ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ଷା କମିବାପରେ ମହାନଦୀରେ ବନ୍ୟା ଜଳର ପରିମାଣ ହ୍ରାସ ପାଇଛି। ଏଥିପାଇଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବାରେ ଲାଗିଛି। ତଥାପି ପୂର୍ବରୁ ହୀରାକୁଦରେ ଜଳସ୍ତର ଅଧିକ ଥିବାରୁ ଏବେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳସ୍ତର କମୁଥିବାରୁ ଏବେ ମହାନଦୀ ତଳମୁଣ୍ଡରେ ବନ୍ୟାର ସମ୍ଭାବନା କମିଛି।

ହୀରାକୁଦ ଜଳଭଣ୍ଡାରକୁ ଶନିବାର ସାଢ଼େ ୪ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଆସୁଥିବାବେଳେ ସୋମବାର ସକାଳ ସୁଦ୍ଧା ଏହା ପ୍ରାୟ ଦୁଇ ଲକ୍ଷ କ୍ୟୁସେକ ତଳକୁ ଖସି ଆସିଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦ ଫୁଟ ରହିଛି। ଏଠାରୁ ୩ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ସେହିପରି ଏବେ ମୁଣ୍ଡୁଳି ବ୍ୟରେଜ ଦେଇ ୪ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏବେ ହୀରାକୁଦର ଆଉ କୌଣସି ଗେଟ ଖୋଲାଯିବନି। ଆଗାମୀ ୨ ଦିନ ମଧ୍ୟରେ ହୀରାକୁଦରେ ଜଳସ୍ତର ୬୧୫ ଫୁଟ ତଳକୁ ଆସିଯିବ। ଏହାପରେ ଧୀରେ ଧୀରେ ଗେଟ ସବୁକୁ ବନ୍ଦ କରାଯିବ।

ଗତ ବୁଧବାର ଓ ଗୁରୁବାର ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ସେଠାରେ ହାରାହାରି ୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହାପରେ ଛତିଶଗଡ଼ ମହାନଦୀରେ ଥିବା କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଦେଇଥିଲା। ଏଥିପାଇଁ ଅଧିକରୁ ଅଧିକ ପାଣି ହୀରାକୁଦକୁ ଆସିବାକୁ ଲାଗିଲା। ହୀରାକୁଦରେ ପୂର୍ବରୁ ୧୨ ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଶୁକ୍ରବାର ଆଉ ୮ଟି ଗେଟ ଖୋଲାଯାଇଥିଲା।

ଓଡ଼ିଶାରେ ଏବେ ମହାନଦୀ ସହ ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ଜଳସ୍ତର କମ ହେଉଛି। ଏଥିପାଇଁ ରାଜ୍ୟରେ ଆଉ ବନ୍ୟାର ଭୟ ନଥିବା ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି। ଏବେ କେବଳ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାରୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଉପରେ ନଜର ରଖାଯାଇଛି। ଏହି ସବୁ ନଦୀରେ ଜଳସ୍ତର ବଢ଼ିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Tags: #HirakudDam #HeavyRainfall #Mahanadi #Flood #Odisha

Comment