ଏଥିରେ କେବଳ ପ୍ୟାଚ ପକାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏହି ବ୍ରିଜ ନିର୍ମାଣ ସମୟରେ ଠିକାଦାର ନିମ୍ନ ମାନର କାମ କରୁଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇନଥିଲା। ଯାହାରଫଳ ସ୍ୱରୂପ ଆଜି ଏହି ସେତୁର ଅବସ୍ଥା ଖରାପ ହୋଇଥିବା କୁହାଯାଉଛି। ଏହାର ଠିକ ଭାବେ ମରାମତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ବୌଦ୍ଧବାସୀ।

ମହାନଦୀର ସେତୁର ଅବସ୍ଥାକୁ ଦେଖି ଏହାକୁ ତୁରନ୍ତ ମରାମତି ନହେଲେ ଆଗାମୀ ଦିନରେ ଯେ ବଡ଼ ଧରଣର ଅଘଟଣ ନଟିବ ତାହା କହିବା କଠିନ ହେବ। ତେଣୁ ବେଳ ଥାଉଥାଉ ଏହାର ପ୍ରତିକାର କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଛି।

Tags: #Boudh-KiakataMahanadiBridge #Mahanadi #Connectivity #Boudh #Odisha

Comment